30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜମ୍ମୁ ଡ୍ରୋନ୍ ଆକ୍ରମଣ ମାମଲା, ସ୍ଥିତି ପରଖିଲେ ଏନ୍‌ଏସ୍‌ଜି ଓ ସିଆଇଏସ୍‌ଏଫ୍ ଡିଜି

ଜମ୍ମୁ ଡ୍ରୋନ୍ ଆକ୍ରମଣ ମାମଲା, ସ୍ଥିତି ପରଖିଲେ ଏନ୍‌ଏସ୍‌ଜି ଓ ସିଆଇଏସ୍‌ଏଫ୍ ଡିଜି

ଜମ୍ମୁ: ଜମ୍ମୁ ସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀଙ୍କ ଦ୍ୱାରା ଡ୍ରୋନ୍ ଆକ୍ରମଣର ଚାରି ଦିନ ବିତିଯାଇଥିଲେ ସୁଦ୍ଧା ତଦନ୍ତକାରୀ ଦଳ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନାହାନ୍ତି । ବୁଧବାରଠାରୁ ଏହାର ତଦନ୍ତଭାର ଏନ୍‌ଆଇଏ ଉପରେ ନ୍ୟସ୍ତ କରାଯାଇଛି । ଏନ୍‌ଆଇଏର ଉଚ୍ଚପଦସ୍ଥ ଅଧିକାରୀମାନେ ଇତିମଧ୍ୟରେ ବାୟୁସେନା ଘାଟିରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ ଆରମ୍ଭ କରିଛନ୍ତି ସତ, ତେବେ ଆକ୍ରମଣର ଖିଅ ଏପର୍ଯ୍ୟନ୍ତ ଠାବ କରିପାରିନାହାନ୍ତି । ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ବିମାନ ପାକିସ୍ତାନରୁ ଆସିଥିଲା କିମ୍ବା ଜମ୍ମୁ ସହରରୁ ଏହାକୁ ପରିଚାଳିତ କରାଯାଇଥିଲା, ତାହା ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇପାରିନାହିିଁ । ଏହି ପରିପେକ୍ଷୀରେ ଆତଙ୍କବାଦ ନିରୋଧ ସଂସ୍ଥା ଏନ୍‌ଏସ୍‌ଜି (ନ୍ୟାସନାଲ ସିକ୍ୟୁରିଟୀ ଗାର୍ଡ) ଓ ବିମାନଘାଟିଗୁଡିକର ସୁରକ୍ଷା ଦାୟିତ୍ୱ ତୁଲାଉଥିବା ସିଆଇଏସ୍‌ଏଫ୍ (କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ)ର ମହାନିର୍ଦ୍ଦେଶକ ଗୁରୁବାର ଜମ୍ମୁ ବାୟୁସେନା ଘାଟି ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

ସେମାନେ ବାୟୁସେନା ଘାଟିରେ କାର୍ଯ୍ୟରତ ଅଧିକାରୀ, ଜମ୍ମୁ-କଶ୍ମୀର ପୁଲିସର ପଦସ୍ଥ ଅଧିକାରୀଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ରବିବାର ରାତିରେ ଡ୍ରୋନ୍ ଆକ୍ରମଣ ହେବା ପରଠାରୁ ଜମ୍ମୁ ସହରରେ ଏକାଧିକ ଥର ଡ୍ରୋନ ବିମାନ ଉଡୁଥିବା ଲକ୍ଷ୍ୟ କରାଯାଇଛି । ତେବେ ନିରାପତ୍ତାରକ୍ଷୀମାନେ ଏହାକୁ ଗୁଳିକରି ଖସାଇବା ପୂର୍ବରୁ ଡ୍ରୋନ୍‌ଗୁଡିକ ଫେରିଯାଇଥିବା ପ୍ରସଙ୍ଗ ତଦନ୍ତକାରୀ ଦଳକୁ ଚିନ୍ତାରେ ପକାଇଛି । ଇତିମଧ୍ୟରେ ଜମ୍ମୁ ବାୟୁସେନା ଘାଟିରେ ଆଣ୍ଟି-ଡ୍ରୋନ ଓ ଜାମର ସିଷ୍ଟମ ଖଞ୍ଜାଯାଇଥିଲେ ସୁଦ୍ଧା ପୂର୍ବ ଆକ୍ରମଣ ସମ୍ପର୍କରେ କୌଣସି ସୁରାକ୍ ମିଳିପାରୁନାହିଁ ।  ମୋର୍ଟାର ଜରିଆରେ ଆକ୍ରମଣ କରାଯାଇଥାଇପାରେ ବୋଲି ପ୍ରଥମେ ଆଶଙ୍କା କରାଯାଉଥିଲା । ତେବେ ବିସ୍ଫୋରଣରେ କ୍ଷତିଗ୍ରସ୍ତ କୋଠାଘରକୁ ଯାଞ୍ଚ କରାଯିବାପରେ ଏହି ଆଶଙ୍କା ଦୂରୀଭୂତ ହେବାସହିତ ଡ୍ରୋନ୍ ବ୍ୟବହାର ନିଶ୍ଚିତ ହୋଇପଡିଛି । ୯୦ ଡିଗ୍ରୀ କୋଣରୁ ଆକ୍ରମଣ କରାଯାଇଥିବାର ପ୍ରମାଣିତ ହୋଇଛି । ବିସ୍ଫୋରକ ପଡିବାପରେ ଉକ୍ତ ଛାତରେ ଗର୍ତ୍ତ ସୃଷ୍ଟି ହେବାସହିତ ଠିକ୍ ଛାତ ତଳେ ଥିବା ଟେବୁଲ ଧ୍ୱଂସ ପାଇଛି ।

ଡ୍ରୋନ୍ ବିନା ଏଭଳି ୯୦ ଡିଗ୍ରୀ କୋଣରୁ ଆକ୍ରମଣ କୌଣସି ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି କୁହାଯାଇଛି । ତେବେ ଆକ୍ରମଣରେ ଡ୍ରୋନ୍‌ର ବ୍ୟବହାର ନିଶ୍ଚିତ କରିବାକୁ ବର୍ତ୍ତମାନ ବାୟୁସେନା ଘାଟିରେ ଥିବା ମୋବାଇଲ ଟାୱାର ଓ ଇଣ୍ଟରନେଟ୍ ତଥ୍ୟକୁ ବିଶ୍ଲେଷଣ କରାଯାଉଛି । ତେବେ ଏହି ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ଘଟଣାଦିନ ବାୟୁସେନା ଘାଟିର ସୁରକ୍ଷା ଦାୟିତ୍ୱରେ ଥିବା ପ୍ରହରାରତ ସେଣ୍ଟ୍ରିଙ୍କ ବୟାନକୁ ଜମ୍ମୁ-କଶ୍ମୀର ପୁଲିସ ଓ ଏନ୍‌ଆଇଏ ଅଧିକାରୀ ରେକର୍ଡ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଜଣେ ସେଣ୍ଟ୍ରି କହିଛନ୍ତି ଯେ ଅଜଣା ବସ୍ତୁର ଶବ୍ଦ ସେ ଶୁଣିଥିଲେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିସ୍ଫୋରଣ ଘଟିସାରିଥିଲା । ଫରେନସିକ୍ ଅଧିକାରୀମାନେ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀର ନମୁନା ସଂଗ୍ରହ କରିସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରିପୋର୍ଟ ଦେଇନାହାନ୍ତି ।

ତେବେ ବିସ୍ଫୋରଣ ପଛରେ ବିଶେଷଜ୍ଞଙ୍କ ହାତ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡୁଥିବା ଜଣେ ଅଧିକାରୀ କହିଛନ୍ତି । ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିବା ବିଶାରଦ ହିଁ ଏଭଳି ବିସ୍ଫୋରକ ଖଞ୍ଜିବାରେ ସମର୍ଥ ହୋଇପାରନ୍ତି ବୋଲି କୁହାଯାଇଛି । ପାକିସ୍ତାନୀ ସେନା ଓ ଆଇଏସଆଇ ସହାୟତାରେ ଲସ୍କର ଆତଙ୍କବାଦୀ ଏହି କାର୍ଯ୍ୟ ସମ୍ପାଦିତ କରିଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଦିଗହରା ହୋଇପଡିଥିବା ଜଣାପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking