ଇଣ୍ଡୋନେସିଆ ଓପନ୍ : ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, ଶ୍ରୀକାନ୍ତ ଓ ପ୍ରଣୀତ 

ବାଲି: ଭାରତର ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସର ଏକ ସଂଘର୍ଷପୂର୍ଣ୍ଣ ତିନି ଗେମ୍ ବିଶିଷ୍ଟ ମ୍ୟାଚ୍‌ରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବୁଧବାର ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେହିପରି ବି ସାଇ ପ୍ରଣୀତ ଓ କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତି ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ।
ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ପ୍ରଥମ ଗେମ୍ ହରାଇବା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଏକ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ରେ ଜାପାନର ଅୟା ଓହୋରିଙ୍କୁ ୧୭-୨୧, ୨୧-୧୭, ୨୧-୧୭ରେ ହରାଇ ପ୍ରିକ୍ୱାଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

ଏହି ବିଜୟ ଫଳରେ ଜାପାନୀ ଖେଳାଳିଙ୍କ ବିପକ୍ଷରେ ସିନ୍ଧୁ ନିଜର ପ୍ରଭାବଶାଳୀ ରେକର୍ଡକୁ ୧୧-୦ରେ ପହଞ୍ଚାଇଛନ୍ତି । ଗତ ସପ୍ତାହରେ ଏଠାରେ ଜାପାନର ଅକାନେ ୟାମାଗୁଚିଙ୍କଠାରୁ ସିଧା ଗେମ୍‌ରେ ହାରି ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୭୫୦ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିବା ସିନ୍ଧୁ ପରବର୍ତ୍ତୀ ମ୍ୟାଚ୍‌ରେ ୨୩ ବର୍ଷୀୟା ଜର୍ମାନ୍ ଶଟଲର୍ ୟଭୋନ୍ ଲି’ଙ୍କୁ ଭେଟିବେ । ଏହା ୩ୟ ସିଡ୍ ଭାରତୀୟ ଖେଳାଳି ଓ ବିଶ୍ୱର ୨୬ ନମ୍ବର ଲି’ଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହେବ । ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ୧୬ ନମ୍ବର ଖେଳାଳି ବି ସାଇ ପ୍ରଣୀତ ଫ୍ରାନ୍ସର ଟୋମା ଜୁନିୟର୍ ପୋପୋଭ୍‌ଙ୍କ ବିପକ୍ଷରେ ୨୧-୧୯, ୨୧-୧୮ରେ ବିଜୟୀ ହୋଇଛନ୍ତି । ଅନ୍ୟ ଏକ ମ୍ୟାଚ୍‌ରେ ଗତ ସପ୍ତାହର ଇଣ୍ଡୋନେସିଆ ଓପନ୍ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ପ୍ରଦର୍ଶନର ପୁନାରୁବୃତ୍ତି ଘଟାଇ ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ହରାଇ ଦେଇଛନ୍ତି ।

ନିକଟରେ ହାଇଲୋ ଓପନ୍ ଓ ଇଣ୍ଡୋନେସିଆ ମାଷ୍ଟର୍ସ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ପୂର୍ବତନ ବିଶ୍ୱ ନମ୍ବର ଏକ ଶ୍ରୀକାନ୍ତ ତାଙ୍କର ଉନ୍ନତ ପ୍ରଦର୍ଶନକୁ ଜାରି ରଖି ୫୬ ମିନିଟ୍ ମଧ୍ୟରେ ୨୧-୧୫, ୧୯-୨୧, ୨୧-୧୨ରେ ପ୍ରଣୟଙ୍କୁ ହରାଇ ଦେଇଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରଣୀତ ଫ୍ରାନ୍ସର କ୍ରିଷ୍ଟୋ ପୋପାଭ୍‌ଙ୍କୁ ଭେଟିବାର ଥିବାବେଳେ ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଦ୍ୱିତୀୟ ସିଡ୍ ଡେନ୍‌ମାର୍କର ଭିକ୍ଟୋର ଆକ୍ସେଲ୍‌ସେନ୍ ଓ ଜାପାନର କୋକି ୱାଟାନ୍‌ବେଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ର ବିଜେତାଙ୍କୁ ଦ୍ୱିତୀୟ ରାଉଣ୍ଡ୍‌ରେ ଭେଟିବେ ।

LEAVE A REPLY

Please enter your comment!
Please enter your name here