29.1 C
Bhubaneswar
Thursday, April 25, 2024
Homeଖେଳଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଟି-୨୦ ସିରିଜ୍‌: ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ, ଭିସା ବିବାଦର ଅବସାନ

ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଟି-୨୦ ସିରିଜ୍‌: ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ, ଭିସା ବିବାଦର ଅବସାନ

ଗୟାନା : ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌-ଭାରତ ଟି-୨୦ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍ ଇତିମଧ୍ୟରେ ଶେଷ ହୋଇସାରିଥିବା ବେଳେ ଏଥିରେ ଭ୍ରମଣକାରୀ ଦଳ ୨-୧ରେ ଆଗୁଆ ରହିଛି । ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍ ଫ୍ଲୋରିଡାର ଲାଉଡରହିଲ୍‌ଠାରେ ଆସନ୍ତା ଶନିବାର ଓ ରବିବାର ଖେଳାଯିବାର ଅଛି । ତେବେ ବୁଧବାର ସୁଦ୍ଧା ଉଭୟ ଦଳର କେତେକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଭିସାକୁ ମଞ୍ଜୁରୀ ମିଳି ନ ଥିବାରୁ ଏହି ଦୁଇଟି ମ୍ୟାଚ୍ ୱେଷ୍ଟ୍‌ଇଣ୍ଡିଜ୍‌ରେ ଖେଳାଯିବାର ସମ୍ଭାବନା ରହିଥିଲା । ତେବେ ଗୟାନା ରାଷ୍ଟ୍ରପତି ଇରଫାନ୍ ଅଲୀଙ୍କ ହସ୍ତକ୍ଷେପ ପରେ ଏହି ବିବାଦର ଅନ୍ତ ଘଟିଛି ଓ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍ ଫ୍ଲୋରିଡାରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ଏହି ମାମଲାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିଥିବାରୁ କ୍ରିକେଟ୍ ୱେଷ୍ଟ୍‌ଇଣ୍ଡିଜ୍ (ସିଡବ୍‌ଲ୍ୟୁଆଇ) ପକ୍ଷରୁ ଅଧ୍ୟକ୍ଷ ରିକି ସ୍କେରିଟ୍ ଗୟାନା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭିସା ବିବାଦର ଅନ୍ତ ଘଟିବା ପରେ ଗୁରୁବାର ପ୍ରାତଃ ସମୟରେ ଉଭୟ ଦଳର କେତେକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଫ୍ଲୋରିଡାରେ ପହଞ୍ଚିସାରିଛନ୍ତି । ଏନେଇ ସିଡବ୍‌ଲ୍ୟୁଆଇ ପକ୍ଷରୁ ଦୁଇଟି ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଇଛି । ଗୋଟିଏ ଭିଡିଓରେ ଇଣ୍ଡିଜ୍ ଖେଳାଳିଙ୍କ ଲଗେଜ୍ ପ୍ୟାକ୍ କରାଯାଉଛି । ସେହିପରି ଅନ୍ୟତମ ଭିଡିଓରେ ଇଣ୍ଡିଜ୍ ଟିମ୍‌ର ଅଧିନାୟକ ନିକୋଲାସ୍ ପୂରନ୍ ଓ ଅଲ୍‌ରାଉଣ୍ଡର୍ ଜେସନ୍ ହୋଲ୍‌ଡର୍ ମିଆମି ମର୍ଲିନ୍ସ ବେସ୍‌ବଲ୍ ଟିମ୍‌ର ସଦସ୍ୟମାନଙ୍କ ସହ ବେସ୍‌ବଲ୍ ଖେଳୁଥିବା ନଜର ଆସିଛନ୍ତି । ସିରିଜ୍‌ର ତୃତୀୟ ମ୍ୟାଚ୍ ଗତ ମଙ୍ଗଳବାର ସେଣ୍ଟ୍ କିଟ୍ସଠାରେ ଖେଳାଯିବା ପରେ ଉଭୟ ଦଳର ସଦସ୍ୟମାନେ ଆମେରିକା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏହା ବଦଳରେ ସେମାନେ ଗୟାନାର ଜର୍ଜଟାଉନ୍‌ସ୍ଥିତ ଆମେରିକା ଦୂତାବାସରେ ପହଞ୍ଚିଥିଲେ ।

ସେଠାରେ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଅଧିନାୟକ ରୋହିତ ଶର୍ମା ଓ ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରୁ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡଙ୍କୁ ପଚରାଉଚରା କରାଯାଇଥିଲା । ଏହି ଦୁଇ ସଦସ୍ୟଙ୍କ ସମେତ ମୋଟ ୧୪ ଜଣଙ୍କୁ ଭିସା ମିଳି ନଥିଲା । ସେମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଦୀନେଶ କାର୍ତ୍ତିକ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ଯାଦବ ଓ କୁଲଦୀପ ଯାଦବ ରହିଥିଲେ । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଖେଳାଳିମାନେ ମିଆମିରେ ପହଞ୍ଚିସାରିଛନ୍ତି ।

ସେମାନଙ୍କ ସହ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିବା ମଧ୍ୟ ଜଣାପଡ଼ିଛି । ସେହିପରି ତୃତୀୟ ଟି-୨୦ରେ ବ୍ୟାଟିଂ ସମୟରେ ଆହତ ହୋଇଥିବା ରୋହିତ ଅନ୍ତିମ ଦୁଇଟି ଟି-୨୦ ଖେଳିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଉକ୍ତ ମ୍ୟାଚ୍‌ରେ ୧୧ ରନ୍ କରିଥିବା ସମୟରେ ରୋହିତ ଆଘାତଜନିତ କାରଣରୁ ଆଉ ବ୍ୟାଟିଂ କରିପାରି ନଥିଲେ । କିନ୍ତୁ ଇତିମଧ୍ୟରେ ସେ ସୁସ୍ଥତା ଲାଭ କରିସାରିଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking