ଜଗତସିଂହପୁର : ବିରିଡ଼ି ବ୍ଲକ ଅଢଙ୍ଗ ମଜୁରାଇ ପଞ୍ଚାୟତ ଅନ୍ତର୍ଗତ ତାତରାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନୀୟ ନଳିନୀ ଦେବୀ ବିଦ୍ୟାପୀଠରେ ମିଶ୍ରଣ ପ୍ରସ୍ତାବକୁ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରିଛନ୍ତି । ଏପରିକି ଗ୍ରାମର କିଛି ମହିଳା ଶିକ୍ଷକଙ୍କୁ ତାଲା ପକାଇ ଧାରଣା ଦେଇଥିଲେ । ପୂର୍ବରୁ ସ୍କୁଲ ମିଶ୍ରଣ ପ୍ରସ୍ତାବକୁ ବିରୋଧ କରି ଗ୍ରାମବାସୀ ବିଇଓ, ଜିଲ୍ଲାପାଳ ଓ ଅନ୍ୟ ଉଚ୍ଚପଦାଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବୁଧବାର ବିଦ୍ୟାଳୟ ଖୋଲିବା ମାତ୍ରେ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସେଖ ମନସଫ ଅଲ୍ଲି ଓ ଜଣେ ଦୃଷ୍ଟି ବାଧିତ ଶିକ୍ଷୟିତ୍ରୀ ପୁଷ୍ପଲତା ସ୍ୱାଇଁ ବିଦ୍ୟାଳୟରେ ପଶିବା କ୍ଷଣି ମହିଳାମାନେ ସେମାନଙ୍କୁ ଭିତରେ ରଖି ବାହାର ଗେଟରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ସେମାନଙ୍କ ଏହି ତାଲା ବନ୍ଦ ଧାରଣା ପ୍ରାୟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଚାଲିବା ପରେ ଘଟଣା ସ୍ଥଳରେ ଏବିଇଓ କନକଲତା ଦାଶ, ସରପଞ୍ଚଙ୍କ ପ୍ରତିନିଧି ତୃପ୍ତିରଞ୍ଜନ ରାୟ ଓ ପୁଲିସ କର୍ମଚାରୀ ପହଞ୍ଚି ଧାରଣାରତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୨ ତାରିଖ ଦିନ ଜିଲ୍ଲାପାଳଙ୍କ ବୈଠକରେ ଏହି ବିଦ୍ୟାଳୟର ସମସ୍ୟା କଥା କୁହାଯିବ ବୋଲି ଏବିଇଓ କନକଲତା ଦାଶ କହିବା ସହ ସେମାନଙ୍କ ଠାରୁ ଏକ ଦାବିପତ୍ର ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।