କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଗ୍ରାମର ଜଗନ ଜେନା ସ୍ଥାନୀୟ ସରପଞ୍ଚ ଓ ଥାନା ଅଧିକାରୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଅଭିଯୋଗ କରି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣାରେ ବସିଛନ୍ତି । ଏହି ଘଟଣାରେ ସେ ନିଜର ଜୀବିକା ଓ ଆତ୍ମ ସମ୍ମାନ ହରାଇଥିବାରୁ ତାଙ୍କୁ ଉପଯୁକ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ଗତ ଫେବୃୟାରୀ ମାସରେ ଧୂମାତ ଶାସନ ଗ୍ରାମର ଶାନ୍ତିଲତା ନନ୍ଦଙ୍କ ଘରୁ କିଛି ଠାକୁର ମୂର୍ତ୍ତି ଚୋରି ହୋଇଥିଲାବେଳେ ଏନେଇ ନିକିରାଇ ଥାନାରେ ଜଗନଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଥାନା ଅଧିକାରୀଙ୍କ ଡାକରାରେ ଜଗନ ଥାନାରେ ହାଜିର ହୋଇ ସେ ଚୋରି କରିନଥିବା ଯେତେ କହିଲେ ମଧ୍ୟ ତାଙ୍କ କଥା ଥାନା ଅଧିକାରୀ ଶୁଣିନଥିଲେ । ଏପରିକି ସରପଞ୍ଚ ନରହରି ପାଣିଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟରେ ଏହାର ସମାଧାନ କରିବାକୁ ଜଗନଙ୍କୁ ସରପଞ୍ଚଙ୍କ ସହିତ ପଠାଇ ଦେଇଥିଲେ । ସେଠାରେ ଜଗନ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଥିଲେ ମଧ୍ୟ ତାଙ୍କ କଥାକୁ ବିଶ୍ୱାସକୁ ନ ନେଇ ସରପଞ୍ଚ ୫ ହଜାର ଟଙ୍କା ଜୋରିମାନା ନେଇ କଟୁଭାଷାରେ ବିଭିନ୍ନ ମନ୍ତବ୍ୟ ଦେଇ ଚୋର ବୋଲି ପ୍ରମାଣିତ କରିଥିଲେ ।
ତେବେ ଗତ ଫେବୃୟାରୀ ୨୭ରେ ଉକ୍ତ ମୂର୍ତ୍ତିଗୁଡିକ ଗ୍ରାମର ସୁଶାନ୍ତ ରାଉତ ଚୋରି କରିଥିବା ନେଇ ସ୍ୱୀକାର କରିବା ସହିତ ସରପଞ୍ଚଙ୍କୁ ମୂର୍ତ୍ତିଗୁଡ଼ିକ ହସ୍ତାନ୍ତର କରିଥିଲେ । ସରପଞ୍ଚ ମଧ୍ୟ ଉକ୍ତ ମୂର୍ତ୍ତିଗୁଡ଼ିକୁ ଏହାର ସତ୍ତ୍ୱାଧିକାରଣୀ ଶାନ୍ତିଲତାଙ୍କୁ ପ୍ରଦାନ କରିଥିଲେ । ଏହି ଖବର ଜାଣିବାପରେ ଜଗନ ନିଜେ ସରପଞ୍ଚଙ୍କୁ ଏ ସଂପର୍କରେ ପଚାରିବା ସହିତ ନିକରାଇ ଥାନାରେ ନିଜ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏ ସଂପର୍କରେ ସେ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ମଧ୍ୟ ଜଣାଇଥିଲେ ହେଁ ତାଙ୍କୁ କୌଣସି ନ୍ୟାୟ ମିଳିନଥିଲା । ସେହିପରି ଗତ ମାର୍ଚ୍ଚ ୨ ତାରିଖରେ ଜଗନଙ୍କ ବଡ଼ବାପା ମଧ୍ୟ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଲିଖିତ ଭାବରେ ଏସମ୍ପର୍କରେ ଜଣାଇଥିଲେ ମଧ୍ୟ ସେଠାରୁ ମଧ୍ୟ ନ୍ୟାୟ ମିଳିନାହିଁ । ଚୋରିରେ ସମ୍ପୃକ୍ତ ନଥାଇ ମଧ୍ୟ ଚୋର ବୋଲି ସାବ୍ୟସ୍ତ ହୋଇ ସମାଜ ଆଖିରେ ଘୃଣ୍ୟ ହେବାପରେ ତାଙ୍କୁ ଏହା ପରଠୁ କାମ ମିଳୁନଥିବା ସେ ପ୍ରକାଶ କରିଛନ୍ତି । ନିଜେ ବିନା ଦୋଷରେ ଜୀବିକା ହରାଇବା ସହିତ ନିର୍ଯାତିତ ହୋଇଥିବାରୁ ଜଗନ ସପରିବାର ଅନଶନରେ ବସିଛନ୍ତି ।