23.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌-୭ : ଭାଲସ୍କିସ୍‌ଙ୍କ ଡବଲ୍ ଗୋଲ୍ ସତ୍ତ୍ୱେ ଜିତିପାରିଲାନି ଜାମସେଦପୁର ଏଫ୍‌ସି

ଆଇଏସ୍‌ଏଲ୍‌-୭ : ଭାଲସ୍କିସ୍‌ଙ୍କ ଡବଲ୍ ଗୋଲ୍ ସତ୍ତ୍ୱେ ଜିତିପାରିଲାନି ଜାମସେଦପୁର ଏଫ୍‌ସି

ଗୋଆ : ଚଳିତ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ରବିବାର ଖେଳାଯାଇଥିବା ଦଶମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ତା’ର ପଏଣ୍ଟ ଖାତା ଖୋଲିଛି । ଦଳ ଏଠାକାର ତିଲକ ମୈଦାନଠାରେ ଖେଳିଥିବା ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ଭେଟିଥିବା ବେଳେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍ ଦେଇଥିବାରୁ ଏହା ବିନା ଫଇସଲାରେ ଶେଷ ହୋଇଛି । ଏଥିସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ଉଭୟ ଦଳର ପଏଣ୍ଟ ସଂଖ୍ୟା ୧ ଥିଲେ ହେଁ ଉନ୍ନତ ଗୋଲ୍ ବ୍ୟବଧାନ ଆଧାରରେ ଜାମସେଦପୁର ପଏଣ୍ଟ ଟେବଲରେ ଅଷ୍ଟମ ଓ ଓଏଫ୍‌ସି ନବମ ସ୍ଥାନରେ ରହିଛନ୍ତି । ମ୍ୟାଚ୍‌ରେ ଦୁଇ ଦଳର ଦୁଇ ଜଣ ଷ୍ଟ୍ରାଇକରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଜାମସେଦପୁର ଏଫ୍‌ସିର ନେରିଜସ୍ ଭାଲସ୍କିସ୍ ପ୍ରଥମାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାର କରି ଦଳକୁ ୨- ୦ରେ ଆଗୁଆ କରାଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଓଏଫ୍‌ସି ପକ୍ଷରୁ ଡିଏଗୋ ମୋରିସିଓ ଦୁଇଟିଯାକ ଗୋଲ୍ ଶୁଝାଇ ଦେଇ ଓଏଫ୍‌ସିକୁ ପ୍ରଥମ ପଏଣ୍ଟ ଦେଇଥିଲେ । ଦଶମ ମିନିଟ୍‌ରେ ଓୱେନ୍ କୋଲେଙ୍କ ଜାମସେଦପୁର ଟିମ୍ ଖେଳାଳିମାନେ ଦଳକୁ ଅଗ୍ରଣୀ କରାଇଥିଲେ । ଭାଲସ୍କିସଙ୍କ ଶଟ୍‌କୁ ଓଏଫ୍‌ସି ଗୋଲ୍‌କିପର୍ କମଲଜିତ୍ ସିଂ ଧରିବାରେ ବିଫଳ ହେବାରୁ ଜାମସେଦପୁର ୧-୦ରେ ଆଗୁଆ ରହିଥିଲା । ଓଡ଼ିଶା ଡିଫେଣ୍ଡର୍ ଗୌରବ ବୋରାଙ୍କ
ହାତରେ ବଲ୍ ବାଜିବାରୁ ରେଫରି ପ୍ରତୀକ ମଣ୍ଡଳ ଜାମସେଦପୁରକୁ ପେନାଲ୍‌ଟି କିକ୍ ଦେଇଥିଲେ ।

ଏହି ପେନାଲ୍‌ଟିରୁ ଭାଲସ୍କିସ୍ ଗୋଲ୍ ଅର୍ଜନ କରିଥିଲେ । ଏହାପରେ ଉଭୟ ଦଳର ଖେଳାଳିମାନେ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ଜାମସେଦପୁର ସକ୍ଷମ ହୋଇଥିଲା । ୨୭ତମ ମିନିଟ୍‌ରେ ଭାଲସ୍କିସ୍ ତାଙ୍କର ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ଏହା ଚଳିତ ପ୍ରତିଯୋଗିତାରେ ତାଙ୍କର ତୃତୀୟ ଗୋଲ୍ ଥିଲା । ଓଏଫ୍‌ସି ଡିଫେଣ୍ଡର୍‌ମାନଙ୍କ ବିଫଳତାର ସୁଯୋଗ ନେଇ ଭାଲସ୍କିସ୍ ଉକ୍ତ ଗୋଲ୍‌ଟି ସ୍କୋର୍ କରିଥିଲେ । ପ୍ରଥମାର୍ଦ୍ଧ ଖେଳର ଶେଷ ଭାଗରେ ଓଡ଼ିଆ ଡିଫେଣ୍ଡର୍ ଶୁଭମ୍ ଷଡ଼ଙ୍ଗୀ ଗୋଲ୍ ଦେବାର ସୁଯୋଗ ପାଇଥିଲେ ହେଁ ଭାଲସ୍କିସ୍ ତାହାକୁ ବିଫଳ କରିଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଓଏଫ୍‌ସି ଖେଳାଳିମାନେ ବେଶ୍ ଚଳଚଂଚଳ ହୋଇପଡ଼ିଥିଲେ । ଷ୍ଟ୍ରାଇକର୍ ମାନୁଏଲ୍ ଓନଉ ଦୁଇଟି ସୁଯୋଗ ସୃଷ୍ଟି କରିଥିଲେ । ୫୩ତମ ମିନିଟ୍‌ରେ ଏହି ସ୍ପେନୀୟ ଖେଳାଳିଙ୍କ ଶଟ୍ ଗୋଲ୍‌ପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । ସେହିପରି ୬୦ତମ ମିନିଟ୍‌ରେ ତାଙ୍କ ଆକର୍ଷଣ ଢଙ୍ଗର ଶଟ୍‌କୁ ଜାମସେଦପୁର ଗୋଲକିପର୍ ଟିପି ରେହନିଶ୍ ଗୋଲ୍ ପୋଷ୍ଟ୍ ଉପର ଦେଇ ବଲ୍‌କୁ ବାହାରକୁ ପଠାଇଦେଇଥିଲେ । ୭୪ତମ ମିନିଟ୍‌ରେ ରେହନିଶ୍ ପେନାଲ୍‌ଟି ଏରିଆ ବାହାରେ ବଲ୍‌କୁ ହାତରେ ଧରିଥିବା ଅଭିଯୋଗ ହେବାରୁ ବଦଳ ଖେଳାଳି ମୋରିସିଓ ଫ୍ରିକିକ୍ ମାରିଥିଲେ । ତାଙ୍କ ଶଟ୍ ଜାମସେଦପୁର ଗୋଲ୍ ପୋଷ୍ଟ୍‌ରେ ବାଜି ତାଙ୍କ ପାଖକୁ ପୁଣିଥରେ ଯାଇଥିଲା । ଏଥର ବଲ୍‌କୁ ମୋରିସିଓ ସିଧା ଗୋଲ୍‌ପୋଷ୍ଟ୍ ଭିତରେ ପ୍ରବେଶ କରାଇ ସ୍ଥିତିକୁ ୧-୨ରେ ପହଂଚାଇଥିଲେ । ଦଶ ଜଣରେ ଖେଳୁଥିବା ଜାମସେଦପୁର ଅବଶିଷ୍ଟ ସମୟରେ କୌଣସି ଗୋଲ୍ ବରଣ କରି ନ ଥିଲେ ହେଁ ଇନ୍‌ଜୁରୀ ଟାଇମରେ ଅର୍ଥାତ୍ ୯୩ତମ ମିନିଟ୍‌ରେ ବ୍ରାଜିଲ୍ ଖେଳାଳି ମୋରିସିଓ ଏକ ଚମତ୍କାର ଶଟ୍ ମାଧ୍ୟମରେ ସ୍ଥିତିକୁ ବରାବର କରିବାରେ ସକ୍ଷମ ହୋଇଥିଲେ । ଏଥିସହ ସେ ଓଏଫ୍‌ସିକୁ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିବାରୁ ରକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking