31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ

ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବାର ୫ ମାସ ପରେ ବି ବିଭିନ୍ନ ସ୍ଥାନରେ ସରକାର ମୋବାଇଲ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଇଣ୍ଟରନେଟ୍ ବନ୍ଦ ଏବଂ ଅନ୍ୟାନ୍ୟ କଟକଣାର ତୁରନ୍ତ ସମୀକ୍ଷା କରିବାକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଇଣ୍ଟରନେଟ ଓ ବ୍ରଡ୍ ବେଣ୍ଡ ସେବା ବନ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ଆଜି ନିଜର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସରକାର ଦୀର୍ଘ ଦିନ ଧରି ଏଭଳି ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି । ଇଣ୍ଟରନେଟ ଏକ ମୌଳିକ ଅଧିକାର। ବିନା କାରଣରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ ।
କାଶ୍ମୀର ପାଇଁ ସରକାର ଏକ ସପ୍ତାହ ମଧ୍ୟରେ ସମସ୍ତ ପ୍ରତିବନ୍ଧାତ୍ମକ ଆଦେଶର ସମୀକ୍ଷା କରି ଇଣ୍ଟରନେଟ ସେବା ଯୋଗାଇ ଦେବେ । ସୁପ୍ରିମକୋର୍ଟ କହିଛନ୍ତି କଶ୍ମୀରରେ ଅନେକ ହିଂସା ହୋଇଛି । ଆମେ ସୁରକ୍ଷା ପ୍ରସଙ୍ଗ ସହ ମାନବାଧିକାର ଏବଂ ସ୍ୱତନ୍ତ୍ରତାକୁ ସନ୍ତୁଳିତ କରିବା ପାଇଁ ଚେଷ୍ଟା କରିବୁ । ଇଣ୍ଟରନେଟ ଉପରେ ଏକ ସମୟସୀମା ପର‌୍ୟ୍ୟନ୍ତ କଟକଣା ଲଗୁହେବା ଦରକାର । ଜଷ୍ଟିସ ଏନବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଜଷ୍ଟିସ ଆର ସୁବାଷ ରେଡ୍ଡୀ ଏବଂ ଜଷ୍ଟିସ ବିଆର ଗଭାଇ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ୍ ଅଛନ୍ତି ।
ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଜମ୍ମୁ କଶ୍ମୀରରେ ହିଂସା ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏହାର ଇତିହାସ ରହିଛି । ଆମେ ଲୋକଙ୍କ ଅଧିକାର ଏବଂ ସୁରକ୍ଷାକୁ ସନ୍ତୁଳନ କରି ରଖିବା ଉଚିତ । ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇବା ମଧ୍ୟ ଦରକାର । ହେଲେ ବିନା କାରଣରେ ଦୀର୍ଘ ଦିନ ଧରି ଲୋକଙ୍କୁ ମୌଳିକ ସେବାରୁ ବଞ୍ଚିତ କରିବା ଠିକ୍ ନୁହେଁ ।
୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଏହାପରେ ସୁରକ୍ଷା ଉପରେ ନଜର ରଖି ପ୍ରଶାସନ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ବ୍ୟବହାର ଉପରେ ରୋକ୍ ଲଗାଇଥିଲେ । ହେଲେ କିଛି ଦିନ ପରେ ଲ୍ୟାଣ୍ଡଲାଇନ୍ ଇଣ୍ଟରନେଟ୍ ସେବା ଏବଂ ପୋଷ୍ଟ ପେଡ୍ ସେବାର ଇଣ୍ଟରନେଟକୁ ଚାଲୁ କରିଥିଲା ପ୍ରଶାସନ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ଉତ୍ତର ରଖିବାକୁ ଯାଇ ରାଜ୍ୟସଭାରେ କହିଥିଲେ, ସୁରକ୍ଷା ପାଇଁ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପରେ ଇଣ୍ଟରନେଟ ସେବା ସକ୍ରିୟ ହେବ । ସରକାର ମଧ୍ୟ ଲୋକଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking