ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ଖୁବ ଶୀଘ୍ର ଖୋଲିପାରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ । କାରଣ  ଯାଜପୁର ପୋଲିସକୁ ଝରାଫୁଲଙ୍କ ଭିସେରା ରିପୋର୍ଟ ମିଳିଛି । ଭିସେରା ରିପୋର୍ଟକୁ ନେଇ ତର୍ଜମା କରୁଛି ଯାଜପୁର ପୋଲିସ । ଭିସେରା ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ଖୁଲାସା ହେବା ନେଇ ସମ୍ଭାବନା ରହିଛି । ପୂର୍ବରୁ ରାକେଶ ର ତିନି-ଦିନିଆ ରିମାଣ୍ଡର ଅବଧି ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ଅଧିକ ରିମାଣ୍ଡ ଲାଗି ଆବେଦନ କରି ନ ଥିବାରୁ ରାକେଶକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରାକେଶକୁ ରିମାଣ୍ଡରେ ନିଆଯାଇ କୁଆଖିଆ ଥାନାରେ ପଚରାଉଚରା ଚଳାଇଥିଲା ପୋଲିସ। ଗୁରୁବାର ଦିନ ଝରାଫୁଲଙ୍କ ମୋବାଇଲ ଫୋନ୍‌ ସୁନ୍ଦରପଦାରୁ ଜବତ ହୋଇଥିଲା । ତା’ ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଝରାଫୁଲଙ୍କ ମୃତ ଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିବାରେ ବ୍ୟବହୃତ ସ୍କୁଟିକୁ ସେହି ସୁନ୍ଦରପଦାରୁ ଜବତ କରିଥିଲା ପୋଲିସ । ରାକେଶଙ୍କ ଜଣେ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ହେଲେ ଏହି ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟର ଖୁଲାସା ଏ ଯାଏଁ ହୋଇପାରିନି । ରାକେଶର ସହଯୋଗୀ, ଯିଏ ତା’ ସହିତ ମିଶି ଝରାଫୁଲଙ୍କ ମୃତ ଦେହକୁ ସ୍କୁଟିରେ ବୋହି ନେଇ ଫିଙ୍ଗିଥିଲା, ସେ ଏ ପର୍ଯ୍ୟନ୍ତ ଫେରାର୍‌ ଅଛି । ପୋଲିସ ଏବେ ବି ତାକୁ ଖୋଜୁଛି । ରାକେଶ ର ସହଯୋଗୀକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଛି ଓ ଗୁପ୍ତରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । 

LEAVE A REPLY

Please enter your comment!
Please enter your name here