26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସମ୍ମିଳିତ ହେଉଛନ୍ତି ଦଳିତ : ହୋଇପାରେ ବଡ ଆନ୍ଦୋଳନ !

ସମ୍ମିଳିତ ହେଉଛନ୍ତି ଦଳିତ : ହୋଇପାରେ ବଡ ଆନ୍ଦୋଳନ !

ବଲାଙ୍ଗିର : ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ ଅଏଁଲାସାରି ଗ୍ରାମରେ ଗତ ୨୬ ତାରିଖ ଦିନ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବେ ଭିନ୍ନ ରୂପ ନେବାରେ ଲାଗିଛି । ପୀଡିତ ଦଳିତପଡା ତରଫରୁ ଗ୍ରାମବାସୀଙ୍କ ଏହି ବର୍ବର କାଣ୍ଡ ନେଇ ପୋଲିସ ଥାନାରେ, ବହଲପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ସମେତ ୪୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗ କରା ଯାଇଥିଲା । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ପ୍ରଥମ ଦିନରେ ପୀଡିତ ପକ୍ଷରୁ ୯ ଜଣଙ୍କୁ ଗିରଫ କରିବା ସହିତ କେବଳ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୋଟିଏ ପଟେ ଏହି ଘଟଣାରେ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସପିଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ବେଳେ ଅନ୍ୟପଟେ ଉକ୍ତ ଘଟଣାରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ବିରୁଦ୍ଧରେ ଦଳିତ ସମାଜ ସମ୍ମିଳିତ ହେଉଥିବା ଦେଖାଯାଉଛି । ଯଦି ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ଏହାର ଉପଯୁକ୍ତ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ ନକରେ ତେବେ ଆଗମୀ ଦିନରେ ସହରରେ ଏକ ବଡ ଧରଣର ଆନ୍ଦୋଳନ ହେବା ଆଶଙ୍କା କରାଯାଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ଦଳିତ ସମାଜ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାକୁ ଏଭିତରେ ଚାରିଦିନ ପୂରି ଯାଇଥିଲେ ସୁଦ୍ଧା କ୍ଷତିଗ୍ରସ୍ତ ପରିବାରଙ୍କୁ କୌଣସି ପ୍ରକାର ସରକାରୀ ରିଲିଫ ପ୍ରଦାନ କରା ଯାଇନାହିଁ । ସେହିପରି ଗାଁରେ ପୀଡିତ ବର୍ଗର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇ ରହିଛି । ତେବେ ଉପ ଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ପରେ ମଧ୍ୟ ଅଏଁଲାସାରିର ଦଳିତ ପରିବାରଙ୍କ ପରିସ୍ଥିତିରେ କୌଣସି ସୁଧାର ଆସି ନାହିଁ । ଗତ ଶୁକ୍ରବାର ଦିନ ପୁଇଁନ୍ତଲା ଥାନାରେ ଅଭିଯୁକ୍ତ ନାଏବ ସରପଞ୍ଚ ତଥା ଅନ୍ୟ ଅଭିଯୁକ୍ତମାନେ ଉପସ୍ଥିତ ଥିବା ସତ୍ତେ୍ୱ ପୁଇଁନ୍ତଲା ପୋଲିସ ତାଙ୍କୁ ଗିରଫ ନକରି ଏବେ ଖୋଜି ଖୋଜି କାହାକୁ ପାଉନଥିବା ଦୁର୍ଭାଗ୍ୟଜନକ । ଏହାଦ୍ୱାରା କେବଳ ଅଭିଯୁକ୍ତମାନଙ୍କୁ ଖସିଯିବା ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ଦଳିତ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ବିଭିନ୍ନ ଘଟଣାରେ ଅଭିଯୁକ୍ତମାନେ ଖୋଲା ବୁଲୁଥିବା ବେଳେ ପୋଲିସ ପ୍ରଶାସନ ବାରମ୍ବାର ଧାରାବାହିକ କ୍ରମେ ଜିଲ୍ଲାରେ ଦଳିତମାନଙ୍କ ସ୍ୱରକୁ ଚାପି ଆସୁଛି । ଯଦି ଅଏଁଲାସାରି ଘଟଣାରେ ଏହାର ପୁନାରବୃତ୍ତି ହୁଏ, ତେବେ ଜିଲ୍ଲାର ସମସ୍ତ ଦଳିତ ସମ୍ମିଳିତ ହୋଇ ଏହାର ବିରୋଧ ପୁର୍ବକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦଳିତ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଦଳିତ ସମାଜ ପକ୍ଷରୁ ଆହୁରି କୁହାଯାଇଛି ଯେ, ବିଗତ କିଛି ମାସ ମଧ୍ୟରେ ବିଭିନ୍ନ ଦଳିତ ମୃତ୍ୟୁ ଘଟଣାରେ ପୋଲିସ ପ୍ରଶାସନ ଦଳିତମାନଙ୍କ ବିରୁଦ୍ଧରେ ଏକପାଖିଆ ନୀତି ଅବଲମ୍ବନ କରିଛିି । ଭୀମ ଭୋଇ ମେଡିକାଲ କଲେଜରେ ପ୍ରମିଳା ହରିପାଲଙ୍କ କପର୍‌ଟି ଲାଗାଇବା ପରେ ପ୍ରବଳ ରକ୍ତସ୍ରାବ ହେବା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା । ପରିବାରବର୍ଗ ଓ ସମାଜ ତାଙ୍କ ମର ଶରୀରକୁ ନେଇ ହସପିଟାଲ ପରିସରରେ ଧାରଣାରେ ବସିବା ସହ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ପ୍ରଶାସନ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ହଟିଥିଲେ । ସେହିପରି ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା ମୃତ୍ୟୁ ଘଟଣାରେ ହସପିଟାଲ କର୍ମଚରୀଙ୍କ ଅବହେଳା ସ୍ପଷ୍ଟ ଅଭିଯୋଗ କରିବା ସହ ଡାକ୍ତରଙ୍କୁ ମାଡ ହୋଇଥିଲା । କାର୍ଯ୍ୟକ୍ଷେତ୍ରରେ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏନଏସଏ.ରେ ଗିରଫ ଦାବୀରେ ଡାକ୍ତର ଓ ନର୍ସମାନେ ଧାରଣାରେ ବସିଥିଲେ । ଏହାର ସମର୍ଥନରେ ସାରା ରାଜ୍ୟର ଡାକ୍ତରମାନେ କଳା ବେଚ୍‌ ପରିଧାନ କରିଥିଲେ । ପ୍ରଶାସନ ଡାକ୍ତର ଓ ନର୍ସଙ୍କ ମେଳି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ଜଣା ପଡୁଥିବା ବେଳେ ଏକପାଖିଆ ଭାବେ କେବଳ ମାଡ ମାରିଥିବା ଅଭିଯୋଗରେ ମୃତ ଜିତେନ୍ଦ୍ରଙ୍କ ପରିବାରର ୫ଜଣଙ୍କୁ ଗିରଫ କରିବା ସହ ୨ଜଣଙ୍କୁ ଏନଏସଏ ଆଇନ ଲଗାଇ ଗିରଫ କରିଥିଲା । କିନ୍ତୁ ଦୁଭାଗ୍ୟଜନକ ଭାବେ ଘଟଣାରେ ଅଭିଯୁକ୍ତ ଡାକ୍ତର ଓ ନର୍ସ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହୋଇନାହିଁ । ବିଷ୍ଣୁମୁଣ୍ଡା ରାସ୍ତା ବନ୍ଦ କରିଥିବା ଆନ୍ଦୋଳନକାରୀଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତାରଣା ବୋଲି ପ୍ରମାଣିତ ହୋଇଛି । ଆହୁରି କିଛି ଦିନ ତଳେ ଭଦ୍ରାପାଲି ସ୍ଥିତ ମିନର୍ଭା ପଲ୍‌ଟ୍ରି ଫାର୍ମରେ ଘଟିଥିବା ମନ୍ତୋଷ କୁଅଁର ମୃତ୍ୟୁ ଘଟଣାକୁ ଏକ ଅପମୃତ୍ୟୁ ମାମଲା ଭାବେ ରୁଜୁ କରାଯାଇଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ହେବା ସନ୍ଦେହାସ୍ପଦ ସ୍ଥିତିରେ ପହଂଚିଛି । ତା’ଛଡା ଲାଠୋର ଘରପୋଡି ମାମଲା, ସ୍ନେହଲତା ଛତ୍ରିଆ ଗଣଧର୍ଷଣ ଓ ହତ୍ୟା ମାମଲା, ଚାନୁଟମାଲର ଏଟ୍ରୋସିଟି ମାମଲା ଓ ସାଲେଭଟା ଘରଭଙ୍ଗା ମାମଲାର ମଧ୍ୟ ଏଯାଏଁ କୌଣସି ଫଳ ମିଳିପାରି ନାହିଁ । ତେବେ ଏହି ସବୁ ଘଟଣାରେ ଜିଲ୍ଲା ପ୍ରଶାସନ ଧାରାବାହିକ ଭାବେ ଦଳିତଙ୍କୁ ଅଣଦେଖା କରିଥିବା ସ୍ପଷ୍ଟ କରିଆସିଛି; ଯାହା ଜିଲ୍ଲାରେ ଦଳିତଙ୍କ ପ୍ରତି ପୋଲିସ ପ୍ରଶାସନର ବୈମାତୃକ ମନୋଭାବକୁ ଲୋକଲୋଚନକୁ ଆଣିଛି । ଏଭଲି ପରିସ୍ଥିତି ଜିଲ୍ଲାର ସମଗ୍ର ଦଳିତଙ୍କୁ ନିଜର ସୁରକ୍ଷା ଓ ଭବିଷ୍ୟତ ପାଇଁ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି ବୋଲି ଦଳିତ ସମାଜ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking