26.1 C
Bhubaneswar
Friday, March 29, 2024
Homeଓଡିଶାଓସିଏଲ୍ ସିମେଣ୍ଟ କାରଖାନାରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡ଼ି ଚାଲିଥିବା ବେଳେ କର୍ତ୍ତୃପକ୍ଷ...

ଓସିଏଲ୍ ସିମେଣ୍ଟ କାରଖାନାରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡ଼ି ଚାଲିଥିବା ବେଳେ କର୍ତ୍ତୃପକ୍ଷ ଓ ପ୍ରଶାସନ ବେଫିକର

ଯାଜପୁର (ଓଏନଏ): କଟକ ଓ ଯାଜପୁର ଜିଲ୍ଲା ସୀମାରେ ବିଶ୍ୱାଳୀ ଓ ଅମିୟଝରୀ ମୌଜାରେ ସ୍ଥାପିତ ଡାଲମିଆ(ଭାରତ) ସିମେଣ୍ଟ ଗ୍ରୁପର କପିଳାସ ସିମେଣ୍ଟ କାରଖାନା (ଓସିଏଲ୍) ପରିସରରେ ହୁ ହୁ ହୋଇ ମାଡ଼ି ଗଲାଣି କୋଭିଡ୍ ସଂକ୍ରମଣ । କିନ୍ତୁ ସେଥିପ୍ରତି ଉଭୟ କଟକ ଓ ଯାଜପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ବେଫିକର ରହି ଆସିଥିବା ପରି ଅନୁଭବ ହେଉଛି । ଇତିମଧ୍ୟରେ ସେଠାରୁ ମୋଟ ୭୩ ଜଣ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଲେଣି । ଗତ ଅପ୍ରେଲ ୮ ତାରିଖରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ବାରା ସେହି କାରଖାନା ପରିସରରେ ପ୍ରସ୍ତୁତ ଓ ପରିଚାଳିତ ଏକ କୋଭିଡ୍ କେୟାର ସେଣ୍ଟରରେ ସମସ୍ତ ଆକ୍ରାନ୍ତଙ୍କୁ ପୃଥକ୍ ବାସରେ ରଖି ଚିକିତ୍ସା ବ୍ୟବସ୍ଥା କରାଉଥିଲେ ହେଁ ସେଠାରୁ ଏତେ ସଂଖ୍ୟାରେ ଆକ୍ରାନ୍ତ ଯେ ଚିହ୍ନଟ ହେବେ ତାହା କାରଖାନା କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ବାହାରେ ଥିବାରୁ ପ୍ରସ୍ତୁତ କୋଭିଡ୍ କେୟାର ସେଣ୍ଟରରେ ସମସ୍ତଙ୍କ ପାଇଁ କିନ୍ତୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇ ପାରି ନ ଥିଲା ! ତେଣୁ ଯେଉଁ କୋଭିଡ୍ କେୟାର ସେଣ୍ଟର ପରିଚାଳିତ ହେଉଛି କୋଭିଡ୍ ନିୟମ ଅନୁସାରେ ସେଠାରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ରଖିବା ଯୋଗୁଁ ସ୍ଵାଭାବିକ ଭାବେ ପରସ୍ପର ଆକ୍ରାନ୍ତଙ୍କ ମଧ୍ୟରେ ଆବଶ୍ୟକ ଦୂରତ୍ବ ରକ୍ଷା କରିବାରେ ଅବ୍ୟବସ୍ଥା ଦେଖାଯାଇଥିବା ଅଭଯୋଗ ହେବା ଯୋଗୁଁ ସେଠାରେ ଏବେ ଆଉ ମାତ୍ର ୧୦ ଜଣଙ୍କୁ ରଖି ବାକି ପ୍ରାୟ ୫୦ ଜଣଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିଜ ନିଜ ଘରକୁ ଛାଡ଼ି ଦିଆଯାଇଛି । ଫଳରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାରେ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଗୁରୁତରଙ୍କୁ ମଧ୍ୟ ଚିକିତ୍ସା ପାଇଁ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ତନ୍ମଧ୍ୟରୁ କାରଖାନାରେ ପରିଚାଳକ ରୂପେ କାର୍ଯ୍ୟରତ ଅନ୍ୟ ଜିଲ୍ଲାର ଜନୈକ ଯୁବ ଇଞ୍ଜିନିୟର ଗତ ୭ତାରିଖରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ୧୫ କର୍ମଚାରୀ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହେଲେ ନିର୍ଦ୍ଦିଷ୍ଟ ଏକ କ୍ଷୁଦ୍ର ପରିସର ଅଞ୍ଚଳରୁ ଏକାଥରକେ ଯେତେବେଳେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେତେବେଳେ ସେଠାରେ ଏଭଳି ଅବ୍ୟବସ୍ଥା ଥିବା ସତ୍ୱେ କାରଖାନା କର୍ତ୍ତୃପକ୍ଷ ଏଥିପ୍ରତି ହେୟଜ୍ଞାନ ହୋଇ ଉତ୍ପାଦନ ଓ ପରିବହନ କାର୍ଯ୍ୟକୁ ବନ୍ଦ ରଖିଲେ ନାହିଁ କି ପରିବହନ କାର୍ଯ୍ୟ ଜାରି ରହିଥିବାରୁ ବାହାର ଲୋକଙ୍କ ପରିସର ମଧ୍ୟକୁ ପ୍ରବେଶ କରିବା ଉପରେ ବି ଆଦୌ ବାରଣ ରହିଲା ନାହିଁ ଏବଂ କୌଣସି କଟକଣା ନ ରହିବାରୁ କାରଖାନା ଭିତରର ଲୋକେ ମଧ୍ୟ ବାହାରକୁ ଯାଇ ଖୁଲମଖୁଲା ବୁଲିଲେ । ଫଳରେ ସ୍ଵାଭାବିକ ଭାବେ ସଂକ୍ରମଣ ବୃଦ୍ଧି ପାଇ ଯେତେବେଳେ ଅଣାୟତ ହୋଇ ପଡ଼ିଲା ସେତେବେଳେ ଯାଇ ଚେତା ପଶିଲା ଏବଂ ଗତ ମଙ୍ଗଳବାରଠାରୁ କାରଖାନାକୁ ବନ୍ଦ କରିବା ସହ ପରିସରକୁ ସାନିଟାଇଜ୍ କରିବାକୁ କାରଖାନା କର୍ତ୍ତୃପକ୍ଷ ଆବଶ୍ୟକତା ମନେ କଲେ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସରକାରଙ୍କ କଟକଣା ଅନୁଯାୟୀ ଅଦ୍ୟାବଧି କାରଖାନାକୁ କଣ୍ଟେନମେଣ୍ଟ କରା ନ ଯିବା ଯୋଗୁଁ କାରଖାନାରେ କାର୍ଯ୍ୟରତ ଅନ୍ୟ ଶ୍ରମିକ ଓ କର୍ମଚାରୀଙ୍କ ସମେତ କାରଖାନା ପରିସର ଭିତରେ ଷ୍ଟାଫ୍ କ୍ୱାର୍ଟରରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଏବେ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ସେଠାରେ କାର୍ଯ୍ୟରତ ଯେଉଁ କର୍ମଚାରୀ ମାନେ ଆକ୍ରାନ୍ତ ଚିହ୍ନଟ ହୋଇ ନିଜ ନିଜ ଘରେ ବା ଆଉ ଯେଉଁମାନେ ପଡୋଶୀ ଅଞ୍ଚଳରେ ଭଡ଼ା ଘରେ ଗୃହ ସଙ୍ଗରୋଧରେ ଅଛନ୍ତି ସେମାନଙ୍କ ପରିବାର ଲୋକେ ବଜାର ହାଟକୁ ନିର୍ବିଘ୍ନରେ ଯିବା ଦ୍ଵାରା ତାହା ଆହୁରି ବଡ଼ ବିପଦକୁ ସତେ ଯେମିତି ନିମନ୍ତ୍ରଣ କରୁଥିବା ଆଶଙ୍କା କରାଯାଉଛି । ଆଜି ପୁଣି ଆହୁରି କିଛି ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାବ୍ ନମୁନା ସଂଗ୍ରହ ହୋଇଥିବା ବେଳେ ଆଗକୁ ମଧ୍ୟ ବାକି କର୍ମଚାରୀଙ୍କ ପରୀକ୍ଷା କରାଯିବାକୁ ରହିଛି । ତେଣୁ ସେଥିରୁ ଆହୁରି ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ! ଏଭଳି ସ୍ଥିତିରେ କେବଳ ମାତ୍ର ଗୋଟିଏ ସପ୍ତାହ ପାଇଁ କାରଖାନାକୁ ବନ୍ଦ ରଖି ବିପଦ ନ ଟଳୁଣୁ ଆସନ୍ତା ୧୯ ତାରିଖଠାରୁ ପୁଣି ଚାଲୁ କରିବା ପାଇଁ କର୍ତ୍ତୃପକ୍ଷ ଯୋଜନା ଆରମ୍ଭ କରିଦେବା ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି । ଏଠାରେ ପରିସ୍ଥିତି ଜଟିଳ ରହିଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଓ ପ୍ରଶାସନ କିନ୍ତୁ ତାହାକୁ ଅତ୍ୟନ୍ତ ହାଲକା ଭାବେ ନେଇ ସେଭଳି କୌଣସି ପଦକ୍ଷେପ ନ ନେଇ ଯେଭଳି ବେଫିକର ରହି ଆସିଛନ୍ତି ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ତେଣୁ ଆଗକୁ କୌଣସି ଅଘଟଣ ଘଟିବା ପୂର୍ବରୁ କଟକ ଓ ଯାଜପୁର ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଏଠାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking