ରାଞ୍ଚି : ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ସୋମବାର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଶପଥଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ସି.ପି.ରାଧାକୃଷ୍ଣନ ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଏକାଧିକ କ୍ୟାବିନେଟ ମନ୍ତ୍ରୀ, ହାଇକୋର୍ଟ ବିଚାରପତି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ସୋରେନ ଜଷ୍ଟିସ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଷ୍ଟିସ ମିଶ୍ର ଓଡ଼ିଶା ବାସିନ୍ଦା ହୋଇଥିବାବେଳେ ୨୦୦୯ରେ ଓଡ଼ିଶା ହାଇକୋର୍ଟ ବିଚାରପତି ଏବଂ ୨୦୨୧ରେ ଉତ୍ତରାଖଣ୍ଡ ହାଇକୋର୍ଟର ଅସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ ।