38.1 C
Bhubaneswar
Saturday, April 20, 2024
Homeଖେଳମହିଳା ଦିନିକିଆ: ପ୍ରଥମ ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ

ମହିଳା ଦିନିକିଆ: ପ୍ରଥମ ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ

ମକାୟ: ସ୍ଥାନୀୟ ହାରୁପ୍ ପାର୍କରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଓ ବୋଲିଂ ପୁଣିଥରେ ବିଫଳ ହେବା ଫଳରେ ଅଷ୍ଟ୍ରେଲିଆ ୫୪ ବଲ୍ ପୂର୍ବରୁ ୯ ୱିକେଟ୍‌ରେ ବିଜୟୀ ହେବା ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଅଗ୍ରଣୀ ଲାଭ କରିଛି । ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୮ ୱିକେଟ୍ ହରାଇ ମାତ୍ର ୨୨୫ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୪୧ ଓଭର୍‌ରେ ଏକ ୱିକେଟ୍ ବିନିମୟରେ ୨୨୭ ରନ୍ କରି ଦିନିକିଆ ଫର୍ମାଟ୍‌ରେ କ୍ରମାଗତ ୨୫ତମ ବିଜୟ ହାସଲ କରିଛି । ଦିନିକିଆରେ ଅଷ୍ଟ୍ରେଲିଆ ୨୦୧୮ ମାର୍ଚ୍ଚ ପରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ । ଟିମ୍‌ର ବିଜୟରେ ଫାଷ୍ଟ ବୋଲର୍ ଡାର୍ସି ବ୍ରାଉନ୍ (୪/୩୩), ଓପ୍ନର୍ ଏଲିସା ହିଲି (୭୭ ରନ୍‌), ରାଚେଲ୍ ହେନ୍ସ (ଅପରାଜିତ ୯୩) ଏବଂ କ୍ୟାପ୍‌ଟେନ୍ ମେଗ୍ ଲାନିଙ୍ଗ୍ (୬୯ ବଲ୍‌ରେ ଅପରାଜିତ ୫୩ ରନ୍‌)ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ବ୍ରାଉନ୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଘୋଷିତ କରାଯାଇଥିଲା । ଭାରତୀୟ ଇନିଂସ୍‌ରେ ୪ର୍ଥ ନମ୍ବରରେ ବ୍ୟାଟଂ ପାଇଁ ଆସିଥିବା କ୍ୟାପ୍‌ଟେନ୍ ମିତାଲି ରାଜ ୧୦୭ ବଲ୍‌ରେ ୩ ଚୌକା ସହାୟତାରେ ୬୧ ରନ୍ କରିଥିଲେ, ଯାହା ତାଙ୍କର ଲଗାତାର ୫ମ ଓ ମୋଟ ୫୯ତମ ଅର୍ଦ୍ଧଶତକ ଥିଲା । ତାଙ୍କ ବ୍ୟତୀତ ପ୍ରଥମ ମ୍ୟାଚ୍ ଖେଳୁଥିବା ୟାସ୍ତିକା ଭାଟିଆ (୫୧ ବଲ୍‌ରେ ୩୫ ରନ୍‌) ଓ ରିଚା ଘୋଷ (୨୯ ବଲ୍‌ରେ ୩୨ ରନ୍‌) ଉପଯୋଗୀ ଯୋଗଦାନ କରିଥିଲେ । ସେହିପରି ଘୋଷ ଓ ଅନୁଭବୀ ଝୁଲନ ଗୋସ୍ୱାମୀ (୨୪ ବଲ୍ ୨୦ ରନ୍‌) ୮ମ ୱିକେଟ୍ ପାଇଁ ୪୫ ରନ୍ ଯୋଗ କରିଥିଲେ ।

ଭାରତ ପକ୍ଷରୁ ଓପ୍ନର ଶେଫାଳୀ ବର୍ମା (୮) ଓ ସ୍ମୃତି ମନ୍ଧାନା (୧୬) ଭଲ ଷ୍ଟାର୍ଟ କରିଥିଲେ ମଧ୍ୟ ହିଲିଙ୍କ ଦ୍ୱାରା ଶେଫାଳୀଙ୍କୁ କ୍ୟାଚ୍ ଆଉଟ୍ କରାଇ ବ୍ରାଉନ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବ୍ରାଉନ୍‌ଙ୍କ ବ୍ୟତୀତ ପ୍ରଥମ ଦିନିକିଆ ଖେଳୁଥିବା ହନ୍ନାହ ଡାର୍ଲିଂଟନ୍ ୨୯ ରନ୍‌ରେ ୨ଟି ଓ ସୋଫି ମେଲିନେକ୍ସ ୩୯ ରନ୍‌ରେ ୨ଟି ୱିକେଟ୍ ନେଇଥିଲେ । ଏହା ଅଷ୍ଟ୍ରେଲିଆ ପାଇଁ ବଡ଼ ଲକ୍ଷ୍ୟ ନ ଥିବା ବେଳେ ହେନ୍ସ ଓ ହିଲି ପ୍ରଥମ ୱିକେଟ୍ ପାଇଁ ୨୧.୨ ଓଭର୍‌ରେ ୧୨୬ ରନ୍ ଯୋଡ଼ି ଟିମ୍‌ର ବିଜୟ ନିଶ୍ଚିତ କରିଥିଲେ । ଲେଗ୍ ସ୍ପିନର୍ ପୁନମ ଯାଦବ (୧/୫୮) ହିଲିଙ୍କୁ ମିଡ୍ ଅଫ୍‌ରେ କ୍ୟାଚ୍ କରାଇ ଏହି ପାର୍ଟନର୍‌ଶିପ୍ ଭାଙ୍ଗିଥିଲେ ।

ଆଉଟ୍ ହେବା ପୂର୍ବରୁ ହିଲି ନିଜର ୧୩ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କର ଏହି ଇନିଂସ୍‌ରେ ୮ ଚୌକା ଓ ୨ଟି ଛକା ସାମିଲ ଥିଲା । ହିଲି ଓ ହେନ୍ସ ନିଜର ଏହି ଇନିଂସ୍ ଅବସରରେ ଦିନିକିଆରେ ୨ ହଜାର ରନ୍ ପୂରଣ କରିଥିଲେ । ହିଲି ଆଉଟ୍ ହେବା ପରେ ହେନ୍ସ ଓ ଲେନିଙ୍ଗ୍ ଇନିଂସ୍ ସମ୍ଭାଳି ୨ୟ ୱିକେଟ୍ ପାଇଁ ୧୦୧ ରନ୍‌ର ଅବିଭାଜିତ ପାର୍ଟନର୍‌ଶିପ୍ କରିଥିଲେ । ଏହି ଅବସରରେ ଉଭୟ ନିଜ ନିଜର ୧୬ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ଭାରତୀୟ ବୋଲର୍‌ଙ୍କ ମଧ୍ୟରେ ଅନୁଭବୀ ଝୁଲନ୍ ଗୋସ୍ୱାମୀ ମାପଚୁପ ବୋଲିଂ କରି ୩୮ ରନ୍ ଦେଇଥିଲେ ହେଁ କୌଣସି ୱିକେଟ୍ ପାଇପାରି ନଥିଲେ । ଉଭୟ ଟିମ୍ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୨୪ ତାରିଖରେ ଏଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking