ଆଦିବାସୀ ନାବାଳିକା ବଳାତ୍କାର ମାମଲା: ପ୍ରଶାସନ ସହ ଯିବାକୁ ମଙ୍ଗିଲାନି ପୀଡ଼ିତା

ଯାଜପୁର : ଓଏଏସ୍‌ ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକାକୁ ବଳାତ୍କାର ଘଟଣାକୁ ୯ ଦିନ ବିତିଲାଣି । ପୁଲିସ୍‌ ପ୍ରଶାସନଠୁ ପରିବାର ବର୍ଗଙ୍କ ନ୍ୟାୟ ପାଇବା ଆଶା ଧୀରେ ମଉଳିବାରେ ଲାଗିଛି । ଗର୍ଭବତୀ ପୀଡି଼ତାଙ୍କ ଚିକିତ୍ସା ପାଇଁ ସରକାରୀ ହେପାଜତକୁ ନେବାକୁ ଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଟିମ୍‌ ଖାଲି ହାତରେ ଫେରିଛି । ପ୍ରଶାସନ ଉପରେ ଭରସା ନାହିଁ । ଏଥିପାଇଁ ଆମ ଝିଅକୁ ପ୍ରଶାସନ ହାତକୁ ଟେକି ଦେଇ ପାରିବୁନି ବୋଲି ପରିବାରବର୍ଗ ରୋକ୍‌ଠୋକ୍‌ ଶୁଣାଇଛନ୍ତି ।

ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଆଇନ ଅଧିକାରୀ ତପନ କୁମାର ପଣ୍ଡାଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଆଜି ବାଲିଚନ୍ଦ୍ରପୁର ଗସ୍ତ କରିଥିଲା । ତାଙ୍କ ସହ ଟିମ୍‌ରେ ବଡ଼ଚଣା ସ୍ୱାସ୍ଥ୍ୟ ବିଭାଗ, ମହିଳା ଶିଶୁବିକାଶ ବିଭାଗ, ସିଡିପିଓ, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଥିଲେ । ଟିମ୍‌ ପ୍ରଥମେ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଥାନାଧିକାରୀ ସୁକାନ୍ତ କୁମାର ପାତ୍ରଙ୍କ ସହ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ଟିମ୍‌ ପୀଡ଼ିତା ଘରକୁ ଯାଇଥିଲା । ପୀଡିତାଙ୍କ ମା’ଙ୍କୁ ଟିମ୍‌ କହିଥିଲା, ପୀଡ଼ିତା କୁମାରୀ ମାଆ ହେବାକୁ ଯାଉଛି । ଏଠାକାର ପରିବେଶ ପୀଡ଼ିତାର ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ଓ ଅସୁରକ୍ଷିତ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୀଡ଼ିତାଙ୍କୁ ସରକାରୀ ହେପାଜତରେ ନେବା ପାଇଁ ଆସିଛୁ ।

ଝିଅକୁ ନେବା ପାଇଁ ବଡବାବୁମାନେ ଆସିଥିବା ଶୁଣି ପୀଡି଼ତାର ମା’ ଧୈର୍ଯ୍ୟହରା ହୋଇ ପଡ଼ିଥିଲେ । ଅନେକ ବାବୁ ମାନେ ଆସୁଛନ୍ତି ସରକାର ତରଫ ରୁ ଆସିଛୁ କହୁ ଛନ୍ତି ।ସରକାର ପଠେଇଛନ୍ତି । ତୁମକୁ ନିଶ୍ଚିତ ନ୍ୟାୟ ମିଳିବ । ଦୋଷୀଙ୍କୁ ଶାସ୍ତି ଦିଆଯିବ । କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା, ଏବେ ପୁଲିସ ଜଣକ ପରେ ଜଣକୁ ଖସାଇ ଚାଲିଛି ।

ଅଭିଯୁକ୍ତ କୁ ନୋଟିସ୍‌ ଧରାଇ ଛାଡି଼ ଦେଇଛି । ଅନ୍ୟପଟେ ବଳାତ୍କାରର ମୁଖ୍ୟ ଅଭିଯୁକ୍ତ ଙ୍କୁପୁଲିସ ଏଯାଏଁ ଗିରଫ କଲାନି । ଚିକିତ୍ସା ନାଁରେ ଅଭିଯୁକ୍ତ ହସ୍ପିଟାଲରେ ଆତ୍ମଗୋପନ କରି ରଖିଛି ପୁଲିସ୍‌ । ଦିନ ପରେ ଦିନ ଗଡୁଛି । ପ୍ରଶାସନ ଇଙ୍ଗିତରେ ଅଭିଯୁକ୍ତମାନଙ୍କୁ ଖସାଇ ଦେବାକୁ ଚକ୍ରାନ୍ତ ଚାଲିଛି । ଏଥିପାଇଁ ପ୍ରଶାସନ ଉପରେ ଭରସା ତୁଟି ଯାଇଛି । ଯାହା ଆମ ଭାଗ୍ୟରେ ଥିବ, ତାହାହିଁ ହେବ । ଆମର ଘର ନାହିଁ, ଖାଇବାକୁ ମୁଠାଏ ଦାନା ନାହିଁ । ଆମକୁ ଆମ ଭାଗ୍ୟରେ ଛାଡିଦିିଅ ବୋଲି ସେ କହିଥିଲେ ।

ଶ୍ରୀ ପଣ୍ଡା କହିଛନ୍ତି, ପୀଡି଼ତାକୁ ଆମ ସହ ପଠାଇବାକୁ ପରିବାର ଲୋକ ଆଦୌ ରାଜି ନ ଥିଲେ । ଆସନ୍ତାକାଲି ପୁଣି ପୀଡ଼ିତାକୁ ଆଣିବାକୁ ତା’ ପରିବାରକୁ ବୁଝାଇବୁ । ଆଜିର ଘଟଣା ସମ୍ପର୍କରେ ଜିଲ୍ଲାପାଳ ଏବଂ କୋର୍ଟକୁ ଅବଗତ କରାଯାଇଛି । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରତିନିଧି ଦଳଙ୍କ ସହ ଜିଲ୍ଲା ଦଳିତ ସଂଘର ନେତା ଓ ପ୍ରତିନିଧିଦଳ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ପୀଡ଼ିତାକୁ ନ୍ୟାୟ ଓ ସୁରକ୍ଷା ଦାବି କରି ଥାନାରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଥାଉ କି, ଗର୍ଭ ପରୀକ୍ଷା ପାଇଁ ପୁଲିସ ପୂର୍ବରୁ ପୀଡ଼ିତାକୁ ଯାଜପୁରକୁ ଦୁଇଦିନ ନେଇଥିଲା । ପ୍ରଥମ ଦିନ ପରୀକ୍ଷା ହୋଇ ନପାରିବାରୁ ଫେରିଆସିଥିଲେ । ତେବେ ମାମଲାରେ ପୁଲିସ ଜାଣିଶୁଣି ଦିନ ଗଡ଼ାଇବା ସହିତ ଅଭିଯୁକ୍ତମାନଙ୍କୁ ଖସିବାର ଗଳାବାଟ ଦେଖାଉଥିବା ଅଭିଯୋଗ ହୋଇଛି । ପରୋକ୍ଷରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା ଏବଂ ବ୍ୟକ୍ତିଗତ ମୁଚାଲିକାରେ ଅଭିଯୁକ୍ତମାନଙ୍କୁ ଛାଡ଼ି ଦେବା ପୁଲିସର ସୁଚିନ୍ତିତ ପ୍ରୟାସ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here