ଯାଜପୁର : ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ କୋଟ୍ରାକ୍ଷୀ ଦେବୀଙ୍କ ଦୁର୍ଲ୍ଲଭ ଅଷ୍ଟଧାତୁ ମୂର୍ତ୍ତି ଚୋରିର ଛ’ ଦିନ ପରେ ଆଜି ସକାଳେ ସ୍ଥାନୀୟ ବଜାରର ଦର୍ପଣ-ବଡ଼ଚଣା ପୂର୍ତ ବିଭାଗ ରାସ୍ତା କଡ଼ରେ ଦେବୀଙ୍କ ଶ୍ରୀଅଙ୍ଗରେ ପରିଧାନ କରାଯାଇଥିବା ଏକ କଳା ରଙ୍ଗର ଶାଢ଼ୀ ପଡ଼ିଥିବା ଦେଖିବାକୁ ମିଳିଥିଲା । ଚୋରିରେ ସଂପୃକ୍ତ ଦୁର୍ବୃତ୍ତମାନେ ଗତକାଲି ରାତିରେ ହିଁ ଏହାକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରି ଗ୍ରାମବାସୀ ବଡ଼ଚଣା ପୋଲିସକୁ ଅବଗତ କରାଇଥିଲେ । ଥାନା ଅଧିକାରୀ ଜଗତସିଂହପୁର ଜିଲ୍ଲା ପୋଲିସ୍ ମୁଖ୍ୟାଳୟରୁ ଅପରାହ୍ନରେ ଏକ ସନ୍ଧାନୀ କୁକୁର ଆଣି ତା ସହାୟତାରେ ଦୂର୍ବୁର୍ତ୍ତଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମିତି କିଛି ସଫଳତା ମିଳିପାରିଲା ନାହିଁ । କୁକୁର ଶାଢ଼ୀରୁ ଗନ୍ଧ ବାରି ଦୋଳମୁଣ୍ଡାଇ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ଲକ୍ଷ୍ମୀ ଘର ବାରଣ୍ଡାରେ ବୁଲି ଆସି ଏକ ଠାକୁରାଣୀ ମଣ୍ଡପ ନିକଟରେ ଶୋଇ ରହିଥିଲା। ଆଜି ପ୍ରାପ୍ତ ଶାଢ଼ୀକୁ ଆୟୁଧ କରି ପୋଲିସ୍ ଚୋରି ଦେବୀ ମୂର୍ତ୍ତି ଉଦ୍ଧାର ସହ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗ୍ରାମବାସୀ ମାନଙ୍କ ମଧ୍ୟରେ ଦିନ ତମାମ ଯେଉଁ ଉତ୍କଣ୍ଠା ପ୍ରକାଶ ପାଇଥିଲା ସେମିତି କିଛି ନ ହେବା ଯୋଗୁଁ ତାହା ସେମାନଙ୍କୁ ଅତ୍ୟନ୍ତ ନିରାଶ କରି ଦେଇଛି । ପୋଲିସ ତଦନ୍ତ ର ସିଥିଳତା ଯୋଗୁ ଜନଅଶୋନ୍ତୋଷ ପ୍ରକାଶ ପାଇଛି l