ଜାମଦା ବିଡ଼ିଓଙ୍କ ଦୁର୍ନୀତିର ପର୍ଦ୍ଧାଫାସ ସାଙ୍ଗକୁ ଦୁର୍ବ୍ୟବହାରର ପ୍ରତିବାଦ

jamda BDO corruption scanadal

ମୟୁରଭଞ୍ଜ: ବିଶ୍ୱ ମହାମାରୀ କରୋନାର କାୟବିସ୍ତାରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଆଉ ଜାରୀ କରିଥିଲେ ସ୍ଵତନ୍ତ୍ର ଗାଇଡ଼ଲାଇନ। ଏହା ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ତଦାରଖ ପାଇଁ ପୋଲିସ ସହିତ ପ୍ରଶାସନିକ ଅଧିକାରୀମାନଙ୍କୁ ନିୟୋଜିତ କରିଥିଲେ। ଏହି ସମୟ ଗାଁ ଗହଳିର ଲୋକଙ୍କ ପାଇଁ କଷ୍ଟଦାୟକ ହୋଇଥିଲା ବେଳେ କିଛି ଅସାଧୁ ଅଧିକାରୀଙ୍କ ପାଇଁ ଫାଇଦାକାରୀ ସାବ୍ୟସ୍ତ ହୋଇଥିଲା ବୋଲି ସଙ୍ଗୀନ ଅଭିଯୋଗ ଆସିଛି। ସେହିପରି କରୋନାକୁ ଜାତୀୟ ବିପତ୍ତି ଘୋଷଣା କରାଇଥିବାରୁ ଏହାକୁ ସୁଯୋଗ ଭାବେ ଗ୍ରହଣ କରି ଭରପୂର ଫାଇଦା ଉଠାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବିଡ଼ିଓଙ୍କ ବିରୋଧରେ। ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଘେରୋରେ ଏବେ ଜାମଦା ବିଡ଼ିଓ। ଏତିକିରେ ମନମାନିଲାନି ସମୟ ଓ କ୍ଷମତାର ଦୁରୂପଯୋଗ କରି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇନଥିଲେ। ଏଥିରୁ ବର୍ତ୍ତିନଥିଲେ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି କି ବିଭିନ୍ନ ଦଳୀୟ କର୍ମକର୍ତ୍ତା ବୋଲି ଅଭିଯୋଗ କରି ସର୍ବଦଳୀୟ ଭାବେ ଏହାର ବିରୋଧ କରାଯାଇ ଆର୍ଥିକ ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବକ୍ତବ୍ୟରେ କହିଆସୁଛନ୍ତି ତାଙ୍କ ସରକାର ‘ନିର୍ମଳ ଶାସନ, ସ୍ୱଚ୍ଛ ପ୍ରଶାସନ’ ଦେଇ ଆସୁଛି। ସେହିପରି ‘ମୋ,ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ ବିଭାଗକୁ ସାମିଲ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେବା ସହିତ ବ୍ୟତିକ୍ରମ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ତାଗିଦ କରିଛନ୍ତି। ହେଲେ ଏସବୁକୁ ଖାତିର କରିନାହାନ୍ତି ଜାମଦା ବ୍ଲକ ବିଡ଼ିଓ।
କରୋନା ଲକଡାଉନ୍ ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ ସରକାର । କିନ୍ତୁ କୋଭିଡ-୧୯ ନିୟନ୍ତ୍ରଣ ପାଇଁଁ ସମ୍ଭାବ୍ୟ ଆକ୍ରାନ୍ତଙ୍କୁ ସଂଗରୋଧରେ ରଖିବା ପାଇଁ ସରକାରୀ ଭାବେ କରେନଟାଇମ ବ୍ୟବସ୍ଥା କରାଇଥିଲେ। କରେନଟାଇମ ଗୃହରେ ବେଡ୍, ତକିଆ, ମଗ, ବାଲଟି ଏବଂ ଖାଦ୍ୟର ବ୍ୟବସ୍ଥା କରିଥିଲେ। ଏହା ସାମୟିକ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚମାନଙ୍କ ଦାୟିତ୍ବରେ ଛାଡିଥିଲେ ସରକାର। କିନ୍ତୁ ଚତୁରତାର ସହ ନିଜ କ୍ଷମତାର ଦୁରୂପଯୋଗ କରି କିଛି ସରଞ୍ଜାମ ନ କିଣି ନାମକୁ ମାତ୍ର ଥରେ ଦୁଇଥର ଲୋକଙ୍କୁ ଶୁଖିଲାଖାଦ୍ୟ ଦେଇ ସରପଞ୍ଚମାନଙ୍କ ଆଖିରେ ଧୂଳି ଦେଇ ସବୁଟଙ୍କା ହଡ଼ପ କିରିଥିବା ଅଭିଯୋଗ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ସେହିପରି ଜାମଦା ବିଡ଼ିଓଙ୍କ ଦ୍ଵାରା କୈାଣସି ଉନ୍ନତିମୂଳକ କାର୍ଯ୍ୟ ଦେଖିବାକୁ ମିଳିଲା ନାହିଁ ବୋଲି ଗମ୍ଭୀର ଅଭିଯୋଗ କରିଛନ୍ତି ଜନସାଧାରଣ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ କି ବିଜୁପକାଘର ଯୋଜନାର ଗୃହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ଅବଧି ମଧ୍ୟରେ ସମ୍ପୁର୍ଣ୍ଣ କରି ପ୍ରୋତ୍ସାହନଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। କରୋନା ମୁକାବିଲା କରିବାକୁ ସାଧାରଣ ଲୋକଙ୍କୁ ମାଗଣାରେ ଚାଉଳ, ଡାଲି, ବୁଟ ସରକାର ଯୋଗାଇ ଦେଉଥିବା ବେଳେ ଏହି ସହାୟତା ପାଇବାରୁ ବଞ୍ଚିତ ଗରିବ ହିତାଧିକାରୀମାନେ ବିଡ଼ିଓଙ୍କୁ କହିବାରୁ ଲୋକଙ୍କୁ ଲାଠି ଦେଖାଇ ଅଫିସରୁ ତଡି ଦେଇଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ଏପରିକି ବିଡ଼ିଓ ମହାଶୟ ପୋଲିସ ବଦଳରେ ନିଜେ ଲାଠି ଧରି ଜନସାଧାରଣଙ୍କୁ ମାଡ଼ ମାରିବା ସୂଚନା ହସ୍ତଗତ ହୋଇଛି। ଏନେଇ ସ୍ଥାନୀୟ ଜନସାଧାରଣ ଏବଂ ନିର୍ବାଚିତ ଲୋକପ୍ରତିନିଧିମାନେ ଲିଖିତ ଅଭିଯୋଗ କରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଜଣାଇ ଜନସେବକ ଭାବେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାର ଦାୟିତ୍ବବହନ କରୁଥିବା ବେଳେ ନିଜ ଦାୟିତ୍ବ ଭୁଲି ସେବା ବଦଳରେ ହିଟଲର ସାଜି ଶାସନ ଚଳାଇ ନିରୀହ ଲୋକ ଏବଂ ଲୋକ ପ୍ରତିନିଧିମାନଙ୍କୁ ଠକାଇ ମାନସିକ ଆଘାତ ଦେଇଥିବାରୁ ସମ୍ପୃକ୍ତ ବିଡ଼ିଓଙ୍କ ବିରୋଧରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯଦି ୭ ଦିନ ମଧ୍ୟରେ ଏହାର ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ସହ ବିଡିଓଙ୍କ ବଦଳି କରାନଯାଏ ତେବେ ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ ଏବଂ ସର୍ବଦଳୀୟ ଭାବେ ରାଜରାସ୍ତାକୁ ଓହ୍ଲୋଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here