ଢେଙ୍କାନାଳ : ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଦିନ କେଇଟା ପରେ ବଜାରକୁ ବିକ୍ରି ପାଇଁ ଯିବାକୁ ଥିବା କଖାରୁ ଏବେ ବର୍ଷା ମାଡ ଖାଇବା ଯୋଗୁଁ ପଚିଯାଉଛି । ଗୋଟିଏ କିମ୍ବା ଦୁଇଟି କଖାରୁ ନୁହେଁ, ଶହ ଶହ କଖାରୁ ପଚିଯିବା ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କନ୍ତିଓପୁଟସାହି ଗ୍ରାମର କରୁଣାକର ସାହୁ ଚଳିତ ବର୍ଷ ୫ ଏକର ଜମିରେ ପାରାଡାଇଜ୍ ଓ କଳାହିରା କିସମର କଖାରୁ ଚାଷ କରିବା ସହିତ ଏକ ଏକର ଜମିରେ ଅଦାଚାଷ ମଧ୍ୟ କରିଥିଲେ । ଅଦା ଲଗାଇବା ସମୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଅଦା ସବୁ ପଚି ନଷ୍ଟ ହୋଇଯାଇଥିଲା ।
ଅଦା ଚାଷରେ ହୋଇଥିବା କ୍ଷତିକୁ କଖାରୁ ଚାଷରୁ ଭରଣ କରିବେ ବୋଲି ଆଶା କରିଥିବା ଚାଷୀ ଉପରେ ଅଦିନିଆ ବର୍ଷା ଦାଉ ସାଜିଛି। ଯାହା ଫଳରେ କଖାରୁ ଗୁଡିକ ପାକଳ ହେବା ପୁର୍ବରୁ ପଚି ଯାଉଥିବା ଯୋଗୁଁଁ ଚାଷୀ ଚିନ୍ତା ବଢିଯାଇଛି । ମାତ୍ର କୃଷି ଅଧିକାରୀଙ୍କ ପରାମର୍ଶ ପାଇଲା ପରେ ଔଷଧ ତଥା କିଟନାଶକ ସିଂଚନ କରିଲେ ମଧ୍ୟ କୈାଣସି ସୁଫଳ ହେଉନଥିବା କରୁଣାକର ପ୍ରକାଶ କରିଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀ ରୂଣଭାର ବୋଝରେ ଭାଙ୍ଗି ପଡିଛନ୍ତି ।