31.1 C
Bhubaneswar
Tuesday, April 23, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫ : ଦିଲ୍ଲୀକୁ ହରାଇଲା ମୁମ୍ବାଇ

ଆଇପିଏଲ୍‌-୧୫ : ଦିଲ୍ଲୀକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣର ପ୍ଲେଅଫ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି । ପୂର୍ବରୁ ପ୍ରଥମ ତିନିଟି ସ୍ଥାନରେ ଗୁଜରାଟ ଟାଇଟାନ୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଥିବା ବେଳେ ଶନିବାର ଶେଷ ଦଳ ଭାବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ଏହି ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ଶନିବାର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ୱିକେଟ୍‌ରେ ପରାସ୍ତ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ ଲିଗ୍ ପର୍ଯ୍ୟାୟରୁ ପ୍ରତିଯୋଗିତାରୁ ବିଦାୟ ନେଇଛି । ପ୍ଲେଅଫ୍‌ରେ ପହଞ୍ଚିବା ସକାଶେ ଦଳକୁ ଶନିବାରର ମ୍ୟାଚ୍‌ଟି ଜିତିବାର ଥିଲା । କିନ୍ତୁ ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୭ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୫ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ଫଳରେ ଦିଲ୍ଲୀ ତା’ର ସପ୍ତମ ପରାଜୟ ବରଣ କରିଥିଲା । ଅନ୍ୟପକ୍ଷରେ ଚତୁର୍ଥ ବିଜୟ ସହ ମୁମ୍ବାଇ ସବା ଶେଷ ସ୍ଥାନରେ ରହି ସଂସ୍କରଣ ଶେଷ କରିଛି । ଆସନ୍ତା ୨୪ରେ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ପ୍ରଥମ କ୍ୱାଲିଫାୟର୍ ଏବଂ ୨୫ରେ ଏଲ୍‌ଏସ୍‌ଜି ଓ ଆର୍‌ସିବି ମଧ୍ୟରେ ଏଲିମିନେଟର୍ ଖେଳାଯିବ ।

ଦିଲ୍ଲୀ ଓପନର ଡେଭିଡ୍ ୱାର୍ଣ୍ଣର୍ ୫ ଓ ମିଚେଲ୍ ମାର୍ଶ ଶୂନରେ ଆଉଟ୍ ହେବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଅନ୍ୟତମ ଓପନର ପୃଥ୍ୱୀ ଶ’ ୨ଟି ଚୌକା ଓ ଗୋଟିଏ ଛକା ସହ ୨୪ ରନ୍ କରିଥିଲେ । ତେବେ ଶେଷ ପର୍ଯ୍ୟନ୍ତ ଦଳ କ୍ରମାଗତ ୱିକେଟ୍‌ମାନ ହରାଇଚାଲିବା ଫଳରେ ମୁମ୍ବାଇକୁ ବିଶେଷ ବଡ଼ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ ରୋଭମାନ୍ ପାୱେଲ୍ ୩୪ଟି ବଲ୍ ଖେଳି ଗୋଟିଏ ଚୌକା ଓ ୪ଟି ଛକା ସହ ସର୍ବାଧିକ ୪୩ ରନ୍ କରିଥିଲେ । ଅଧିନାୟକ ପନ୍ତ୍ ୩୩ଟି ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୯ ରନ୍ କରିଥିବା ବେଳେ ଅକ୍ଷର ପଟେଲ୍ ୨ଟି ଛକା ସହ ୧୯ ରନ୍‌ର ଯୋଗଦାନ ଦେଇଥିଲେ । ମୁମ୍ବାଇ ପକ୍ଷରୁ ଜସପ୍ରୀତ୍ ବୁମ୍‌ରା ୩ଟି, ରମନ୍‌ଦୀପ ସିଂହ ୨ଟି ଏବଂ ଡାନିଏଲ୍ ସାମ୍ସ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ମୁମ୍ବାଇ ଅଧିନାୟକ ତଥା ଓପନର ରୋହିତ ଶର୍ମା ମାତ୍ର ୨ ରନ୍ କରି ଦୁର୍ବଳ ପ୍ରଦର୍ଶନ ଜାରି ରଖିଥିଲେ । ତେବେ ଅନ୍ୟତମ ଓପନର ଈଶାନ୍ କିଶନ୍ ଓ ଡେୱାଲ୍ଡ ବ୍ରେଭିସ୍ ୫୧ ରନ୍ ଯୋଡ଼ିଥିଲେ । କିଶନ୍ ୩ଟି ଚୌକା ଓ ୪ଟି ଛକା ସହ ୪୮ ରନ୍ କରିଥିବା ବେଳେ ବ୍ରେଭିସ୍ ଗୋଟିଏ ଚୌକା ଓ ୩ଟି ଛକା ସହ ୩୭ ରନ୍ କରିଥିଲେ । ଏହାଛଡ଼ା ତିଲକ ବର୍ମା ଓ ଟିମ୍ ଡେଭିଡ୍‌ଙ୍କ ମଧ୍ୟରେ ୫୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇଥିଲା । ଡେଭିଡ୍ ମାତ୍ର ୧୧ଟି ବଲ୍‌ରେ ୨ଟି ଚୌକା ଓ ୪ଟି ଛକା ସହ ୩୪ ରନ୍ କରିଥିବା ବେଳେ ବର୍ମା ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୧ ରନ୍ କରିଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ କ୍ୟାପିଟାଲ୍ସ-୧୫୯/୭, ୨୦ ଓଭର୍ (ରୋଭମାନ୍ ପାୱେଲ୍‌-୪୩, ଋଷଭ ପନ୍ତ୍‌-୩୯, ଜସପ୍ରୀତ୍ ବୁମ୍‌ରା-୨୫/୩, ରମନ୍‌ଦୀପ ସିଂହ-୨୯/୨); ମୁମ୍ବାଇ ଇଣ୍ଡିଆନ୍ସ- (ଈଶାନ୍ କିଶନ୍‌-୪୮, ଡେୱାଲ୍ଡ ବ୍ରେଭିସ୍‌-୩୭, ଶାର୍ଦ୍ଦୁଲ୍ ଠାକୁର-୩୨/୨, ଆନରିଚ୍ ନୋର୍ଜେ-୩୭/୨) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking