26.7 C
Bhubaneswar
Friday, April 19, 2024
Homeଅପରାଧସାମ୍ବାଦିକଙ୍କ ପୁଅଙ୍କୁ ହତ୍ୟା ମାମଲା : ସାଙ୍ଗ ଖୋଲିବେ ରହସ୍ୟ

ସାମ୍ବାଦିକଙ୍କ ପୁଅଙ୍କୁ ହତ୍ୟା ମାମଲା : ସାଙ୍ଗ ଖୋଲିବେ ରହସ୍ୟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି । ଶ୍ୱାସରୁଦ୍ଧ ହେବାରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୫ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୁଲିସ ଅଟକ ରଖି ପଚରାଉଚରା କରୁଛି । ବୁଧବାର ଫୁଲବାଣୀ ପୁଲିସ ନିକଟରେ ୨ଜଣ ଯୁବକ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଫୁଲବାଣୀ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମଲାପଡ଼ାର ଦିନେଶ ମହାପାତ୍ର ଓରଫ ଲିଟୁ । ସେହିପରି ମଙ୍ଗଳବାର ଫୁଲବାଣୀ ପୁଲିସ ହିମାଂଶୁ ବେହେରା ନାମକ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଥିଲା ।

ସେପଟେ ଭୁବନେଶ୍ୱର ପୁଲିସ ମନୀଷଙ୍କ ୨ଜଣ ସାଙ୍ଗଙ୍କୁ କାବୁ କରିଛି । ଏମାନେ ମନୀଷଙ୍କୁ ଘଟଣାଦିନ ଇନ୍‌ଫୋସିଟି ଛକରୁ ପିକ୍‌ଅପ କରିଥିଲେ । ଅନ୍ୟପକ୍ଷେ ଘଟଣା ରାତିରେ ‘ସାଉଥ ସିଟି’ବାର୍‌ରେ ୨୦ରୁ ୨୫ ଜଣ ଯୁବତୀ ଥିବା ପୁଲିସ କହିଛି । ସମସ୍ତ ଯୁବତୀଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି ।ଏହି ଘଟଣା ଏବେବି ରହସ୍ୟ ଘେରରେ ଥିବାରୁ ସାଙ୍ଗ ମାନଙ୍କଠାରୁ ସମସ୍ତ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କାରଣ ସେହି ରାତିରେ ମନୀଷଙ୍କ ସହ କିଛି ସାଙ୍ଗ ଥିଲେ ଏବଂ ପରେ ମନୀଷଙ୍କର ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ମଙ୍ଗଳବାର ପୁଲିସ ମନୀଷଙ୍କ ୨ଜଣ ସାଙ୍ଗଙ୍କୁ ଉଠାଇ ଆଣିଥିଲା ।

ଅମ୍ରିତ ନାମକ ଜଣେ ସାଙ୍ଗକୁ କେନ୍ଦ୍ରାପଡ଼ାରୁ ଉଠାଇଥିବାବେଳେ ଅନ୍ୟଜଣକୁ ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ରୁ ଠାବ କରାଯାଇଥିଲା । ସେମାନଙ୍କୁ ଜେରା କରିବାରୁ ବାକି ୩ଜଣଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା । ଏନେଇ ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସ୍ପେଶାଲସ୍କ୍ୱାଡ୍ ଓ ତମାଣ୍ଡୋ ଥାନା ପୁଲିସ ମିଳିତ ହୋଇ ଫୁଲବାଣୀ ଯାଇଥିଲେ । ସେଠାରେ ପ୍ରଥମେ ସାମ୍ବାଦିକ ହିମାଂଶୁ ବେହେରାଙ୍କୁ ଅଟକ ରଖିଥିଲେ। ତାଙ୍କୁ ପଚରାଉଚରା କରିବାରୁ ସେମାନେ ମୁନା ଓ ଲିଟୁ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ପୁଲିସ ଖୋଜୁଥିବା ଦେଖି ଏହି ୨ଜଣ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିବା ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି । କମିଶନରେଟ୍ ପୁଲିସ ଟିମ୍ ଫୁଲବାଣୀରୁ ୩ ଅଭିଯୁକ୍ତଙ୍କୁ ଧରି ବୁଧବାର ରାତିରେ ଭୁବନେଶ୍ୱର ପହଞ୍ଚିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କୁ ଏକାଠି ବସାଇ ପୁରା ଘଟଣାର ସବିଶେଷ ତଥ୍ୟ ଜାଣିବାକୁ ପୁଲିସ ଯୋଜନା କରିଛି । ତେବେ ଘଟଣାଦିନ ଏମାନେ ସମସ୍ତେ ମନୀଷ ସହିତ ଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବାବେଳେ କାହିଁକି ତାଙ୍କୁ ମାରିଲେ ତାହା ଜଣାପଡ଼ିନାହିଁ । ଏନେଇ ପୁଲିସ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ସବୁ ସତ ବାହାରିବ ବୋଲି ଆଶା ରଖିଛି ।

-ରହସ୍ୟମୟୀ ଯୁବତୀ କିଏ ?
‘ସାଉଥ ସିଟି’ ହୋଟେଲ୍ ନିକଟ ରାସ୍ତାର ଏକ ସିସିଟିଭି ଫୁଟେଜ୍ ପୁଲିସ ଜବତ କରିଛି । ସେଥିରେ ମନୀଷ ରାସ୍ତାରେ ଚାଲିକି ଯାଉଥିବା ଦେଖିବାକୁ ମିଳିଛି । ହେଲେ ମନୀଷଙ୍କ ଆଗରେ ଜଣେ ଯୁବତୀ ତରବର ଭାବେ ଚାଲିକି ଯାଉଥିବା ଦୃଶ୍ୟମାନ ହୋଇଛି । ସେହି ଯୁବତୀ ଜଣକ ଆଗରେ ଥିବା ଏକ ଧଳା କାର୍ ନିକଟକୁ ଯାଉଥିଲେ । ସେହି କାର୍ ନିକଟରେ ପୂର୍ବରୁ ୨ଜଣ ଯୁବକ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି । ତେବେ କିଏ ସେହି ଯୁବତୀ, ସେ ମନୀଷଙ୍କ ଆଗରେ କାହିଁକି ଚାଲିକି ଯାଉଥିଲେ, ଏହି ସବୁ ଦିଗକୁ ପୁଲିସ ତଦନ୍ତ କରିବା ଦରକାର ବୋଲି କୁହାଯାଉଛି ।

-ଇନ୍‌ଫୋସିଟିରୁ ରସୁଲଗଡ଼
ମନୀଷ ଶନିବାର ସନ୍ଧ୍ୟାରେ ଇନ୍‌ଫୋସିଟି ଛକରେ କାର୍ ରଖିବା ପରେ ତାଙ୍କର ୨ ସାଙ୍ଗଙ୍କ ସହ କାର୍‌ରେ ଆସିଥିଲେ । ସେଠାରୁ ସେମାନେ ରସୁଲଗଡ଼ ସ୍ଥିତ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ପ୍ରାୟ ଅଧଘଣ୍ଟା ଧରି ସେଠାରେ ଥିଲେ । ଏହାପରେ ସେମାନେ ପାତ୍ରପଡ଼ା ଯାଇଥିବା ଜଣାପଡ଼ିଛି । ତେବେ ପାତ୍ରପଡ଼ା ସ୍ଥିତ ବାର୍‌ରେ ତାଙ୍କର ୨୮ହଜାର ଟଙ୍କା ବିଲ୍ ହୋଇଥିଲା । ଏଥିମଧ୍ୟରୁ ମୃତ୍ୟୁଞ୍ଜୟ ଅଧିକ ପରିମାଣ ଟଙ୍କା ଦେଇଥିବାବେଳେ ମନୀଷ ଅଳ୍ପ ଟଙ୍କା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking