ଯୁବକମାନେ ମିଶି ନିଜେ ନିଜ ଗ୍ରାମକୁ କଲେ ରାସ୍ତା ନିର୍ମାଣ

ଯାଜପୁର: ଯାଜପୁର ଜିଲ୍ଳା ସୁକିନ୍ଦା ନିର୍ବଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମ ପଞ୍ଚାୟତର ନିମପଲ୍ଲୀ ଗ୍ରାମର ଯୁବକମାନେ ମିଶି ନିଜେ ନିଜ ଗ୍ରାମକୁ ରାସ୍ତା ନିର୍ମାଣ କରି ଆଖ ପାଖ ଅଞ୍ଚଳରେ ସାବାସ୍ ନେଇଛନ୍ତି । ଗ୍ରାମକୁ ୩୦/୩୫ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଅଧା ଗଳିଆ ରାସ୍ତା ମୁଖ୍ୟ ସଡ଼କରୁ ଗ୍ରାମକୁ ଯାଇଛି । ଏହି ରାସ୍ତାକୁ ଚଉଡ଼ା କରିବା ପାଇଁ ଗ୍ରାମବାସୀମାନେ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିଲେ । ଭୋଟ ସମୟରେ ନେତା ମନ୍ତ୍ରୀମାନେ ଭାଷଣବାଜି ମାରି ଗ୍ରାମକୁ ରାସ୍ତା ବିଜୁଳି, ପାଣି ଯୋଗାଇ ଦେବାର ବାହାସପଟ ମାରି ଭୋଟ ହାତେଇ ଥା’ନ୍ତି । ହେଲେ ସେମାନଙ୍କ କଥା କେହି ନ ଶୁଣିବାରୁ ଗ୍ରାମର ଯୁବକମାନେ ଏକାଠି ହୋଇ ରାସ୍ତା କିପରି ତିଆରି ହେବ ତାହାର ସମାଧାନ ବାଟ ବାହାରି କରିଥିଲେ ।
ଗ୍ରାମକୁ ସ୍କୁଲ୍ ବସ୍‌, ଆମ୍ବୁଲାନ୍ସ ଗାଡ଼ି ଆସିବା ବଡ଼ କଷ୍ଟ ହୋଇ ପଡୁଥିଲା ଅଧା ଗଳିଆ ରାସ୍ତା ପାଇଁ । ତେଣୁ ଗ୍ରାମର ସମସ୍ତ ଯୁବକମାନେ ଗତ ମଂଗଳବାର ଦିନ ଏକାଠି ହୋଇ ସାଙ୍ଗରେ କୋଡି, ଫାଉଡ଼ା ଓ ଜେସିବି ମେସିନ୍ ଡ଼କାଇ ରାସ୍ତା ନିର୍ମାଣ କରିଥିଲେ । ଏହି ଗ୍ରାମର ଯୁବକ ହେମନ୍ତ ମୁଦୁଲି (ନାଣ୍ଡୁ), କହନ୍ତି ଆମ ଅଂଚଳର ବିଧୟକ ମହାଶୟ ଓ ପ୍ରଶାସନ ଆମ ଦୁଃଖ ଶୁଣିଲେ ନାହିଁ । ମାନ୍ୟବର ନବୀନ ବାବୁ ଦେଖନ୍ତୁ ତାଙ୍କ ଶାସନ କାଳରେ ଗାଁକୁ ଖଣ୍ଡେ ରାସ୍ତା ହୋଇପାରୁନାହିଁ । ଓଡିଶା ସରକାରଙ୍କର ଏତେ ନିୟମ ଥାଇ ମଧ୍ୟ ନିମପଲ୍ଲୀ ଗ୍ରାମର ରାସ୍ତାରେ ୩୦ବର୍ଷ ଧରି ମହରମ୍ ମୁଠେ ପଡ଼ିପାରିଲା ନାହିଁ । ନେତା ମନ୍ତ୍ରୀମାନେ ମୋ ସୁକିନ୍ଦା ମୋ ସୁକିନ୍ଦା ବୋଲି ଏତେ ବୋବଉଛନ୍ତି ହେଲେ କାମ ବୋଲି ନାଁ ଗନ୍ଧ ନାହିଁ । କେନ୍ଦ୍ର ସରକାରଙ୍କର ସହର ରୁ ଗ୍ରାମ ଏବଂ ଗ୍ରାମରୁ ସହରକୁ ପକ୍କା ସଡ଼କ ଗମନାଗମନର ଏତେ ସୁବିଧା ଥାଇ ମଧ୍ୟ କଳିଙ୍ଗ ନଗର ଶିଳ୍ପାଞ୍ଚଳର ନାକ ତଳେ ଥିବା ନିମପଲ୍ଲୀ ଗ୍ରାମକୁ ଦୀର୍ଘ ୩୦ବର୍ଷ ଧରି ଖଣ୍ଡେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ରାସ୍ତା ନିର୍ମାଣରେ ରଞ୍ଜିତ୍ ମୁଦୁଲି, ସୁଧାକର ଭୁୟାଁ, ବାଦଲ ବଳ, ସିକୁନ ମୁଦୁଲି, ରୂପେଶ ମୁଦୁଲି, ପ୍ରଦୀପ ବଳ, ଆଲୋକ ବଳ, ସୁଭେନ୍ଦୁ ମୁଦୁଲି, ମହେନ୍ଦ୍ର ବଳ, ମୁନୁ ମୁଦୁଲି, ବିଭୁତି ବଳ, ମିନକେତନ ଆଏଚ, ବିରଞ୍ଚି ଭୁୟାଁ, କୁଲୁ ମୁଦୁଲି, ତାପସ ମୁଦୁଲି ଓ ସୁଶାନ୍ତ ମୁଦୁଲି ମିଶି ରାସ୍ତା ନିର୍ମାଣ କରିଥିଲେ ।