27.1 C
Bhubaneswar
Friday, March 29, 2024
Homeଓଡିଶାପୌରସଂସ୍ଥା ଉପାଧ୍ୟକ୍ଷ, ଡେପୁଟି ମେୟରଙ୍କ ପାଇଁ ପରୋକ୍ଷ ନିର୍ବାଚନ ଆଜି

ପୌରସଂସ୍ଥା ଉପାଧ୍ୟକ୍ଷ, ଡେପୁଟି ମେୟରଙ୍କ ପାଇଁ ପରୋକ୍ଷ ନିର୍ବାଚନ ଆଜି

ଭୁବନେଶ୍ୱର: ରାଜ୍ୟର ୩ଟି ମହାନଗର ନିଗମର ଡେପୁଟି ମେୟର ଓ ୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ପଦ ନିମନ୍ତେ ପରୋକ୍ଷ ନିର୍ବାଚନ ଆଜିଅନୁଷ୍ଠିତ ହେବ । ଡେପୁଟି ମେୟରଙ୍କ ପାଇଁ ୭ରୁ ୯ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ପୌରସଂସ୍ଥା ଉପାଧ୍ୟକ୍ଷ ପାଇଁ କେବଳ ୭ରେ ପରୋକ୍ଷ ନିର୍ବାଚନ ହେବ । ସେଥିପାଇଁ ପ୍ରତି ଭୋଟ୍ କେନ୍ଦ୍ରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାନଗର ନିଗମର ଡେପୁଟି ମେୟର ଓ ପୌରସଂସ୍ଥା ଉପାଧ୍ୟକ୍ଷ ପଦବୀ ପରୋକ୍ଷ ନିର୍ବାଚନ ପାଇଁ ନୂଆ ନିୟମ ଜାରି ହୋଇଛି । ସେହି ନୂତନ ନିୟମାନୁସାରେ ପରୋକ୍ଷ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଜଣେ କରି ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ସେହି ପ୍ରାଧିକୃତ ପ୍ରତିନିଧିଙ୍କୁ ଭୋଟ୍ ଦାନ କରିବାକୁ ଯାଇଥିବା ସଂପୃକ୍ତ ଦଳର ସଭ୍ୟମାନେ ଭୋଟ୍ ବାକ୍ସରେ ଭୋଟ୍ ପକାଇବା ପୂବରୁ ଦେଖାଇବେ । ଗୁପ୍ତରେ ତାହା ହେବ ନାହିଁ ।

ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟରେ ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦ ନିମନ୍ତେ ତିନି ଦିନ ପରୋକ୍ଷ ନିର୍ବାଚନ ହେବ । ଅର୍ଥାତ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ୭ ତାରିଖ ଧାର୍ଯ୍ୟ ହୋଇଥିଲାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ନିର୍ବାଚନ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ପୁଣି ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ଓ ଅପରାହ୍ନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ ।

ସେହିଦିନ ଅପରାହ୍ନ ଦେଢ଼ଟାରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମତଦାନ ପରେ ପରେ ଭୋଟ୍‌ଗଣତି କରି ଫଳାଫଳ ଘୋଷଣା କରାଯିବ । ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।
ଶ୍ରୀ ସାହୁ ପୁଣି କହିଛନ୍ତି ଯେ ପୌରସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସୂଚୀ ବି ଜାରି ହୋଇଛି । ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଏହାପରେ ଅପରାହ୍ନ ସାଢ଼େ ଗୋଟାଏରୁ ଅପରାହ୍ନ ସାଢ଼େ ୩ ଯାଏ ଭୋଟ୍ ପ୍ରକ୍ରିୟା ଚାଲୁ ରହିବ । ଯଦି କୌଣସି କାରଣରୁ ମତ ଦାନ ବିଳମ୍ବ ହୁଏ ତାହାଲେ କୌଣସି ସମସ୍ୟା ନାହିଁ । ମତଦାନ ପରେ ତତ୍‌କ୍ଷଣାତ୍ ଭୋଟ୍‌ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking