26.1 C
Bhubaneswar
Friday, March 29, 2024
Homeଓଡିଶାବିନା ମାଟିରେ ଚାଷ

ବିନା ମାଟିରେ ଚାଷ

ଜଗତସିଂହପୁର : ଜଗତସିଂହପୁର ପୌରାଞ୍ଚଳ ଅଧୀନସ୍ଥ ସୁଜଙ୍ଗ ଗ୍ରାମର ଆଶିଷ ମହାନ୍ତି । ପିତା ନରୋତ୍ତମ ମହାନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ମାତା କିରଣବାଳା ମହାନ୍ତି ଜଣେ ଗୃହିଣୀ ଅଟନ୍ତି । ତିନି ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଆଶିଷ । ଜଗତସିଂହପୁର ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିଏସ୍‌ଏସ୍‌ୟୁଟି) ରସାୟନ ବିଜ୍ଞାନରେ ଏମ୍‌ଏସ୍‌ସି କରିଛନ୍ତି । ଏହାପରେ ହାଇଦ୍ରାବାଦ୍‌ରେ ଏସିଆନ୍ ପେଣ୍ଟ କମ୍ପାନୀରେ ପ୍ରଡକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ମୋଟା ଅଙ୍କର ଦରମା ପାଉଥିଲେ ବି ନିଜ ଜନ୍ମମାଟିରେ କିଛି ନା କିଛି କରିବା ପାଇଁ ପ୍ରୟାସ କରୁଥିବା ଆଶିଷ ହାଇଡ୍ରୋପୋନିକ୍ ଚାଷ ସମ୍ପର୍କରେ ଜାଣିବା ପରେ ଜ୍ଞାନ ଆହରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ହାଇଦ୍ରାବାଦ୍‌ରେ ପ୍ରଜ୍ଞା ପାରମିତା ସାହୁ ନାମ୍ନୀ ଜଣେ ବନ୍ଧୁ ସହ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ତାଲିମ ନେବା ପରେ କମ୍ପାନୀରୁ ଛୁଟି ଆଣି ଘରକୁ ଆସି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୯ ମସିହା ଶୀତ ଦିନେ ପ୍ରଥମଥର ପାଇଁ ନିଜର ଛାତ ଉପରେ ପରୀକ୍ଷାମୂଳକ ଭାବେ ୮୦୦ ବର୍ଗ ଫୁଟ୍‌ରେ ୨୪୦୦ ଲିଫ୍ ଭେଜିଟେବୁଲ୍ ଏବଂ ଏକଜୋଟିକ୍ ଭେଜିଟେବୁଲ୍ ଗଛ ଲଗାଇଥିଲେ । ଏଥିରେ ଲିଫ୍ ଭେଜିଟେବୁଲ୍ ଲାଟୁସ୍‌, ସିଲେରୀ, କେଲ୍‌, ପକଚୟ, ବେସିଲ୍ ଏବଂ ଏକଜୋଟିକ୍ ଭେଜିଟେବୁଲ– ବେଲ୍ ପେପର, ବ୍ରୋକଲି ଓ ଚେରି ଟମାଟୋ ଚାଷ କରିଥିଲେ । ଏଥିରେ ସଫଳ ହେବା ଓ ବଜାରରେ ଏହାର ଚାହିଦା ଆଶିଷଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦେଇଥିଲା । ଫଳରେ ଚାକିରି ଛାଡ଼ି ନିଜର ସ୍ୱତନ୍ତ୍ର ଫାର୍ମ ହାଇଡ୍ରୋ ଭ୍ୟାଲି ପ୍ରସ୍ତୁତ କରିଥିଲେ । ସେ ଏବେ ନିଜ ଘର ନିକଟରେ ସ୍ୱତନ୍ତ୍ର ଭାବେ ପଲ୍ଲୀ ହାଉସ୍ (ଶୀତ ତାପ ନିୟନ୍ତ୍ରିତ ଘର) ତିଆରି କରି ଚାଷ ଆରମ୍ଭ କରିଛନ୍ତି । ୨୩୦ ବର୍ଗ ମିଟର ସ୍ଥାନରେ ୫ ହଜାର ଗଛ ଲଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଫାର୍ମରେ ଭର୍ଟିକାଲି ଭେରାଇଟ୍‌ର ପ୍ରାୟ ୩ ହଜାରରୁ ଅଧିକ ଗଛ ରହିଛି । ଏହାର ସ୍ୱତନ୍ତ୍ରତା ହେଉଛି ଯେ କମ୍ ସ୍ଥାନରେ ଓ କମ୍ ପାଣି (୯୦ ପ୍ରତିଶତ) , ବିନା କେମିକାଲ ଓ ବିନା ପେଷ୍ଟିସାଇଡ୍ ଏହି ଚାଷ କରାଯାଉଛି । କେବଳ ପାଣିରେ ଚାଷ ହେଉଥିବାରୁ ଏଥିରେ ଭୂତଳ ଜଳର ବ୍ୟବହାର କରାଯାଉଛି । ଏସବୁ ସାମଗ୍ରୀରେ ପ୍ରଚୁର ପରିମାଣର ଭିଟାମିନ୍ ‘ସି’ ରହିଥାଏ । ଚାଷ ପରେ ନିଜର ସାମଗ୍ରୀକୁ ବିକ୍ରି କରିବା ପାଇଁ ସେ ଅନ୍‌ଲାଇନ୍ ଅର୍ଡର ବି ନେଉଛନ୍ତି । ଜଗତସିଂହପୁର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକଙ୍କୁ ସେ ଏହାକୁ ଯୋଗାଉଛନ୍ତି । ଯେହେତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଚାଷ ହେଉଛି, ତେଣୁ ଆଶିଷଙ୍କ ଫାର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking