30.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ପାଡିକଲ୍‌ଙ୍କ  ବିସ୍ଫୋରକ ଶତକ : ରାଜସ୍ଥାନକୁ ୧୦ ୱିକେଟ୍‌ରେ ହରାଇଲା ବାଙ୍ଗାଲୋର

ପାଡିକଲ୍‌ଙ୍କ  ବିସ୍ଫୋରକ ଶତକ : ରାଜସ୍ଥାନକୁ ୧୦ ୱିକେଟ୍‌ରେ ହରାଇଲା ବାଙ୍ଗାଲୋର

§″ମୁମ୍ବାଇ : ଚଳିତ ଆଇପିଏଲ୍‌ର ଷୋଡ଼ଶ ମ୍ୟାଚ୍ ଗୁରୁବାର ଏଠାକାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଏଥିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରି ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରାଜକୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଆମନ୍ତ୍ରଣ କରିବା ପରେ କୋହଲି ବାହିନୀ ଉକ୍ତ ଦଳର ଇନିଂସକୁ ୨୦ ଓଭର୍‌ରେ ୧୭୭/୯ରେ ସୀମିତ ରଖିଥିଲା । ପରେ ଅଧିନାୟକ କୋହଲି ଓ ତାଙ୍କ ଓପନିଂ ଯୋଡ଼ିଦାର ଦେବଦତ୍ତ ପାଡିକଲ୍ ବିନା କୌଣସି କ୍ଷତିରେ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦଳ ପାଇଁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି । ଏହି ଅବସରରେ ପାଡିକଲ୍ ତାଙ୍କର ଅସଲ ପାୱାର୍ ଦେଖାଇ ଆଇପିଏଲ୍‌ରେ ତାଙ୍କର ପ୍ରଥମ ଶତକ ଅର୍ଜନ କରିଥିଲେ । ଏଥିସହ ଦଳ ତା\’ର ଅପରାଜେୟ ଧାରା ଜାରି ରଖିଛି । ପୂର୍ବ ତିନିଟି ମ୍ୟାଚ୍ ଅଳ୍ପ ବ୍ୟବଧାନରେ ଜିତିଥିବା ଆର୍‌ସିବି ଏଠାରେ ୧୦ ୱିକେଟ୍‌ରେ ବିଜୟୀ ହୋଇ ପୁଣିଥରେ ପଏଣ୍ଟ୍ ଟେବଲ୍ ଶୀର୍ଷକୁ ପ୍ରତ୍ୟାବର୍ତ୍ତନ କରିଛି ।

ରଜାସ୍ଥାନର ଦୁଇ ଓପନର ଜୋସ୍ ବଟଲର୍ ଓ ମନନ ବୋହରା ୧୬ ରନ୍ ମଧ୍ୟରେ ପ୍ୟାଭିଲିନ୍ ଫେରିଥିଲେ । ପରେ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଓ ଡେଭିଡ୍ ମିଲର୍ ଯଥାକ୍ରମେ ୨୧ ଓ ଶୂନରେ ଆଉଟ୍ ହୋଇଥିଲେ । ସଞ୍ଜୁ ମାତ୍ର ୧୮ ବଲରେ ୨ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ ହେଁ ବେଶୀ ସମୟ ପିଚ୍‌ରେ ତିଷ୍ଠିପାରି ନ ଥିଲେ । ତାଙ୍କ ବିଦାୟ ପରେ ଦଳ ୪୩ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇଥିଲା । ତେବେ ଏହି ସମୟରେ ଶିବମ୍ ଦୁବେ ଓ ରିୟାନ୍ ପରାଗ୍ ୬୬ ରନ୍‌ର ଭାଗୀଦାରୀ କରିବା ପରେ  ଦଳ ଶହେ ରନ୍ ପୂରଣ କରିଥିଲା । କିନ୍ତୁ କ୍ରମାଗତ ୱିକେଟ୍‌ର ପତନ ଦଳକୁ ବଡ଼ ସ୍କୋର୍ କରିବାକୁ ଦେଇ ନ ଥାନ୍ତି । ଦୁବେ ୫ଟି ଚୌକା ଓ ୨ଟି ଛକା ସହ ୪୬, ପରାଗ୍ ୪ଟି ଚୌକା ସହ ୩୫, ଟେୱଟିଆ ୪ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରିଥିଲେ ।

ଜବାବରେ ଆର୍‌ସିବି ଧମାକାଦାର ପ୍ରାରମ୍ଭ କରିଥିଲା । ଦୁଇ ଓପନର ପାଡିକାଲ୍ ଓ କୋହଲି ବିନା କୌଣସି ଦ୍ୱିଧାରେ ରାଜସ୍ଥାନ ଦଳର ବୋଲରଙ୍କ ମୁକାବିଲା କରି ରନ୍ ସଂଗ୍ରହ କରିଚାଲିଥିଲେ । ଉଭୟ ଷ୍ଟ୍ରୋକ୍ ଆଗରେ ରାଜସ୍ଥାନ ବୋଲରମାନେ ଏକରକମ ଆତ୍ମସମର୍ପଣ କରିଦେଇଥିଲେ । ପ୍ରଥମେ ପାଡିକଲ୍ ମାତ୍ର ୨୭ଟି ବଲରେ ଅର୍ଦ୍ଧଶତକ ପୂରଣ କରିବା ପରେ ଅଧିନାୟକ କୋହଲି ମାତ୍ର ୩୪ଟି ବଲ୍ ଖେଳି ୫୦ ରନ୍ ପୂରଣ କରିଥିଲେ । ପ୍ରାରମ୍ଭରୁ ଧୂଆଁଧାର ବ୍ୟାଟିଂ କରୁଥିବା ପାଡିକାଲ୍ ଏହାକୁ ଜାରି ରଖି ମାତ୍ର ୫୧ଟି ବଲ୍‌ରେ ତାଙ୍କର ପ୍ରଥମ ଆଇପିଏଲ୍ ଶତକ କରିଥିଲେ । ଏଥିସହ ସେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଶତକ ଅର୍ଜନ କରିଥିଲେ । ପୂର୍ବରୁ ପଞ୍ଜାବ ପକ୍ଷରୁ ପଲ୍ ଭାଲଥାଟି ଓ ଆର୍‌ସିବିର ମନୀଷ ପାଣ୍ଡେ ଯଥାକ୍ରମେ ଚେନ୍ନାଇ ଓ ଡେକାନ୍ ଚାର୍ଜର୍ସ ବିପକ୍ଷରେ ଶତକ କରିଥିଲେ । ପାଡିକଲ୍  ୫୨ ବଲରେ ୧୧ଟି ଚୌକା ଓ ୬ଟି ଛକା ସହ ୧୦୧ ଓ କୋହଲି ୪୭ଟି ବଲରେ ୬ଟି ଚୌକା ଓ ୩ଟି ଛକା ସହ ୭୨ ରନ୍‌ରେ ଅପରାଜିତ ରହିବା ସହ ଦଳୀୟ ସ୍କୋର୍‌କୁ ୧୬.୩ ଓଭର୍‌ରେ ୧୮୧ରେ ପହଞ୍ଚାଇଥିଲେ । ଅଦ୍ୟାବଧି ଆଇପିଏଲ୍‌ର ଚଳିତ ସଂସ୍କରଣରେ ଏହା ଆର୍‌ସିବିର ସବୁଠାରୁ ବଡ଼ ବିଜୟ । ପାଡିକଲ୍ ତାଙ୍କର ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ନିଦ୍ୱର୍ନ୍ଦ୍ୱରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେହିପରି ଆଇପିଏଲ୍ ଇତିହାସରେ ଆର୍‌ସିବି ଚତୁର୍ଥ ଥର ପାଇଁ ୧୦ ୱିକେଟ୍ ବ୍ୟବଧାନରେ ବିଜୟୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking