28.1 C
Bhubaneswar
Thursday, March 28, 2024
Homeଓଡିଶାଭୀମ୍‌ସାର୍‌ରେ କୋଭିଡ୍ ଚିକିତ୍ସାରେ ଅବହେଳା ପ୍ରସଙ୍ଗ, ଅବସରପ୍ରାପ୍ତ ଜିଲ୍ଲାଜଜ୍ କରିବେ ତଦନ୍ତ : ହାଇକୋର୍ଟ  

ଭୀମ୍‌ସାର୍‌ରେ କୋଭିଡ୍ ଚିକିତ୍ସାରେ ଅବହେଳା ପ୍ରସଙ୍ଗ, ଅବସରପ୍ରାପ୍ତ ଜିଲ୍ଲାଜଜ୍ କରିବେ ତଦନ୍ତ : ହାଇକୋର୍ଟ  

କଟକ: ଭୀମ୍‌ସାର୍‌ରେ କୋଭିଡ୍ ଚିକିତ୍ସାରେ ଅବହେଳା ସମ୍ପର୍କିତ ଅଭିଯୋଗ ମାମଲାରେ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲାଜଜ୍ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି । ତଦନୁଯାୟୀ ଅବସରପ୍ରାପ୍ତ ଜିଲ୍ଲାଜଜ୍ ଏବିଏସ୍ ନାଇଡୁଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅଭିଯୋଗ ମାମଲାରେ ତାଙ୍କୁ ୯ଟି ସତ୍ୟପାଠ ସମ୍ପର୍କରେ ଅନୁଧ୍ୟାନ କରିବାକୁ କୁହାଯାଇଛି। ଆବେଦନକାରୀ ଜ୍ଞାନ ଦତ୍ତ ଚୌହ୍ୱାନଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣିକରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି । ପ୍ରକୃତରେ ଭୀମ୍‌ସାର୍‌ରେ କୋଭିଡ୍ ପୀଡ଼ିତ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଅଦାଲତ କହିଛନ୍ତି । ହାଇକୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ ମାମଲାର ରିଟ୍ କପି, ଦାଖଲ ୯ ସତ୍ୟପାଠକୁ  ତଦନ୍ତକାରୀ ଅଧିକାରୀ ଏବିଏସ୍ ନାଇଡୁଙ୍କୁ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ସେହିପରି ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପାଇବା ପରେ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସହ ତଦନ୍ତକାରୀ ଅଧିକାରୀଙ୍କ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ କହିଛନ୍ତି ।

ଏହି ବିଜ୍ଞପ୍ତି  ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ତଦନ୍ତ ଆରମ୍ଭ କରିବାକୁ  ତଦନ୍ତକାରୀ ଅଧିକାରୀ ଜିଲ୍ଲା ଜଜ୍‌ଙ୍କୁ ଆଦେଶ ଦିଆଯାଇଛି । ତିନିମାସ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା ଅବହେଳାର ଶିକାର ହୋଇଥିବା ପୀଡ଼ିତଙ୍କଠାରୁ ଏ ସମ୍ପର୍କରେ ସତ୍ୟପାଠ ସଂଗ୍ରହ ପାଇଁ ଆହ୍ୱାନ ଦେବାକୁ ଗଣ ମାଧ୍ୟମରେ ବିଜ୍ଞପ୍ତି ଦେବାକୁ ମଧ୍ୟ କୁହାଯାଇଛି । ଏସବୁ ପ୍ରକ୍ରିୟା ୧୫ ଦିନ ମଧ୍ୟରେ ହେବା ଉଚିତ୍ ବୋଲି ଖଣ୍ଡପୀଠ କହିଛନ୍ତି । ସମ୍ବଲପୁର ଜିଲ୍ଲା ଜଜ୍ ପରିସରରେ ତଦନ୍ତକାରୀ ଅଧିକାରୀଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେବାକୁ ସେଠାକାର ଜିଲ୍ଲା ଜଜ୍‌ଙ୍କୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ କାର୍ଯ୍ୟାଳୟ, ସେକ୍ରେଟାରୀ ତଥ୍ୟ ଅନ୍ୟାନ୍ୟ କର୍ମଚାରୀ ଖୁବ୍‌ଶୀଘ୍ର ଯୋଗାଇଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା କୁରିବାକୁ ସମ୍ବଲପୁର ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କୁ  ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଏହି ତଦନ୍ତ ନିମନ୍ତେ ତଦନ୍ତକାରୀ ଅଧିକାରୀଙ୍କୁ ମାସିକ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଆଦେଶ ହୋଇଛି । ତଦନ୍ତ ସମୟ ମଧ୍ୟରେ ସମସ୍ତ ପ୍ରକାର ସହଯୋଗ କରିବାକୁ ସ୍ଥାନୀୟ ପ୍ରଶାସନ, ଭୀମ୍‌ସାର୍ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି । ମାମଲାର ଆବେଦନକାରୀ ଚାହିଁଲେ ତଦନ୍ତ ପ୍ରକ୍ରିୟାରେ ଭାଗ ନେଇପାରିବେ । ଚିକିତ୍ସା ଅବହେଳାର ଶିକାର ହୋଇଥିବା ପୀଡ଼ିତଙ୍କ ନିମନ୍ତେ ତଦନ୍ତକାରୀ ଅଧିକାରୀ ଚାହିଁଲେ କ୍ଷତିପୂରଣ ଆଦେଶ ପ୍ରଦାନ କରିପାରିବେ । ଆସନ୍ତା ନଭେମ୍ବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଥାଉକି ଭୀମ୍‌ସାର୍‌ରେ କରୋନା ପୀଡ଼ିତ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଆବେଦନକାରୀ ଶ୍ରୀ ଚୌହ୍ୱାନଙ୍କ ପକ୍ଷରୁ କୋଭିଡ୍ ଚିକିତ୍ସାରେ ଅବହେଳା ସମ୍ପର୍କିତ ଅଭିଯୋଗ ମାମଲାରେ ହାଇକୋର୍ଟ ରେଜେଷ୍ଟ୍ରିକୁ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ଅଦାଲତ କହିଥିଲେ ଯେ ଯଦି ଆବେଦନକାରୀ ତଦନ୍ତ ରିପୋର୍ଟ ଠିକ୍ କରିବାକୁ ଚାହୁଁଥିବେ  ସେ ଚିକିତ୍ସା ଅବହେଳାର ଶିକାର ହୋଇଥିବା ଅନ୍ୟୁନ ୫ ଜଣ ପୀଡ଼ିତଙ୍କ ସତ୍ୟପାଠ ଆହ୍ୱାନ କରିପାରିବେ । ଏହି ମାମଲାର ଶୁଣାଣିବେଳେ ଆବେଦନକାରୀଙ୍କୁ  ୫ଜଣ ପୀଡ଼ିତଙ୍କର ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ ଭୀମ୍‌ସାରରେ କୋଭିଡ୍ ରୋଗୀଙ୍କୁ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଦିଆଯାଉନାହିିଁ । ଚିକିତ୍ସା ଅବହେଳା କାରଣରୁ କରୋନା ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବେଦନକାରୀ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଭୀମ୍‌ସାର୍‌ରେ ଚିକିତ୍ସିତ ହୋଇଥିଲେ ବୋଲି ଦର୍ଶାଇଥିଲେ । ଏହି ଘଟଣାରେ ହାଇକୋର୍ଟଙ୍କ ଆଦେଶ ମୁତାବକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଥିଲା । ହାଇକୋର୍ଟ ଉକ୍ତ ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking