34.1 C
Bhubaneswar
Friday, March 29, 2024
Homeଓଡିଶାଅବ୍ୟବସ୍ଥା ଘେରରେ ଜଗତସିଂହପୁର ସଦରମହକୁମା ଚିକିତ୍ସାଳୟ

ଅବ୍ୟବସ୍ଥା ଘେରରେ ଜଗତସିଂହପୁର ସଦରମହକୁମା ଚିକିତ୍ସାଳୟ

ଆଳିପିଙ୍ଗଳ : ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ମଚାରୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ ଏବେ ବି ବହୁ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ରହିଛି । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ଜଗତସିଂହପୁର ସଦରମହକୁମା ମୁଖ୍ୟ ଚିକିତ୍ସାଳୟ । ବିଭିନ୍ନ ସମସ୍ୟା ଭିତରେ ଗତି କରୁଥିବା ଏହି ଚିକିତ୍ସାଳୟ ପ୍ରତି କାହାର ନଜର ନପଡ଼ିବା ଅତି ପରିତାପର ବିଷୟ ପାଲଟଛି ।
ସୂଚନା ଅନୁଯାୟୀ, ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ୱାର୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ପ୍ରଦାନ ସହ ସ୍ଥାନ ନିରୂପଣ ସତ୍ତ୍ୱେ ଅଦ୍ୟାବଧି ତାହା ହୋଇପାରୁନାହିଁ । ଯାହା ଜିଲ୍ଲା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଦର ମହକୁମା ଚିକିତ୍ସାଳୟରେ ସରକାରୀସ୍ତରରେ ଶଯ୍ୟା ସଂଖ୍ୟା ୧୨୬ ଥିବା ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨ଶହ ଶଯ୍ୟାରେ ରୋଗୀ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସତ୍ତ୍ୱେ ବି ଦୈନଦିନ ରୋଗୀମାନେ ଦୟନୀୟ ଅବସ୍ଥାରେ ତଳେ ପଡ଼ି ଚିକିତ୍ସିତ ହେବା ଏଠାରେ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣି ବଡି ମାତୃ ଓ ଶିଶୁ ୱାର୍ଡ ସମ୍ପର୍କରେ ବାରମ୍ବାର ଆଲୋଚନା କରୁଥିବା ସ୍ଥଳେ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ସମୟନେଇ ନିରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହୋଇଛି । ସଦରମହକୁମା ଚିକିତ୍ସାୟରେ ଯେଉଁମାନେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଭାବେ ନିଯୁକ୍ତି ପାଉଛନ୍ତି ସେମାନେ ୬ମାସ କିମ୍ବା ୧ବର୍ଷ ମଧ୍ୟରେ ଅନ୍ୟତ୍ର ବଦଳି ହେଉଛନ୍ତି । ଏହି ଯୋଜନା ଏନ୍‌ଏଚ୍‌ଏମ୍ ଜରିଆରେ ହେଉଥିବାରୁ ଡିପିଏମ୍ କୌଣସି କାର୍ଯ୍ୟକ୍ରମ ଆଗକୁ ନନେଇ କେବଳ ତାଲିମ ଜରିଆରେ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସଦାସର୍ବଦା ଶୂନ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଅପରପକ୍ଷେ ଜଗତସିଂହପୁର ସଦର ମହକୁମା ଚିକିତ୍ସାଳୟରେ ୫୮ଜଣ ଡାକ୍ତର ପଦବୀ ଥିବାବେଳେ ଏବେ ମାତ୍ର ୨୨ଜଣ କାର୍ଯ୍ୟ କରୁଥିବା ସରକାରୀସ୍ତରରୁ ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତର ସଦରମହକୁମା ଚିକିତ୍ସାଳୟରେ ରୋଗୀସେବା କରିବା ପରିବର୍ତ୍ତେ ବିଭିନ୍ନ ଘରୋଇ ନର୍ସିଂହୋମ ଓ କ୍ଲିନିକ୍‌ରେ ସମୟ ଦେଉଥିବା ଅନେକ ନଜିର ରହିଛି । ସାମାନ୍ୟ ରୋଗ ପାଇଁ ଏଠାର କାର୍ଯ୍ୟରତ ଡାକ୍ତର ରୋଗୀମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ଏଠାରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଅତ୍ୟାଧୁନିକ ଅସ୍ତ୍ରପଚାର ଉପକରଣ ଏଠାରେ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଏଠାରେ କାର୍ଯ୍ୟରତ ଷ୍ଟାଫନର୍ସ ଓ ଏଏନଏମ ପୋଷ୍ଟ୍ ବହୁତ କମ୍ । ୧୦୦ରୁ ଉର୍ଦ୍ଧ୍ୱ ପଦବୀ ଦୀର୍ଘ ଦିନହେଲା ଏଠାରେ ଖାଲି ପଡ଼ିଛି । ଷ୍ଟାଫନର୍ସ ଓ ଏଏନ୍‌ଏମ୍ ନିଯୁକ୍ତି ପାଇଁ ଦୀର୍ଘଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନର ଅପାରଗତା ଯୋଗୁଁ ଏପର୍ଯ୍ୟନ୍ତ ଜଣେ ହେଲେ ବି ଷ୍ଟାଫନର୍ସ ଓ ଏଏନଏମ ନିଯୁକ୍ତି ପାଇନଥିବା ଅଭିଯୋଗ ହୋଇଛି ।
ସେହିପରି ରୋଗୀକଲ୍ୟାଣ ସମିତି ପକ୍ଷରୁ ଦୈନଦିନ କେଉଁ ଡାକ୍ତର କେତେବେଳେ ଡ୍ୟୁଟି କରିବେ ତାଙ୍କର ନାମ ଓ ଫୋନ ନମ୍ବର ନୋଟିସ ବୋର୍ଡରେ ମାରିବା ପାଇଁ ନିଷ୍ପତ୍ତି ହୋଇଥିବା ସ୍ଥଳେ ତାହା ଏ ପର୍ଯ୍ୟନ୍ତ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏହି ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବିଭାଗରେ ବହୁ କର୍ମଚାରୀ ଓ କିରାଣୀ ଆଦୌ ଡ୍ୟୁଟି କରୁନଥିବା ସ୍ଥଳେ ସେମାନେ ଘରେ ବସି ମାସିକ ଦରମା ପାଉଥିବା ଅଭିଯୋଗ ହୋଇଛି । ୫-ଟି ଟିମ ପକ୍ଷରୁ ଯଦି ଜଗତସିଂହପୁର ସଦରମହକୁମା ଚିକିତ୍ସାଳୟରେ ଅଚାନକ ଚଢଉ କରାଯାଏ,ତେବେ ଏହି ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, କିରାଣୀ ଓ ଅନେକ କର୍ମଚାରୀଙ୍କ ଅସଲମୁଖା ଖୋଲିଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ ନିରାମୟ ମେଡିସିନ ଷ୍ଟକ୍ ରୁମ୍‌ରେ ଜଣେ କର୍ମଚାରୀ କିପରି ଭାବେ ୨୦ବର୍ଷରୁ ଊର୍ଦ୍ଧ୍ୱ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟ କରିଆସୁଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏଠାରେ ଦିନେ ଜିଲ୍ଲାପାଳ ଥିବା ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ୟାମିନୀ ଷଢଙ୍ଗୀ ଓ ଗୁହାପୁନମ ତାପସକୁମାର ପ୍ରମୁଖ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଚବଦବୀରେ ଥାଇ ମଧ୍ୟ କେହି ଜଣେ ହେଲେ ବି ପଦାଧିକାରୀ ଏହି ଚିକିତ୍ସାଳୟର ସମସ୍ୟା ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଦୃଢ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking