26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ମେଳା : ନିରାଶ ହୋଇ ଫେରିଲେ ବେକାର ଯୁବକ ଯୁବତୀ

ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ମେଳା : ନିରାଶ ହୋଇ ଫେରିଲେ ବେକାର ଯୁବକ ଯୁବତୀ

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ମନମୋହନ ସ୍କୁଲ ପଡିଆରେ ସୋମବାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । କରୋନା କାରଣରୁ ଝାରସୁଗୁଡାକୁ ଫେରିଆସିଥିବା ଶ୍ରମିକମାନଙ୍କୁ ଥଇଥାନ କରିବା ପାଇଁ ଏହି ନିଯୁକ୍ତିମେଳାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବେଦାନ୍ତ, ଟିଆରଏଲ୍ କ୍ରୋସାକି, ଓପିଜିସି, ଆପାର, ଏସ୍‌ଏମ୍‌ସି ପରି ୮ଟି କମ୍ପାନୀ ଭାଗନେଇଥିଲେ । ପ୍ରାୟ ୧୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଏଥିରେ ଆବେଦନ କରିଥିଲେ । ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସଞ୍ଜୁକ୍ତା ସାହୁ ଶିବିରର ଶୁଭାରମ୍ଭ କରିଥିଲେ ।
ଅନ୍ୟପଟେ ନିଯୁକ୍ତିମେଳାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାର ଶହ ଶହ ବେକାର ଯୁବକ ଯୁବତୀ ମନ ମୋହନ ସ୍କୁଲ ପଡଆକୁ ଆସିଥିଲେ । ହେଲେ କେବଳ ପ୍ରବାସୀଙ୍କ ପାଇଁ ଏହା ଆୟୋଜନ କରାଯାଇଥିବାରୁ ସେମାନଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇ ନଥିଲା । ଚାକିରି ପାଇବା ଆଶାରେ ଆସିଥିବା ଗନ୍ଧିଛକ ରାଜପୁର ଅଞ୍ଚଳର ଜଣେ ଯୁବକ ଗିରଧାରୀ ମେହେର କହିଛନ୍ତି ପ୍ରବାସୀ ଶ୍ରମିକଙ୍କ ସହ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି । କାରଣ କରୋନା ସମୟରେ ସରକାରୀ ଚାକିରୀ ବାହାରିବାରେ ଆଶଙ୍କା ରହିଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିବାର ସୁଯୋଗ ଦେଇ ନାହିଁ । ଫଳରେ ଜିଲ୍ଲାର ଶହଶହ ବେକାର ଯୁବକ ଯୁବତୀଙ୍କୁ ନିରାଶ ହେବାକୁ ପଡୁଛି । ଅନ୍ୟପଟେ ଏନେଇ ଜିଲ୍ଲା କର୍ମ ନିୟୋଜନ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ଆଜିର ନିଯୁକ୍ତିମେଳା କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଥଇଥିବା ନୋଟିସରେ ମଧ୍ୟ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା । ତେଣୁ ଆଜି ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଦିଆଯାଇ ନାହିଁ । ତେବେ ଏଥିରେ ଜିଲ୍ଲାର ବେକାର ଯୁବକ ଯୁବତୀମାନେ ନିରାଶ ହେବା କଥା ନୁହେଁ । କାରଣ ପ୍ରତିବର୍ଷ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ସେମାନେ ଭାଗ ନେଇ ପାରିବେ । ଆଗାମୀ ଦିନରେ ସେମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ମେଳାର ଆୟୋଜନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking