33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଠିକା ସଂସ୍ଥାର ଜୁଲମ୍ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଠିକା ସଂସ୍ଥାର ଜୁଲମ୍ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଝାରସୁଗୁଡା‌: ଭାରତ ସିକ୍ୟୁରିଟି ସଂସ୍ଥା ଅଧିନରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ସଂସ୍ଥା ଜୁଲମ୍ କରୁଥିବା ଅଭିଯୋଗ ହୋଇଛି । ସଂସ୍ଥା ପକ୍ଷରୁ କର୍ମଚାରୀମାନଙ୍କୁ ଉପଯୁକ୍ତ ଦରମା, ଇପିଏଫ, ଇଏସଆଇ ଆଦି ପ୍ରଦାନ ନକରି ହଡପ କରୁଥିବାରୁ କର୍ମଚାରୀମାନେ ଶୋଷଣର ଶିକାର ହେଉଥିବା କହିଛନ୍ତି । ଏନେଇ ଆଜି ଭାରତ ସିକ୍ୟୁରିଟି ସଂସ୍ଥା ଅଧିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ପ୍ଲମ୍ବର, ଇଲେକ୍ଟ୍ରିିସିଆନ, ସୁଇପର ଓ ସୁଭରପାଇଜରମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି କମ୍ପାନୀ ପକ୍ଷରୁ ତାଙ୍କୁ ଉପଯୁକ୍ତ ସମୟରେ ସଠିକ ପାଉଣା ଦିଆଯାଉ ନାହିଁ । ସମ୍ପୂର୍ଣ୍ଣ ଦରମା ମାସ ଆରମ୍ଭରେ ଦେବା ପରିବର୍ତ୍ତେ ଦରମା ରାଶିରୁ ୨-୩ ହଜାର କମ ଟଙ୍କା କମ୍ପାନୀ ମାସ ଶେଷରେ ପ୍ରଦାନ କରୁଛି । ସେହିପରି କର୍ମଚାରୀଙ୍କୁ ଚାକିରି ଦେବାର ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଏନିଙ୍ଗ ଲେଟର ପ୍ରଦାନ କରୁ ନାହିଁ । ଯାହା ଫଳରେ ସେମାନଙ୍କର ଉପଯୁକ୍ତ ଇପିଏଫ, ଇଏସଆଇ ଟଙ୍କା ମିଳିପାରୁ ନାହିଁ । ଏହାସହ ଦରମା ଦାବି କଲେ କମ୍ପାନୀ କର୍ମାଚାରୀଙ୍କୁ ବିନା ନୋଟିସ୍‌ରେ ବାହାର କରୁଛି । ସେହିପରି କର୍ମଚାରୀମାନେ ଏକତ୍ରିତ ହୋଇ ସିଡିଏମ୍‌ଓ, ଡିପିଏମ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉ ନାହାନ୍ତି । ଅନ୍ୟପଟେ କାହିଁକି ଅଭିଯୋଗ କରାଯାଉଛି ବୋଲି ଠିକା କମ୍ପାନୀରୁ ପେଟି ଠିକା ନେଇଥିବା ସ୍ଥାନୀୟ ଠିକାଦାର ଗୁଣ୍ଡା ଲଗାଇ କର୍ମଚାରୀମାନଙ୍କୁ ଧମକ ଚମକ ଦେଉଛନ୍ତି । ଫଳରେ କର୍ମଚାରୀମାନେ ଶୋଷଣର ଶିକାର ହେଉଥିଲେ ମଧ୍ୟ ପୁନଃଶ୍ଚ ଅଭିଯୋଗ କରିବାକୁ ଭୟ କରୁଛନ୍ତି । ତେବେ ସେମାନେ ଶୋଷଣର ଶିକାର ହେବା ସହ ଠକେଇର ଶିକାର ମଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଜିଲ୍ଲାରେ ଯେତେବେଳେ ଭାରତ ସିକ୍ୟୁରିଟ ସର୍ଭିସ୍ ମେଡିକାଲରେ କାମ ନେଲା, ସେ ସମୟରେ ଦଲାଲମାନେ ସରକାରୀ ଚାକିରି ଡାକ୍ତରଖାନାରେ କରାଇ ଦେବୁ କହି ନିରିହ ଲୋକଙ୍କୁ ୧୦ ହଜାର, ୧୫ ହଜାର ୨୦ ହଜାର ଲେଖାଏଁ ଆଦାୟ କରିଥିଲେ । ଶେଷରେ ସେମାନଙ୍କୁ ଭାରତ ସିକ୍ୟୁରିଚଟି ସର୍ଭିସ ଠିକା ସଂସ୍ଥାରେ ଚାକିରୀରେ ଲଗାଇଥିଲେ । ଚାକିରି ପାଇବା ପରେ ପ୍ରତିମାସ ଉପଯୁକ୍ତ ଦରମା ପାଇ ପରିବାର ପ୍ରତିପୋଷଣ କରିବେ ବୋଲି କର୍ମଚାରୀମାନେ ଆଶା କରିଥିଲେ । ହେଲେ କମ୍ପାନୀର ଶୋଷଣର ଶିକାର ହେଲାପରେ ମେଡିକାଲ କର୍ତ୍ତୁପକ୍ଷ ମଧ୍ୟ ସେମାନଙ୍କ ଅସୁବିଧା ବୁଝୁ ନଥିବାରୁ ସେମାନଙ୍କ ସମସ୍ତ ଆଶା ମଉଳି ଯାଇଛି ବୋଲି କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଠିକା କମ୍ପାନୀର ଶୋଷଣରୁ କର୍ମଚାରୀମାନଙ୍କୁ ରକ୍ଷା କରି ଉପଯୁକ୍ତ ସମୟରେ ସଠିକ ଦରମା ପ୍ରଦାନ, ଇପିଏଫ, ଇଏସଆଇ ପ୍ରଦାନ କରାଇବାର ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଯଦି ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ ନକରେ ତେବେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଜିଆଇଏସଏସ ସିକ୍ୟୁରିଟି ସର୍ଭିସ ଓ ଏକ୍‌ଜିକ୍ୟୁଟିଭ ସିକ୍ୟୁରିଟି ସର୍ଭିସ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଉପଯୁକ୍ତ ଦରମା, ବୋନସ, ଏରିଅର, ଇପିଏଫ ଓ ଇଏସଆଇ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking