33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକୋଭିଡ୍ ମୃତ୍ୟୁ ସାର୍ଟିଫିକେଟ ପ୍ରସଙ୍ଗରେ କେନ୍ଦ୍ରକୁ ନିର୍ଦ୍ଦେଶ, ୧୧ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କର :...

କୋଭିଡ୍ ମୃତ୍ୟୁ ସାର୍ଟିଫିକେଟ ପ୍ରସଙ୍ଗରେ କେନ୍ଦ୍ରକୁ ନିର୍ଦ୍ଦେଶ, ୧୧ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କୋଭିଡ୍ ଜନିତ ମୃତ୍ୟୁ ମାମଲାରେ ସାର୍ଟିଫିକେଟ ଇସ୍ୟୁ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି । ସେପ୍ଟେମ୍ବର ୧୧ ସୁଦ୍ଧା ଏ ସମ୍ପର୍କିତ ନିୟମାବଳୀ ଚୂଡାନ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ବିପର୍ଯ୍ୟୟରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ଜାତୀୟ ବୀମା ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବିକରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା ।

ଜୁନ୍ ୩୦ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିବାବେଳେ ଏତେ ପରିମାଣର ଅର୍ଥ ପ୍ରଦାନ କରିହେବ ନାହିଁ ବୋଲି କେନ୍ଦ୍ର ସରକାର ସେତେବେଳେ ଯୁକ୍ତି ଉପସ୍ଥାପନ କରିଥିଲେ । ଏ ପ୍ରସଙ୍ଗରେ କ୍ଷତିପୂରଣ ପରିମାଣ କେତେ ଧାର୍ଯ୍ୟ କରାଯିବ, ସେ ସମ୍ପର୍କରେ ଅବଗତ କରାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୬ ସପ୍ତାହ ସମୟ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହା ଆଉ ୪ ସପ୍ତାହ ବୃଦ୍ଧି କରାଯାଇଥିଲା । କେନ୍ଦ୍ର ସରକାର ଏଥିରେ ବିଫଳ ହେବାପରେ ସୁପ୍ରିମକୋର୍ଟ ପୁଣି ଦୁଇ ସପ୍ତାହ ମହଲତ ଦେଇଥିଲେ । ଶୁକ୍ରବାର ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କି ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଆଉ ଏକ ସପ୍ତାହ ସମୟ ଆବଶ୍ୟକ ।

ଏହାକୁ ନେଇ ଜଷ୍ଟିସ ଏମ.ଆର.ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ତାଚ୍ଛଲ୍ୟ କରି କହିଥିଲେ ଯେ ‘ଆପଣମାନେ ନିୟମାବଳୀ ପ୍ରସ୍ତୁତ କରିବା ସମୟରେ କୋଭିଡ୍‌ର ତୃତୀୟ ଲହର ଆସିଯାଇଥିବ । ପୂର୍ବ ଶୁଣାଣିରେ ସରକାର କହିଥିଲେ ଯେ ସେପ୍ଟେମ୍ବର ୩ ସୁଦ୍ଧା ଚୂଡାନ୍ତ ନିୟମାବଳୀ ସମ୍ପର୍କରେ ସତ୍ୟପାଠ ଦାଖଲ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇ ଏହାକୁ ଖିଲାପ କରିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଶେଷ ସୁଯୋଗ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking