29.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ହାଇଦ୍ରାବାଦକୁ ହରାଇଲା କୋଲ୍‌କାତା

ଆଇପିଏଲ୍‌-୧୫: ହାଇଦ୍ରାବାଦକୁ ହରାଇଲା କୋଲ୍‌କାତା

ପୁଣେ: ଚଳିତ ଆଇପିଏଲ୍‌ରେ ଶନିବାର ଏଠାରେ ୬୧ତମ ମ୍ୟାଚ୍‌ଟି ଖେଳାଯାଇଛି । ଏଥିରେ କୋଲ୍‌କାତା ନାଇଟ୍ ରାଇଡର୍ସ ପ୍ରତିପକ୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୫୪ ରନ୍‌ରେ ପରାସ୍ତ କରି ଏବେ ବି ତା’ର ପ୍ଲେଅଫ୍ ଆଶାକୁ ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲ୍‌କାତା ୬ ୱିକେଟ୍‌ରେ ୧୭୭ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ହାଇଦ୍ରାବାଦ ୮ଟି ୱିକେଟ୍ ବିନିମୟରେ ୧୨୩ ରନ୍ କରି ପ୍ରତିଯୋଗିତାରେ ତା’ର ସପ୍ତମ ପରାଜୟ ବରଣ କରିଛି ।

ଓପନର ଭେଙ୍କଟେଶ ଆୟର୍ (୭)ଙ୍କୁ ସଅଳ ହରାଇଥିଲେ ହେଁ କୋଲ୍‌କ।।ତ ପାଇଁ ଦ୍ୱିତୀୟ ୱିକେଟ୍‌ରେ ଅନ୍ୟତମ ଓପନର ଆଜିଙ୍କ୍ୟ ରାହାଣେ ଓ ନୀତିଶ ରାଣା ୪୮ ରନ୍ ଯୋଡ଼ିଥିଲେ । ରାଣା ୧୬ଟି ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହ ୨୬ ରନ୍ କରି ଆଉଟ୍ ହେବାରୁ ଏହି ଭାଗୀଦାରୀ ଭାଙ୍ଗିଥିଲା । ତାଙ୍କୁ ଆଉଟ୍ କରି ହାଇଦ୍ରାବାଦ ପେସର୍ ଉମରାନ୍ ମଲିକ ତାଙ୍କ ୱିକେଟ୍ ନେବା ଧାରା ଆରମ୍ଭ କରିଥିଲେ । ପରେ ରାହାଣେ ଓ ଅଧିନାୟକ ଶ୍ରେୟସ୍ ଆୟର୍‌ଙ୍କୁ ଆଉଟ୍ କରି ଉମରାନ୍ କୋଲ୍‌କାତାର ରନ୍ ସଂଗ୍ରହ ହାରକୁ କମାଇଦେଇଥିଲେ । ପରେ ରିଙ୍କୁ ସିଂହ ମାତ୍ର ୫ ରନ୍ କରି ଆଉଟ୍ ହେବା ଫଳରେ କୋଲ୍‌କାତା ୯୫ ରନ୍ ମଧ୍ୟରେ ୫ଟି ୱିକେଟ୍ ହରାଇଥିଲା । କିନ୍ତୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ଦଳୀୟ ସ୍କୋର୍‌କୁ ୧୭୭ରେ ପହଞ୍ଚାଇଥିଲେ । ସେ ଇନିଂସର ଶେଷ ଓଭର୍‌ରେ ୩ଟି ଛକା ମାରିବା ସହ ମାତ୍ର ୨୮ଟି ବଲ୍‌ରେ ୪୯ ରନ୍ କରିଥିଲେ । ତାଙ୍କର ଏହି ଧୂଆଁଧାର ଇନିଂସରେ ୩ଟି ଚୌକା ଓ ୪ଟି ଛକା ରହିଥିଲା । ସେ ମଧ୍ୟ ଷଷ୍ଠ ୱିକେଟ୍‌ରେ ସାମ୍ ବିଲିଙ୍ଗ୍‌ସଙ୍କ ସହ ୬୩ ରନ୍‌ର ଭାଗୀଦାରୀ କରିଥିଲେ । ବିଲିଙ୍ଗ୍‌ସ ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ତାଙ୍କ ପୂର୍ବରୁ ରାହାଣେ ୩ଟି ଚୌକା ସହ ୨୮ ଓ ଅଧିନାୟକ ଶ୍ରେୟସ୍ ୨ଟି ଚୌକା ସହ ୧୫ ରନ୍‌ର ଅବଦାନ ଦେଇଥିଲେ । ହାଇଦ୍ରାବାଦ ପକ୍ଷରୁ ଉମରାନ୍‌ଙ୍କ ବ୍ୟତୀତ ଟି. ନଟରାଜନ୍‌, ମାର୍କୋ ଜାନ୍‌ସନ୍ ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ହାଇଦ୍ରାବାଦ ଅଧିନାୟକ ତଥା ଓପନର କେନ୍ ୱିଲିୟମ୍‌ସନ୍ ମାତ୍ର ୯ ରନ୍ କରି ଆଉଟ୍ ହୋଇ ତାଙ୍କର ଦୁର୍ବଳ ଫର୍ମ କାଏମ ରଖିଥିଲେ । କୋଲ୍‌କାତା ବୋଲର୍‌ମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ କୌଣସି ଉଲ୍ଲେଖନୀୟ ଭାଗୀଦାରୀର ସୁଯୋଗ ଦେଇ ନ ଥିଲେ । ଅନ୍ୟତମ ଓପନର ଅଭିଷେକ ଶର୍ମା ୨୮ଟି ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ସହ ୪୩ ରନ୍ କରିଥିବା ବେଳେ ଆଇଡେନ୍ ମାର୍କରାମ୍ ୩ଟି ଛକା ସହ ୩୨ ରନ୍‌ର ଯୋଗଦାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ୍ ତ୍ରିପାଠୀ ୯, ଶଶାଙ୍କ ସିଂହ ୧୧, ୱାଶିଂଟନ୍ ସୁନ୍ଦର ୪, ଭୁବନେଶ୍ୱର ଅପରାଜିତ ୬ ରନ୍ କରିଥିଲେ । କୋଲ୍‌କାତା ପାଇଁ ରସେଲ୍ ସଫଳତମ ବୋଲର୍ ଭାବେ ୩ଟି ୱିକେଟ୍ ନେଇଥିଲେ । ତା’ଛଡ଼ା ଟିମ୍ ସାଉଦି ୨ଟି ଏବଂ ଉମେଶ ଯାଦବ, ବରୁନ୍ ଚକ୍ରବର୍ତ୍ତୀ ଓ ସୁନୀଲ ନରିନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର: କୋଲ୍‌କାତା ନାଇଟ୍ ରାଇଡର୍ସ-୧୭୭/୬, ୨୦ ଓଭର୍ (ଆନ୍ଦ୍ରେ ରସେଲ୍‌-୪୯³, ସାମ୍ ବିଲିଙ୍ଗ୍‌ସ-୩୪, ଉମରାନ୍ ମଲିକ-୩୩/୩, ଭୁବନେଶ୍ୱର କୁମାର-୨୭/୧); ସନ୍‌ରାଇଜର୍ସ ହାଇଦ୍ରାବାଦ-୧୨୩/୮, ୨୦ ଓଭର୍ (ଅଭିଷେକ ଶର୍ମା-୪୩, ଆଇଡେନ୍ ମାର୍କରାମ୍‌-୩୨, ଆନ୍ଦ୍ରେ ରସେଲ୍‌-୨୨/୩, ଉମେଶ ଯାଦବ-୧୯/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking