ଭୁବନେଶ୍ୱର:କୃଷ୍ଣ ଜନ୍ମାଷ୍ଟମୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବ। ଯୋଗେଶ୍ୱର କୃଷ୍ଣଙ୍କ ଭଗବତ୍ ଗୀତା ପ୍ରାଚୀନ କାଳରୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ ହୋଇଆସୁଛି। ଜନ୍ମାଷ୍ଟମୀ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ବସବାସ କରୁଥିବା ଭାରତୀୟ ମଧ୍ୟ ପୂର୍ଣ୍ଣ ବିଶ୍ୱାସ ଏବଂ ଆସ୍ଥା ଓ ଉଲ୍ଲାସର ସହ ପାଳନ କରିଥାନ୍ତି।
ଶ୍ରୀ କୃଷ୍ଣ ନିଜର ଅବତାରକୁ ମଧ୍ୟରାତ୍ରିରେ ମଥୁରାରେ ଭାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀରେ ଜନ୍ମ ନେଇଥିଲେ ଅତ୍ୟାଚାରୀ କଂସ ରାଜାକୁ ମାରିବା ପାଇଁ। ସେଥିପାଇଁ ଭଗବାନ ନିଜେ ଏହି ଦିନ ଅବତାରିତ ହୋଇଥିଲେ, ତେଣୁ ଏହି ଦିନକୁ କୃଷ୍ଣ ଜନମାଷ୍ଟମୀ ଭାବରେ ପାଳନ କରନ୍ତି। ସେଥିପାଇଁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରା ସହର ଭକ୍ତିର ରଙ୍ଗରେ ପରିପୂର୍ଣ୍ଣ ହୁଏ।
ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗି ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି।
ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି ।ଉତ୍ତରପ୍ରଦେଶ ମଥୁରାର ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ।
ଗୁଜରାଟ ଦ୍ୱାରକରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମବଙ୍ଗ ଶ୍ରୀ ଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜମ୍ମୁ ଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।
ମହାରାଷ୍ଟ୍ର:
ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନେ ଲୋକେ ଦହି ହାଣ୍ଡି ନାମରେ ବେଶି ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲାପରେ ସେଥିରେଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ସହରର ବିଭିନ୍ନ ସ୍ଥାନରେ ହାଣ୍ଡିର ଆୟୋଜନ ବିଭିନ୍ନ ଗୋଷ୍ଠୀର ଲୋକମାନେ କରିଥାନ୍ତି ଓ ନବଯୁବକମାନେ ଏଥିରେ ଭାଗନେଇଥାନ୍ତି । ଏମାନଙ୍କୁ ଗୋବିନ୍ଦ ପାଠକକୁହାଯାଏ । ଏହି ଗୋବିନ୍ଦପାଠକମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡିଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ।
ଏମାନେ ପରସ୍ପରସହିତ ପ୍ରତିଦ୍ୱନ୍ଦୀତା କରିଥାନ୍ତି । କାରଣ ହାଣ୍ଡିଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ । କେତେକ ସ୍ଥାନରେ ଏହା ରାଜନୈତିକ ଅଭିସନ୍ଧିଯୁକ୍ତ ହୋଇଥାଏ । ମୁମ୍ବାଇର ଦରବାର, ଲୋୟର ପାରେଲ, ଓର୍ଲି, ମଜଗାଓଁ, ଲାଲବାଗ୍, ଥାଣେ ଓ ପୁଣେରେ ବାବୁ ଗେନୁ, ମଣ୍ଡାଇରେ ଆୟୋଜିତ ହାଣ୍ଡି ପ୍ରସିଦ୍ଧ । ଟଙ୍କା ଓ ଉପହାର ମିଳୁଥିବାରୁ ମୁମ୍ବାଇରେ ଆୟୋଜିତ ପାଖାପାଖି ୪୦୦୦ ହାଣ୍ଡିପାଇଁ ପ୍ରାୟ ୨୦୦୦ ଗୋବିନ୍ଦ ଦଳ ପ୍ରତିଯୋଗୀତା କରିଥାନ୍ତି ।
ମଣିପୁର:
ମଣିପୁର ଜନ୍ମାଷ୍ଟମୀ କୃଷ୍ଣଜନ୍ମନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲ ରେ ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କୃଷ୍ଣଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି ।
କର୍ଣ୍ଣାଟକ ଓ ତାମିଲନାଡୁ:
କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ । ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟାସମୟକୁ ଅନୁଷ୍ଠିତ ହୋଇଥାଏ ।
ଭାରତ ବାହାରେ: