27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରମୁମ୍ବାଇରେ ଚମକିଲେ କଟକ ପୁଅ, ଇଣ୍ଡିଆନ୍‌ ହିପ୍‌ହପ୍‌ ଡ୍ୟାନ୍ସ ପ୍ରତିଯୋଗିତାରେ ପାଇଲେ ସ୍ୱର୍ଣ୍ଣ

ମୁମ୍ବାଇରେ ଚମକିଲେ କଟକ ପୁଅ, ଇଣ୍ଡିଆନ୍‌ ହିପ୍‌ହପ୍‌ ଡ୍ୟାନ୍ସ ପ୍ରତିଯୋଗିତାରେ ପାଇଲେ ସ୍ୱର୍ଣ୍ଣ

ଭୁବନେଶ୍ୱର : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆନ୍‌ ହିପ୍‌ହପ୍‌ ଡ୍ୟାନ୍ସ ପ୍ରତିଯୋଗିତାରେ ଚମକିଲେ କଟକ ମାଟିର ପୁଅ ସନ୍ତୋଷ କୁମାର ପାତ୍ର । ଜିତିଲେ ସ୍ୱର୍ଣ୍ଣ ପଦକ । ପୂର୍ବରୁ ଦୁଇଥର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇନଥିବା ସନ୍ତୋଷ ଏଥର ଜାତୀୟ ସ୍ତରରେ କମାଲ୍‌ କରିଛନ୍ତି । ହିପ୍‌ହପ୍‌ ଡ୍ୟାନ୍ସର ‘ଲକିଂ ବାଟେଲ୍‌’ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନିଜର କ୍ଷମତା ପ୍ରଦର୍ଶନ କରିପାରିଛନ୍ତି ।

ସିଡିଏ ସେକ୍ଟର-୭ ରେ ରହୁଥିବା ଦେବେନ୍ଦ୍ର ପାତ୍ର ଓ ରେଣୁବାଳା ପାତ୍ରଙ୍କ ପୁଅ ସନ୍ତୋଷଙ୍କ ଛୋଟବେଳୁ ଡ୍ୟାନ୍ସ ପ୍ରତି ଦୁର୍ବଳତା ଥିଲା । ପାଠ ପଢା ଭିତରେ ଡ୍ୟାନ୍ସ କରିବା ଓ ଶିଖିବାର ଇଛା ରହିଥିଲା । ହିପ୍‌ହପ୍‌ ଡ୍ୟାନ୍ସ ତାଙ୍କୁ କିମିଆ କରିଥିଲା । ୨୦୧୬ରୁ ସେ ହିପ୍‌ହପ୍‌ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ । ଦୁଇବର୍ଷର ପରିଶ୍ରମ ପରେ ୨୦୧୮ରେ ଇଣ୍ଡିଆନ୍‌ ହିପ୍‌ହପ୍‌ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ । କିନ୍ତୁ କୌଣସି ସଫଳତା ମିଳିନଥିଲା । ପରେ ୨୦୧୯ ରେ ମଧ୍ୟ ଭାଗ ନେଇ ନିରାଶ ହୋଇଥିଲେ । କିନ୍ତୁ ଅଭ୍ୟାସ ଓ ପରିଶ୍ରମ ବନ୍ଦ କରିନଥିଲେ । ପରେ କୋଭିଡ୍‌ ପାଇଁ ଦୁଇବର୍ଷ ଧରି ପ୍ରତିଯୋଗିତା ବନ୍ଦ ଥିଲା । ଯାହାଫଳରେ ତାଙ୍କୁ ଭରପୂର ସମୟ ମିଳିଥିଲା ।

ଦୈନିକ ଘଣ୍ଟା ଘଣ୍ଟା କାଳ ଅଭ୍ୟାସ କରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହିପ୍‌ହପ୍‌ ଡ୍ୟାନ୍ସରଙ୍କ ସହଯୋଗ ଲୋଡିଥିଲେ । ଅନ୍‌ଲାଇନ୍‌ରେ ଅନ୍ତର୍ଜତୀୟ ସ୍ତରର ହିପ୍‌ହପ୍‌ ମାଷ୍ଟର୍‌ଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ନିଜର ଭିଡିଓ ପଠାଇଥିଲେ । ଫଳରେ ତାଙ୍କ ଡ୍ୟାନ୍ସରେ କ’ଣ ତ୍ରୁଟି ଥିଲା ସେ ସବୁକୁ ମାଷ୍ଟର୍‌ମାନେ ସଂଶୋଧନ କରିଥିଲେ । ଏଭଳି ପ୍ରାୟ ଦୁଇବର୍ଷ ଅଭ୍ୟାସ କରିବା ପରେ ଚଳିତ ମାସ ୩ ରୁ ୭ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆନ୍‌ ହିପ୍‌ହପ୍‌ ଡ୍ୟାନ୍ସ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ । ‘ଲକିଂ ବାଟେଲ୍‌’ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହେଲେ । ସନ୍ତୋଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଟି କଲେଜରୁ ୨୦୨୦ ମସିହାରେ ବିକମ୍‌ ପାସ୍‌ କରିଛନ୍ତି । ଅଭିନୟ ପ୍ରତି ମଧ୍ୟ ଋଚି ରଖନ୍ତି । ଅନ୍ନପୂର୍ଣ୍ଣା ଥିଏଟରରେ ମଧ୍ୟ ଅଭିନୟ ଶିକ୍ଷା କରୁଛନ୍ତି । ଭବିଷ୍ୟତରେ ଜଣେ କଳାକାର ହେବାର ସ୍ୱପ୍ନ ଦେଖିଛନ୍ତି ସନ୍ତୋଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking