27.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଆଇପିଏଲ୍ ୧୫: ଡି କକ୍‌ଙ୍କ ଅପରାଜିତ ୧୪୦, ନବମ ବିଜୟ ସହ ପ୍ଲେଅଫ୍‌ରେ ଲକ୍ଷ୍ନୌ

ଆଇପିଏଲ୍ ୧୫: ଡି କକ୍‌ଙ୍କ ଅପରାଜିତ ୧୪୦, ନବମ ବିଜୟ ସହ ପ୍ଲେଅଫ୍‌ରେ ଲକ୍ଷ୍ନୌ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୬ତମ ମ୍ୟାଚ୍‌ରେ ବୁଧବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୨ ରନ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ହରାଇ ଦେଇଛି । ଏହା ସହିତ ଲକ୍ଷ୍ନୌ ପ୍ଲେଅଫ୍‌ରେ ସ୍ଥାନ ସୁରକ୍ଷିତ କରିଛି । ଲକ୍ଷ୍ନୌ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ୍ ସହ ଟେବଲ୍‌ର ଦ୍ୱିତୀୟ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ କେକେଆର୍ ୧୪ ମ୍ୟାଚ୍‌ରୁ ୧୨ ପଏଣ୍ଟ୍ ନେଇ ପ୍ଲେଅଫ୍ ଦୌଡ଼ରୁ ବିଦାୟ ନେଇଛି ।

ଟସ୍ ଜିତି ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ପ୍ରଥମେ ୱିକେଟ୍‌କିପର୍ କ୍ୱିଣ୍ଟନ୍ ଡି କକ୍‌ଙ୍କ ୧୪୦ ଏବଂ ଅଧିନାୟକ କେଏଲ୍ ରାହୁଲଙ୍କ ୬୮ ରନ୍ ବଳରେ ବିନା କୌଣସି ୱିକେଟ୍ ହରାଇ ୨୧୦ ରନ୍‌ର ବିରାଟ ସ୍କୋର୍ କରିଥିଲା । ୭୦ ବଲ୍‌ର ଇନିଂସ୍‌ରେ ଡି କକ୍ ୧୦ ଚୌକା ଓ ୧୦ ଛକା ଲଗାଇଥିଲେ । ସେହିପରି ରାହୁଲଙ୍କ ୫୧ ବଲ୍‌ର ଇନିଂସ୍‌ରେ ତିନିଟି ଚୌକା ଓ ଚାରିଟି ଛକା ସାମିଲ ଥିଲା ।

ଆଇପିଏଲ୍‌ରେ ଡି କକ୍‌ଙ୍କର ଏହା ଦ୍ୱିତୀୟ ଶତକ ହୋଇଥିବା ବେଳେ ପ୍ରଥମ ଶତକ ୨୦୧୬ରେ ଆର୍‌ବିସି ବିପକ୍ଷରେ ହାସଲ କରିଥିଲେ । ଏହା ସହିତ ଚଳିତ ସିଜନ୍‌ରେ ସେ ସବୁଠୁ ବଡ଼ ସ୍କୋର୍‌ର ରେକର୍ଡ ମଧ୍ୟ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଜୋଶ୍ ବଟ୍‌ଲର୍‌ଙ୍କ ନାମରେ ଥିଲା । ସେ କେକେଆର୍ ବିପକ୍ଷରେ ୧୧୬ ରନ୍‌ର ଇନିଂସ୍ ଖେଳିଥିଲେ । ସେହିପରି ରାହୁଲ ଚଳିତ ସିଜନ୍‌ରେ ୫୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଏହା ସହିତ ଡି କକ୍ ଓ ରାହୁଲ ଆଇପିଏଲ୍ ଇତିହାସରେ ସବୁଠୁ ବଡ଼ ଓପ୍ନିଂ ପାର୍ଟନର୍‌ଶିପ୍‌ର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଡି କକ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

ଜବାବରେ କେକେଆର୍ ୮ ୱିକେଟ୍ ବିନିମୟରେ ୨୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅଧିନାୟକ ଶ୍ରେୟସ୍ ଆୟର୍ ୫୦, ନୀତିଶ ରାଣା ୪୨ ଓ ରିଙ୍କୁ ସିଂହ ୪୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ ବିଲିଙ୍ଗ୍‌ସ ୩୬ ଏବଂ ସୁନୀଲ୍ ନାରିନ୍ ଅପରାଜିତ ୨୧ ରନ୍‌ର ଇନିଂସ୍ ଖେଳିଥିଲେ । ଲକ୍ଷ୍ନୌ ପକ୍ଷରୁ ମୋହସିନ୍ ଖାନ୍ ଓ ମାର୍କସ୍ ଷ୍ଟୋଇନିସ୍ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । କେ. ଗୋସ୍ୱାମୀ ଓ ରବି ବିଷ୍ଣୋଇଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ସଂକ୍ଷିପ୍ତ ସ୍କୋର୍‌: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌-୨୧୦/୦, ୨୦ ଓଭର୍ (କ୍ୱିଣ୍ଟନ୍ ଡି କକ୍ -୧୪୦³, କେଏଲ୍ ରାହୁଲ -୬୮³) । କୋଲ୍‌କାତା ନାଇଟ୍ ରାଇଡର୍ସ-୨୦୮/୮, ୨୦ ଓଭର୍ (ଶ୍ରେୟସ୍ ଆୟର୍‌-୫୦, ନୀତିଶ ରାଣା-୪୨, ରିଙ୍କୁ ସିଂହ-୪୦, ମୋହସିନ୍ ଖାନ୍‌-୩/୨୦, ମାର୍କସ୍ ଷ୍ଟୋଇନିସ୍‌-୩/୨୩) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking