27.1 C
Bhubaneswar
Monday, September 30, 2024
Homeଓଡିଶାବିଳମ୍ବିତ ନ୍ୟାୟ, ହତାଶ ପୀଡିତ

ବିଳମ୍ବିତ ନ୍ୟାୟ, ହତାଶ ପୀଡିତ

ଦେବଗଡ଼: ଚିକିତ୍ସକଙ୍କ ଦାୟିତ୍ୱ ହୀନତା ଯୋଗୁଁ ନିଜ ଆଖି ହରାଇ ବୃଦ୍ଧାବସ୍ଥାରେ ଅକୁହା କଷ୍ଟ ପାଉଥିବା ଜଣେ ୭୪ ବର୍ଷୀୟ ବୃଦ୍ଧ ନ୍ୟାୟ ପାଇଁ ଚାହିଁ ରହିଥିବା ବେଳେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ହତାଶ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ସରତଳା ଗ୍ରାମର ଭାବଗ୍ରାହୀ ସାହୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ଗତ ୨୦୦୯ ମସିହା ଡିସେମ୍ବର ୮ ତାରିଖ ଦିନ ଏକ ଚକ୍ଷୁ ଅସ୍ତ୍ରୋପଚାର ଶିବିରରେ ନିଜ ବାମ ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ। ମାତ୍ର ଚିକିତ୍ସାକ ଅବହେଳା କାରଣରୁ ଭାବଗ୍ରାହୀଙ୍କ ବାମ ଆଖି ସ୍ଥାୟୀ ଭାବେ ଦୃଷ୍ଟି ଶକ୍ତି ହରାଇ ଥିଲେ। ଏନେଇ ବାରମ୍ବାର ଶିବିର ଆୟୋଜନ କରିଥିବା ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ଆଏ ହସ୍ପିଟାଲର ଚିକିତ୍ସକ ଧରାଛୁଆଁ ନଦେବାରୁ ଭାବଗ୍ରାହୀ ବୁର୍ଲା ଡାକ୍ତରଖାନାରେ ନିଜ ଚିକିତ୍ସା କରାଇ ଥିଲେ ମଧ୍ୟ ଦୃଷ୍ଟି ଶକ୍ତି ଫେରି ପାଇ ନଥିଲେ। ଏ ନେଇ ଭାବଗ୍ରାହୀ ଦେବଗଡ଼ ଖାଉଟି ଅଦାଲତରେ ଏକ ଅଭିଯୋଗ ଦାୟର କରିବା ସହ କ୍ଷତି ପୂରଣ ପାଇଁ ଦରଖାସ୍ତ କରିଥିଲେ।

ମାମଲାର ବିଚାର କରି ଦେବଗଡ଼ ଜିଲ୍ଲା ଖାଉଟି ଅଦାଲତ ଗତ ୨୦୧୨ ମସିହା ଜୁଲାଇ ୪ ତାରିଖ ଦିନ ଭାବଗ୍ରାହୀଙ୍କ ସପକ୍ଷରେ ରାୟ ପ୍ରଦାନ କରିବା ସହ ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ଆଇ ହସ୍ପିଟାଲକୁ କ୍ଷତି ପୂରଣ ବାବଦରେ ୨ ଲକ୍ଷ ଓ ମୋକଦ୍ଦମା ଖର୍ଚ୍ଚ ବାବଦରେ ୨ ହଜାର ଟଙ୍କା ପ୍ରଦାନ ପାଇଁ ରାୟ ପ୍ରଦାନ କରିଥିଲେ। ମାତ୍ର ଉକ୍ତ ଅନୁଷ୍ଠାନ ପକ୍ଷରୁ ରାୟ ବିରୋଧରେ ରାଜ୍ୟ ଖାଉଟି ଫୋରମରେ ଅପିଲ କରାଯାଇଥିଲା। ତେବେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟ ଖାଉଟି ଫୋରମରେ ମାମଲା ବିଚାରଧୀନ ରହିବା ପରେ ଗତ ମାର୍ଚ୍ଚ ୧୧ ତାରିଖ ଦିନ ପୁଣି ଥରେ ଭାବଗ୍ରାହୀଙ୍କ ସପକ୍ଷରେ ରାୟ ଆସିବା ସହ ୨ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୨ ହଜାର ଟଙ୍କା ମକୋଦ୍ଦମା ଖର୍ଚ୍ଚ ବାବଦକୁ ୪୫ ଦିନ ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଏଥିରେ ବିଳମ୍ବ ହେଲେ ୯ ପ୍ରତିଶତ ସୁଧ ସହ ପୀଡିତଙ୍କୁ ପୈଠ ପାଇଁ ବିଚାରପତି ନିର୍ଦେଶ ଦେଇଥିଲେ।

ମାତ୍ର ଉକ୍ତ ଅନୁଷ୍ଠାନ ପୁଣି ଥରେ ମାମଲାର ପୁନଃ ବିଚାର ପାଇଁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଖାଉଟି ଫୋରମ ରେ ଦରଖାସ୍ତ କରିଥିବା ରୁ ଭାବଗ୍ରାହୀଙ୍କୁ ନ୍ୟାୟ ପାଇଁ ପୁଣି ଥରେ ଅନିର୍ଦ୍ଧିଷ୍ଟ ସମୟ ଆପେକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି। ଜଣେ ଗରିବ ଚାଷୀ ଭାବଗ୍ରାହୀ ନିଜ ଆଖି ରୁ ଦୃଷ୍ଟି ଶକ୍ତି ହରାଇ ଶାରୀରିକ ଓ ମାନସିକ ଭାବେ ଭାଙ୍ଗି ପଡି ଥିବାବେଳେ ୭୪ ବର୍ଷ ବୟସ ଅତିକ୍ରମ କରିବା ପରେ ଅଦାଲତ ରୁ ନ୍ୟାୟ ପାଇବା ପରିବର୍ତ୍ତେ ପାଉଛନ୍ତି କେବଳ ତାରିଖ। ଫଳରେ ଭାବଗ୍ରାହୀ ହତାଶ ହୋଇ ପଡ଼ିଥିବା ବେଳେ ସରକାର ତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking