28.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫ : ତ୍ରିପାଠୀଙ୍କ ୭୬, ହାଇଦ୍ରାବାଦର ଷଷ୍ଠ ବିଜୟ

ଆଇପିଏଲ୍‌-୧୫ : ତ୍ରିପାଠୀଙ୍କ ୭୬, ହାଇଦ୍ରାବାଦର ଷଷ୍ଠ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ୬୫ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ହାଇଦ୍ରାବାଦ ରାହୁଲ୍ ତ୍ରିପାଠୀଙ୍କ ୭୬ ରନ୍‌ର ବଳିଷ୍ଠ ଇନିଂସ ସହାୟତାରେ ୬ ୱିକେଟ୍ ବିନିମୟରେ ୧୯୩ ରନ୍ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ଟି ୱିକେଟ ହରାଇ ୧୯୦ ରନ୍ କରି ପ୍ରତିଯୋଗିତାରେ ତା’ର ଦଶମ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ଷଷ୍ଠ ବିଜୟ ସହ ହାଇଦ୍ରାବାଦ ତା’ର ପ୍ଲେଅଫ୍‌ରେ ପହଞ୍ଚିବାର ସାମାନ୍ୟ ଆଶାକୁ ଉଜ୍ଜୀବିତ ରଖିଛି ।

ଫର୍ମହୀନ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଓପନିଂରେ ଅଭିଷେକ ଶର୍ମାଙ୍କ ସହ ପ୍ରିୟମ୍ ଗର୍ଗଙ୍କୁ ସୁଯୋଗ ଦେଇଥିଲେ । ତେବେ ଅଭିଷେକ ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଗର୍ଗ ଓ ତ୍ରିପାଠୀ ୭୮ ରନ୍ ଯୋଡ଼ି ଦଳ ପାଇଁ ବଡ଼ ସ୍କୋର୍‌ର ଭିତ୍ତି ପ୍ରସ୍ତୁତ କରିଥିଲେ । ଗର୍ଗ ୨୬ଟି ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ସହ ୪୨ ରନ୍‌ର ଅବଦାନ ଦେବା ପରେ ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ ତ୍ରିପାଠୀ ବଳିଷ୍ଠ ବ୍ୟାଟିଂ କରିବା ସହ ନିକୋଲାସ୍ ପୂରନ୍‌ଙ୍କ ସାଥୀରେ ୭୬ ରନ୍‌ର ଆଉ ଏକ ମଜଭୁତ ଭାଗୀଦାରୀ କରିଥିଲେ । ପୂରନ୍ ୨୨ଟି ବଲ୍‌ରେ ୨ଟି ଚୌକା ଓ ୩ଟି ଛକା ସହ ୩୮ ରନ୍ କରିଥିବା ବେଳେ ତ୍ରିପାଠୀ ୪୪ଟି ବଲ୍ ଖେଳି ୯ଟି ଚୌକା ଓ ୩ଟି ଛକା ଜରିଆରେ ୭୬ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ରମନ୍‌ଦୀପ ସିଂହ ୩ଟି ଏବଂ ଡାନିଏଲ୍ ସାମ୍ସ, ରିଲି ମେରେଡିଥ୍ ଓ ଜସପ୍ରୀତ୍ ବୁମ୍‌ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଅଧିନାୟକ ରୋହିତ ଶର୍ମା (୪୮ ରନ୍‌, ୨ ଚୌକା, ୪ ଛକା) ଓ ତାଙ୍କ ଯୋଡ଼ିଦାର ଈଶାନ୍ କିଶନ୍ (୪୩, ୫ ଚୌକା, ୧ ଛକା)ଙ୍କ ସହ ବଳିଷ୍ଠ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୯୫ ରନ୍ ଯୋଡ଼ଥିଲେ । ତେବେ ମାତ୍ର ୬ ରନ୍ ବ୍ୟବଧାନରେ ଦୁଇ ଓପନର ଆଉଟ୍ ହେବା ଫଳରେ ହାଇଦ୍ରାବାଦ ପଲା ଭାରୀ ରହିଥିଲା । ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଦଳ ମୁମ୍ବାଇକୁ ୧୪୪/୫ରେ ପହଞ୍ଚାଇଦେଇଥିଲା । କିନ୍ତୁ ଟିମ୍ ଡେଭିଡ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ହାଇଦ୍ରାବାଦ ପେସର୍ ଟି. ନଟରାଜନ୍‌ଙ୍କ ଗୋଟିଏ ଓଭର୍‌ରେ ୪ଟି ଛକା ଲଗାଇ ମୁମ୍ବାଇ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ । କିନ୍ତୁ ଉକ୍ତ ଓଭର୍‌ରେ ସେ ରନ୍‌ଆଉଟ୍ ହେବା ଫଳରେ ପୁଣିଥରେ ମ୍ୟାଚ୍‌କୁ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିଥିଲା । ଡେଭିଡ୍ ମାତ୍ର ୧୮ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହ ୪୬ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଉମରାନ୍ ମଲିକ ୩ଟି ଏବଂ ଭୁବନେଶ୍ୱର କୁମାର ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ-୧୯୩/୬, ୨୦ ଓଭର୍ (ରାହୁଲ୍ ତ୍ରିପାଠୀ-୭୬, ପ୍ରିୟମ୍ ଗର୍ଗ-୪୨, ରମନ୍‌ଦୀପ ସିଂହ-୨୦/୩, ଜସପ୍ରୀତ୍ ବୁମ୍‌ରା-୩୨/୧); ମୁମ୍ବାଇ ଇଣ୍ଡିଆନ୍ସ-୧୯୦/୭, ୨୦ ଓଭର୍ (ରୋହିତ ଶର୍ମା-୪୮, ଟିମ୍ ଡେଭିଡ୍‌-୪୬, ଉମରାନ୍ ମଲିକ-୨୩/୩, ଭୁବନେଶ୍ୱର କୁମାର-୨୬/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking