27.1 C
Bhubaneswar
Friday, March 29, 2024
Homeଖେଳାଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ାଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ନାଗପୁର: ଚଳିତ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଏଠାରେ ଖେଳାଯିବ । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୦୯ ରନ୍‌ର ଟାର୍ଗେଟ୍‌କୁ ବେଶ୍ ସହଜରେ ପିଛା କରିବାରେ ସକ୍ଷମ ହୋଇ ୧-୦ରେ ଆଗୁଆ ଥିବାରୁ ଘରୋଇ ଦଳକୁ ଦ୍ୱିତୀୟ ମ୍ୟାଚ୍‌ରେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ । ନଚେତ୍ ଭ୍ରମଣକାରୀ ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ ହେବ । ପ୍ରଥମ ଟି-୨୦ରେ ଘରୋଇ ଦଳର ବୋଲରମାନେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ଦ୍ୱିତୀୟ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶକୁ ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରା ପ୍ରତ୍ୟାବର୍ତ୍ତନ କରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ଗତ ୩ଟି ଟି-୨୦ରେ ଭରସାଯୋଗ୍ୟ ପେସର୍ ଭୁବନେଶ୍ୱର କୁମାର ୩ ଓଭର୍‌ରେ ୪୯ ରନ୍ ବ୍ୟୟ କରି ଟିମ୍ ମ୍ୟାନେଜ୍‌ମେଣ୍ଟ୍‌କୁ ନିରାଶ କରିଛନ୍ତି । ତେଣୁ ବୁମ୍‌ରା ଦଳକୁ ଫେରିଲେ, ଡେଥ୍ ଓଭର୍‌ରେ ଭାରତର ପ୍ରଦର୍ଶନରେ ସୁଧାର ଆସିପାରିବ ବୋଲି ଆଶା ରହିଛି । ତେବେ ଗତ ଇଂଲଣ୍ଡ ବିପକ୍ଷ ସିରିଜ୍ ପରଠାରୁ ଅଦ୍ୟାବଧି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବାରୁ ବୁମରାଙ୍କ ଫିଟ୍‌ନେସ୍‌କୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ପେସର୍‌ମାନେ ୧୪ ଓଭର୍‌ରେ ୧୫୦ ରନ୍ ବ୍ୟୟ କରିଛନ୍ତି । ଫିଲ୍‌ଡର୍‌ମାନେ ମଧ୍ୟ ୩ଟି କ୍ୟାଚ୍ ହାତଛଡ଼ା କରିଛନ୍ତି । ଏପରି ସ୍ଥିତିରେ ସିରିଜ୍ ବଞ୍ଚାଇବାକୁ ହେଲେ, ଟିମ୍ ଇଣ୍ଡିଆ ପାଇଁ ବୁମରା ନାମକ ଅସ୍ତ୍ରର ନିହାତି ଆବଶ୍ୟକତା ରହିଛି ।
ଆଗାମୀ ଟି-୨୦ ବିଶ୍ୱକପ୍‌କୁ ନଜରରେ ରଖି ବିସିସିଆଇ ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ସାଉଥ୍ ଆଫ୍ରିକା ବିପକ୍ଷରେ ୩ଟି ଲେଖାଏଁ ଟି-୨୦ ମ୍ୟାଚ୍‌ର ଆୟୋଜନ କରିଛି । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଦଳର ବୋଲିଂ ସମସ୍ୟା କାଏମ ରହିଛି । ଗତ ଏସିଆ କପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ଦଳ କେବଳ ଦୁର୍ବଳ ବୋଲିଂ କାରଣରୁ ପରାସ୍ତ ହୋଇଥିବା ବେଳେ ଚଳିତ ସିିରିଜ୍‌ରେ ବି ଏହି ସମସ୍ୟା କାଏମ ରହିଛି । ତେଣୁ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପାଖରେ ଯଥେଷ୍ଟ କିଛି କରିବାକୁ ବାକି ରହିଛି । ଅବଶ୍ୟ ଦଳର ବ୍ୟାଟିଂ ବେଶ୍ ମଜଭୁତ ସାବ୍ୟସ୍ତ ହୋଇଛି । ଓପନର ଲୋକେଶ ରାହୁଲ୍ ଓ ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲୀୟ ବୋଲରଙ୍କ ଜବରଦସ୍ତ ଧୁଲେଇ କରିଥିଲେ । କିନ୍ତୁ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ବ୍ୟାଟିଂ କରିବାର ବିଶେଷ ସୁଯୋଗ ମିଳିପାରିନାହିଁ । ଏପରି ସ୍ଥିତିରେ ବିଶ୍ୱକପ୍ ପୂର୍ବରୁ ସମସ୍ତ ବିକଳ୍ପ ଉପରେ ବିଚାର କରିବା ସକାଶେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବାରେ ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୪ ତାରକା ଖେଳାଳି ଡେଭିଡ୍ ୱାର୍ଣ୍ଣର୍‌, ମିଚେଲ୍ ଷ୍ଟାର୍କ, ମିଚେଲ୍ ମାର୍ଶ ଓ ମାର୍କସ୍ ଷ୍ଟୋଇନିସ୍‌ଙ୍କ ଅନୁପସ୍ଥିତି ସତ୍ତ୍ୱେ ଘରୋଇ ଦଳକୁ ପରାସ୍ତ କରିଛି । ଅଲ୍‌ରାଉଣ୍ଡର୍ କ୍ୟାମେରନ୍ ଗ୍ରୀନ୍ ତାଙ୍କ କ୍ୟାରିୟର୍‌ର ଦ୍ୱିତୀୟ ଟି-୨୦ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେବାର ସଫଳତା ପାଇଛନ୍ତି । ଏଥିସହ ଭେଟେରାନ୍ ଷ୍ଟିଭେନ୍ ସ୍ମିଥ୍ ଓ ନବାଗତ ଟିମ୍ ଡେଭିଡ୍ ମଧ୍ୟ ସମୟୋପଯୋଗୀ ଇନିଂସ ଖେଳି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଦେଇଥିଲେ । ସର୍ବୋପରି ମାଥ୍ୟୁ ୱେଡ୍‌ଙ୍କ ଅପରାଜିତ ୪୫ ରନ୍‌ର ଇନିଂସ ବଳରେ ଅଷ୍ଟ୍ରେଲିଆ ମ୍ୟାଚ୍ ମୁଣ୍ଡି ମାରିଥିଲା । ତେବେ ବୋଲରମାନେ ୨ ଶହରୁ ଊର୍ଦ୍ଧ୍ୱ ରନ୍ ବ୍ୟୟ କରିଥିବାରୁ ଏହା ଗୋଟିଏ ମାତ୍ର କ୍ଷେତ୍ର ଯାହା ଅଧିନାୟକ ଫିଞ୍ଚ୍‌ଙ୍କୁ ବିବ୍ରତ କରୁଥିବ । ତେବେ ମୋହାଲି ତୁଳନାରେ ଏଠାକାର ଭିସିଏ ଷ୍ଟାଡିୟମ୍ ପିଚ୍ ଅପେକ୍ଷାକୃତ ମନ୍ଥର ରହିବ । ଏହା ନିଶ୍ଚିତ ଭାବେ ବୋଲରଙ୍କୁ ସୁହାଇବ । ତା’ଛଡ଼ା କାକର୍ ସମସ୍ୟା ମଧ୍ୟ ସାମ୍ନାକୁ ଆସିବାକୁ ଥିବାରୁ ଟସ୍ ଜିତିବା ଦଳ ଟାର୍ଗେଟ୍‌ର ପିଛା କରିବାକୁ ପସନ୍ଦ କରିବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ହର୍ଷଲ୍ ପଟେଲ୍ ଓ ଭୁବନେଶ୍ୱର କୁମାର ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଆରୋନ୍ ଫିଞ୍ଚ୍ (ଅଧିନାୟକ), କ୍ୟାମରେନ୍ ଗ୍ରୀନ୍‌, ଷ୍ଟିଭେନ୍ ସ୍ମିଥ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଜୋଶ୍ ଇଙ୍ଗଲିଶ୍‌, ମାଥ୍ୟୁ ୱେଡ୍ (ୱିକେଟକିପର୍‌), ଟିମ୍ ଡେଭିଡ୍‌, ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍‌, ଆଡାମ୍ ଜାମ୍ପା ଓ ନାଥନ୍ ଏଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking