37.2 C
Bhubaneswar
Friday, April 19, 2024
Homeଓଡିଶାଶେଷ ଓଭରରେ ଜିତିଲା ରାଜସ୍ଥାନ

ଶେଷ ଓଭରରେ ଜିତିଲା ରାଜସ୍ଥାନ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ସପ୍ତମ ମୁକାବିଲାରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଡେଭିଡ୍ ମିଲର ଓ କ୍ରିସ୍ ମୋରିସ୍‌ଙ୍କ ଚମତ୍କାର ବ୍ୟାଟିଂ ବଳରେ ଚଳିତ ସଂସ୍କରଣର ପ୍ରଥମ ବିଜୟ ହାସଲ କରିଛି ରୟାଲ୍ସ । ଏକଦା ୪୨ ରନ୍‌ରେ ୫ୱିକେଟ ହରାଇ ସଙ୍କଟରେ ପଡିଥିବା ରାଜସ୍ଥାନକୁ ମିଲର(୬୨) ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ବେଳେ  ଶେଷ ଭାଗରେ ମୋରିସ୍‌ଙ୍କ ୧୮ ବଲ୍ ୩୬ ରନ୍ ବଳରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ରାଜସ୍ଥାନ । କ୍ୟାପିଟାଲ୍ସ ୧୪୭ ରନ୍ କରିଥିବା ବେଳେ ୭ ୱିକେଟ୍ ହରାଇ ଦୁଇଟି ବଲ୍ ପୂର୍ବରୁ ବିଜୟୀ ହୋଇଥିଲା ରାଜସ୍ଥାନ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା ।  ଜୟଦେବ ଉନାଦକାତ ଦିଲ୍ଲୀର ଟପ୍ ଅର୍ଡରକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରି ଦେଇଥିଲେ । ପୃଥ୍ୱୀ ଶ(୨), ଶିଖର ଧୱନ୍‌(୯) ଓ ଆଜିଙ୍କ୍ୟ ରାହାଣେ(୮)ଙ୍କୁ ନିଜର ଶିକାର କରିଥିଲେ ଉନାଦକାତ । ଦଳ ମାତ୍ର ୩୭ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡିଥିବା ବେଳେ ଅଧିନାୟକ ଋଷଭ ପନ୍ତ(୫୧) ଓ ଲଳିତ ଯାଦବ(୨୦) ୫୧ ରନ୍ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ପନ୍ତ ୩୨ଟି ବଲ୍ ଖେଳି ୯ ଚୌକା ସହିତ ୫୧ ରନ୍ କରି ରନ୍‌ଆଉଟ ହୋଇଥିଲେ । ଶେଷ ଆଡକୁ ଟମ୍ କୁରାନ୍‌(୨୧) ଓ କ୍ରିସ୍ ଓକ୍‌ସଙ୍କ ଅପରାଜିତ ୧୫ ରନ୍ ଫଳରେ ଦିଲ୍ଲୀ ୮ ୱିକେଟ ହରାଇ ୧୪୭ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଉନାଦ୍‌କତ୍ ମାତ୍ର ୧୫ ରନ୍ ବ୍ୟୟରେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଦିଲ୍ଲୀ ପରି ରାଜସ୍ଥାନ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗତ ମ୍ୟାଚ୍‌ର ଶତକ ହାସଲକାରୀ ସାମ୍‌ସନ୍‌(୪)ଙ୍କ ସହିତ ଦୁଇ ଓପ୍‌ନରଙ୍କୁ ୧୭ ରନ୍ ମଧ୍ୟରେ  ହରାଇ ଦଳ ସଙ୍କଟରେ ପଡିଥିଲା । ଶିବମ ଦୁବେ(୨) ଓ ରିୟାନ୍ ପରାଗ(୨) ମଧ୍ୟ ବିଶେଷ କିଛି କରି ପାରିନଥିଲେ । ୪୨ ରନ୍‌ରେ ୫ ୱିକେଟ ହରାଇବା ପରେ ଡେଭିଡ୍ ମିଲର ଚମତ୍କାର ବ୍ୟାଟିଂ କରି ୬୨ ରନ୍ କରିଥିଲେ ହେଁ ଅନ୍ୟପଟରୁ ସହାୟତା ମିଳିନଥିଲା । ମିଲର ୪୩ ବଲ୍ ଖେଳି ୭ ଚୌକା ଓ ୨ ଛକା ମାରିଥିଲେ । ରାହୁଲ ଟେୱଟିଆ(୧୯)ଙ୍କ ସହିତ ମିଲର ୪୮ ରନ୍ ଯୋଡିଥିଲେ । ରନ୍ ଗତି ବଢାଇବା ଚକ୍କରରେ ଉଭୟ ଖେଳାଳି ଆଉଟ ହେବା ସହିତ ରାଜସ୍ଥାନର ଆଶା ମଉଳି ଯାଇଥିଲା । ଶେଷ ୩ ଓଭରରୁ ୩୪ ରନ୍ ଆବଶ୍ୟକ ରହିଥିବା ବେଳେ ଉନାଦ୍‌କାତ୍‌(୧୧) ଓ ମୋରିସ୍‌(୩୬)ଦଳକୁ ଫିନିଶ୍ ଲାଇନ୍ ପାର କରାଇଥିଲେ । ମୋରିସ୍ ୧୮ ବଲ୍ ଖେଳି ୪ ଛକା ମାରିଥିଲେ । ଦିଲ୍ଲୀ ପକ୍ଷରୁ ଆଭେଶ ଖାନ୍ ୩୨ ରନ୍‌ରେ ୩ଟି ୱିକେଟ୍ ନେଇଥିବା ବେଳେ କ୍ରିସ୍ ଓକ୍‌ସ ଓ କାଗିସୋ ରବାଡା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking