27.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ମାନବିକତା ଦେଖାଇଲେ ଯବାନ : ୧୨ କି.ମି ରୋଗୀଙ୍କୁ ବୋହିଲେ

ପୁଣି ମାନବିକତା ଦେଖାଇଲେ ଯବାନ : ୧୨ କି.ମି ରୋଗୀଙ୍କୁ ବୋହିଲେ

ମାଲକାନଗିରି : ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ନିଜ ଜୀବନକୁ ବାଜିରେ ଲଗାଇ ଜଣେ ଆଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ଆଇଟିବିପିର ବୀର ଯବାନ । ଯବାନମାନେ କେବଳ ଗୋଟିଏ କି ଦୁଇ କିଲୋମିଟର ନୁହେଁ ଦୀର୍ଘ ୧୨ କିଲୋମିଟର ଜଙ୍ଗଲିଆ ରାସ୍ତାରେ ଭାରରେ ରୋଗୀଙ୍କୁ ବୋହି ପୁଣି ଥରେ ମାନବିକତା ଓ ବୀରତ୍ବର ପରିଚୟ ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାର ଦୃଶ୍ୟ । ନକ୍ସଲପନ୍ଥୀଙ୍କ ସହିଦ ସପ୍ତାହ ଜାରି ରହିଥିବା ବେଳେ ଶନିବାର ସକାଳେ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଗାଁରେ ଥିବା ଆଇଟିବିପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ ପାଇଁ ଟହକାଦଣ୍ଡ ଜଙ୍ଗଲକୁ ଯାଉଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ଏହାପରେ ବିଳମ୍ବ ନକରି ଯବାନମାନେ ସମ୍ପୃକ୍ତ ସ୍ଥାନକୁ ଯାଇ ମହିଳାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ଯବାନମାନେ କୁମ୍ବିଂ ଅପରେସନ ବନ୍ଦ କରି ତୁରନ୍ତ ଆରମ୍ଭ କରିଥିଲେ ଆଦିବାସୀ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ ।
ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାଦେ ପାଦେ ମାଓବାଦୀଙ୍କ ଲଗାଯାଇଥିବା ଲ୍ୟାଣ୍ଡ ମାଇନର ଭୟକୁ ଖାତିର ନକରି ଯବାନମାନେ ମହିଳାଙ୍କୁ ବାଉଁଶର ଷ୍ଟ୍ରେଚର ତିଆରି କରି ଭାରରେ ବୋହି ବୋହି ଆଇଟିବିପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । ପରେ ରାମ କୃଷ୍ଣ ମିଶନର ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ନାରାୟଣପୁର ସଦର ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ ପଠାଯାଇଥିଲା ।
ସୂଚନା ଅନୁଯାୟୀ, ୪ ଦିନ ପୂର୍ବରୁ ନାରାୟଣପୁର ଜିଲ୍ଲାରେ ଥିବା ଆଇ.ଟି.ବି.ପି କ୍ୟାମ୍ପରେ ଯବାନମାନେ ନିଜ ନିଜ ଭିତରେ ଗୁଳି ଚାଳନା କରିବାରୁ ୬ ଜଣ ଯବାନଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ଅବସ୍ଥାରେ ରାୟପୁରଠାରେ ଚିକିତ୍ସାଧୀନ ଅଛନ୍ତି । ଏହି ଅଭାବନୀୟ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । କିନ୍ତୁ ଏବେ ପୁଣି ଯବାନଙ୍କ ମାନବିକତାର ଚିତ୍ର ସାମନାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏବେ ଆଇ.ଟି.ବି.ପିର ଯବାନଙ୍କ କାର‌୍ୟ୍ୟକଳାପକୁ ଦେଖି ଲୋକେ ବହୁ ପ୍ରଶଂସା କରୁଛନ୍ତି ।
ଏକ ସପ୍ତାହ ପୂର୍ବରୁ ମଧ୍ୟ ସୋନପୁର ଅଞ୍ଚଳରେ ଥିବା ଆଇ.ଟି.ବି.ପି କ୍ୟାମ୍ପର ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଏମିତି ଭାରରେ ବୋହି ବୋହି ଆଣୁଥିଲେ । କିନ୍ତୁ, ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକା ହେବାରୁ ରାମକୃଷ୍ଣ ମିଶନକୁ ଖବର ଦେଇଥିଲେ । ପରେ ରାମକୃଷ୍ଣ ମିଶନର ଏକ ମହିଳା ଦଳ ଯବାନଙ୍କ ପାଖରେ ପହଞ୍ଚି ଘଞ୍ଚ ଜଙ୍ଗଲରେ ମହିଳାଙ୍କ ପ୍ରସବ କରାଇଥିଲେ । ଏମିତିକି ମହିଳାଙ୍କ ପ୍ରସବ ସମୟରେ କପଡାର ଆବଶ୍ୟକତା ପଡିବାରୁ ଆଇ.ଟି.ବି.ପିର ଯବାନମାନେ ନିଜ ବସ୍ତ୍ର ମଧ୍ୟ ଦେଇଥିଲେ । ଯାହାର ଫଟୋ ଭାଇରାଲ ହେବାରୁ ଲୋକେ ଯବାନଙ୍କୁ ଦେବଦୂତ ବୋଲି କହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking