34.1 C
Bhubaneswar
Friday, March 29, 2024
Homeଓଡିଶାଗୋଗୁଆରେ ନାହିଁ ମୋବାଇଲ ସଂଯୋଗ, ଗଛ ଉପରେ ପଢୁଛନ୍ତି ପାଠପଢ଼ା

ଗୋଗୁଆରେ ନାହିଁ ମୋବାଇଲ ସଂଯୋଗ, ଗଛ ଉପରେ ପଢୁଛନ୍ତି ପାଠପଢ଼ା

ରେଢାଖୋଲ : କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମକୁ ଡିଜିଟାଲ ଇଣ୍ଡିଆରେ ପରିଣତ ପାଇଁ ପୂର୍ବରୁ ଘୋଷଣା କରିଛନ୍ତି । ହେଲେ ଏବେ ବି ବହୁ ଗ୍ରାମରେ ମୋବାଇଲ ନେଟୱାର୍କ ଆସୁ ନ ଥିବାରୁ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କେବକ କିସିଣ୍ଡା ପଞ୍ଚାୟତରେ ୩୧ଟି ଗ୍ରାମ, ନାକଟିଦେଉଳ ପଞ୍ଚାୟତର ୨୦ଟି ଗ୍ରାମରେ ନେଟ ସଂଯୋଗ ନଥିବା ଜଣାପଡ଼ିଛି । ଯାହା ଫଳରେ ଛାତ୍ରଛାତ୍ରୀମାନେ ଗଛ ଉପରେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିବା ଦେଖାଯାଇଛି ।
ନାକଟିଦେଉଳ ବ୍ଲକର ଅନ୍ୟ ୧୨ଟି ପଞ୍ଚାୟତର ଅନେକ ଗ୍ରାମରେ ଏବେ ବି ଲୋକମାନେ ମୋବାଇଲରେ କଥାବାର୍ତ୍ତା କରିପାରୁନାହାଁନ୍ତି । ଏଭଳି ଗାଁଗୁଡ଼ିକ ହେଲା ନାକଟିଦେଉଳ ବ୍ଲକର ନବଗଠିତ ଗୋଗୁଆ ପଞ୍ଚାୟତର ଗୋଗୁଆ, ଡଇଁଚା ପଞ୍ଚାୟତର ରୁକୁଣୀପୁର, ଗୋପାଳପୁର, ଢୁଙ୍ଗଛାଲି, ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ, ରାଇଲ, ବ୍ରାହ୍ମଣୀ, କ୍ଷେତ୍ରପୁର, ବଡ଼ବିଲ, କମାଳାନାଳୀ ପ୍ରଭୃତି । ଗ୍ରାମର ଲୋକମାନେ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଗଛ ଉପରକୁ ଚଢ଼ି ମୋବାଇଲରେ କଥାବାର୍ତ୍ତା କରୁଛନ୍ତି । ଯଦି କୌଣସି ସ୍ଥାନରେ ନେଟ୍ ଚାଲୁ ଥାଏ ତାହାହେଲେ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରୁଛନ୍ତି । ଆଉ କେଉଁଠି ପାଣି ଟାଙ୍କି ଉପରର ଚଢ଼ି ଜୀବନକୁ ବାଜି ଲଗାଇ ମୋବାଇଲ୍‌ରେ ପାଠ ପଢୁଛନ୍ତି । ମୋଦି ସରକାରଙ୍କ ଡିଜିଟାଲ ଇଣ୍ଡିଆ ଗ୍ରାମଗୁଡ଼ିକରେ କେବେ କାର୍ଯ୍ୟକାରୀ ହେବ ଲୋକେ ଚାହିଁ ବସିଛନ୍ତି । ସରକାରୀ ଅଧିକାରୀଙ୍କ ଭୁଲ ତଥ୍ୟ ଯୋଗୁଁ ନାକଟିଦେଉଳ ବ୍ଲକର ଅନେକ ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କ ସମୟରେ କହିଥିଲେ ଯେ, ବୁଡି ଅଞ୍ଚଳର ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମ ଭାବେ ଗଠନ କରି ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ହେଲେ ରେଙ୍ଗାଲି ଡ୍ୟାମ୍ ଅଞ୍ଚଳରୁ ବାସଚ୍ୟୁତ ଗୋଗୁଆ ଗ୍ରାମ ଯଦିଓ ପଞ୍ଚାୟତର ମାନ୍ୟତା ପାଇଛି, ତଥାପି ଯେତିକି ସୁବିଧା ମିଳିବା କଥା ତାହା ଏ ପର୍ଯ୍ୟନ୍ତ ମିଳିନାହିଁ । ୧୯୮୪ରେ ଏହି ଗ୍ରାମ ରେଢାଖୋଲ ନିକଟସ୍ଥ ଖୋଲଗଡ଼ ସରଂକ୍ଷିତ ଜଙ୍ଗଲରେ ୨ଶହ ପରିବାରକୁ ନେଇ ଗଠିତ ହୋଇଥିଲା । ବାସଚ୍ୟୁତ ପରେ ପରେ ଯେତିକି ସୁବିଧା ସୁଯୋଗ ମିଳିବା କଥା ତାହା ମିଳି ପାରିଲା ନାହିଁ । ବର୍ତ୍ତମାନ ଏହି ଗୋଗୁଆ ଗ୍ରାମରେ ୨୫୦ ପରିବାର ମଧ୍ୟରେ ୯ ଶହ ଲୋକଙ୍କ ପାଖରେ ମୋବାଇଲ ଉପଲବ୍ଧ ଥିବା ବେଳେ ମୋବାଇଲ ନେଟୱାର୍କ ନ ଥିବାରୁ ଲୋକମାନେ ବାଧ୍ୟହୋଇ ଗଛ ଉପରେ ଚଢି଼ ମୋବାଇଲରେ କଥାବାର୍ତ୍ତା କରୁଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking