କିଙ୍ଗଷ୍ଟନ୍: ନିର୍ଣ୍ଣାୟକ ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ଆୟର୍ଲାଣ୍ଡ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଦିନିକିଆ ସିରିଜ୍ରେ ୨-୧ର ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ୍କୁ ୪୪.୪ ଓଭର୍ରେ ୨୧୨ ରନ୍ରେ ଅଲ୍ଆଉଟ୍ କରିବା ପରେ ୪୪.୫ ଓଭର୍ରେ ୮ ୱିକେଟ୍ ହରାଇ ଆୟର୍ଲାଣ୍ଡ ୨୧୪ ରନ୍ କରିଥିଲା । ଆଇସିସିର କୌଣସି ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ବିରୋଧରେ ଆୟର୍ଲାଣ୍ଡର ଏହା ଦ୍ୱିତୀୟ ସିରିଜ୍ ବିଜୟ । ଏହା ପୂର୍ବରୁ ୨୦୧୯ରେ ଘରୋଇ ମାଟିରେ ଆୟର୍ଲାଣ୍ଡ୍ ଜିମ୍ବାୱେକୁ ହରାଇଥିଲା । ଲକ୍ଷ୍ୟର ପିଛା କରୁଥିବା ଆୟର୍ଲାଣ୍ଡ୍ ପ୍ରଥମ ବଲ୍ରେ ୱିଲିୟମ୍ ପୋର୍ଟର୍ଫିଲ୍ଡଙ୍କ ୱିକେଟ୍ ହରାଇଥିଲା ।
ଏହା ପରେ ବ୍ୟାଟ୍ସମ୍ୟାନ୍ମାନେ ସତର୍କତାର ସହ ଖେଳିଥିଲେ । କାମଚଳା ଅଧିନାୟକ ପଲ୍ ଷ୍ଟର୍ଲିଂ ୩୮ ବଲ୍ରେ ପାଞ୍ଚ ଚୌକା ଓ ଗୋଟିଏ ଛକା ସହାୟତାରେ ୪୪ ରନ୍ କରିଥିଲେ । ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଆଣ୍ଡି ମ୍ୟାକ୍ବ୍ରାଏନ୍ ୧୦୦ ବଲ୍ରେ ୫୯ ରନ୍ର ଇନିଂସ୍ ଖେଳିଥିଲେ । ଏହା ପୂର୍ବରୁ ସେ ବୋଲିଂ କରି ୪ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ଏହି ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ସିରିଜ୍ ବିବେଚିତ କରାଯାଇଥିଲା ।
ଚତୁର୍ଥ ସ୍ଥାନରେ ବ୍ୟାଟିଂ ପାଇ ଆସିଥିବା ହ୍ୟାରି ଟେକ୍ଟର୍ ସିରିଜ୍୍ରେ ତୃତୀୟ ଅର୍ଦ୍ଧଶତକ ହାସଲ ସହ ୭୬ ବଲ୍ରେ ୩ ଚୌକା ସହାୟତାରେ ୫୨ ରନ୍ କରିଥିଲେ । ଅକିଲ୍ ହୁସେନ୍ ଏହାପରେ ତିନିଟି ବଲ୍ରେ ଦୁଇଟି ୱିକେଟ୍ ନେଇ ୱେଷ୍ଟଇଣ୍ଡିଜ୍କୁ ମ୍ୟାଚ୍କୁ ଫେରାଇବା ଉଦ୍ୟମ କରିଥିଲେ ମଧ୍ୟ କ୍ରେଗ୍ ୟଙ୍ଗ୍ ଚୌକା ମାରି ଟିମ୍କୁ ୫.୧ ଓଭର୍ ପୂର୍ବରୁ ବିଜୟୀ କରାଇଥିଲେ । ପୂର୍ବରୁ ସାଇ ହୋପ୍ ୩୯ ବଲ୍ରେ ୫୩ ରନ୍ର ଅର୍ଦ୍ଧଶତକୀୟ ଇନିଂସ୍ କରିଥିଲେ ମଧ୍ୟ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ସହଯୋଗ ମିଳି ନଥିଲା । ଫଳରେ ୱେଷ୍ଟଇଣ୍ଡିଜ୍ ୪୪.୪ ଓଭର୍ରେ ମାତ୍ର ୨୧୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।