ନୂଆଦିଲ୍ଲୀ: ସେମି କଣ୍ଡକ୍ଟର ରପ୍ତାନିରେ ଭାରତ ଆଗାମୀ ଦିନରେ ବିଶ୍ୱର ହବ୍ ପାଲଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ବେଙ୍ଗାଲୁରୁରେ ଅନୁଷ୍ଠିତ ସେମିକୋନଇଣ୍ଡିଆରେ ଏଭଳି ମତ ରଖିଛନ୍ତି । ଭାରତ କେଉଁଭଳି ସେମି କଣ୍ଡକ୍ଟର ରପ୍ତାନୀରେ ଆତ୍ମନିର୍ଭର ହେବ ସେଥିପାଇଁ ଭାରତର ଟେକ୍ କମ୍ପାନୀ ମାନେ ଯତ୍ନଶୀଳ ହେବା ଉଚିତ୍ ବୋଲି କହିଥିଲେ ମୋଦୀ । ଭାରତକୁ ସେମି କଣ୍ଡକ୍ଟର ସପ୍ଲାଇ ଚେନ୍ରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ପ୍ରମାଣିତ କରିବା ପାଇଁ ସେମିକୋନଇଣ୍ଡିଆ-୨୦୨୨ ଅବସରରେ ଆହ୍ୱାନ ଦେଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ । ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମକୁ କୋହଳ କରାଯାଇ ଆବଶ୍ୟକ ପ୍ରୋତ୍ସାହନ ପ୍ରଦାନ କରାଯିବ ଯାହାଦ୍ୱାରା ସେମି କଣ୍ଡକ୍ଟର ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଏବଂ ସେମି କଣ୍ଡକ୍ଟର ମନ୍ତ୍ରଣାଳୟ ମନ୍ତ୍ରୀ, ସଚିବ ଏବଂ ନିବେଶକ ମାନେ ଉପସ୍ଥିତ ରହିଥିଲେ ।
୬ଟି କାରଣ ପାଇଁ ଭାରତ ନିବେଶକ ମାନଙ୍କର ପ୍ରଥମ ପସନ୍ଦର ଦେଶ ରହିବ ବୋଲି କହିଛନ୍ତି ମୋଦୀ । ଭାରତର ୧୩୦ କୋଟି ଜନ ସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ । ଡିଜିଟାଲ ଭିତ୍ତିଭୂମିରେ ବ୍ୟାଙ୍କିଙ୍ଗ ସେବା ଏବଂ ଅର୍ଥନୈତିକ ସେବାକୁ ଯୋଗ କରି ଡିଜିଟାଲ ବିପ୍ଲବ ଆଣିବାରେ ସମର୍ଥ ହୋଇଛି ଭାରତ । ୟୁପିଆଇ ମଧ୍ୟ ଭାରତରେ ସୃଷ୍ଟି ହୋଇଥିବା ଆଉ ଏକ ବିପ୍ଲବ । ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରି ବିଭିନ୍ନ କ୍ଷେତ୍ରକୁ ଆଗକୁ ବଢାଇବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ବୋଲି ମୋଦୀ କହିଛନ୍ତି । ଡାଟା, ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜିରେ ଦେଶରେ ନୂତନ ଆଇଡିଆକୁ ମଧ୍ୟ ସ୍ୱାଗତ କରାଯାଉଛି । ଦେଶର ଅର୍ଥବ୍ୟବସ୍ଥା ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବାରୁ ଏହା ନିବେଶକ ମାନଙ୍କ ପାଇଁ ଆକର୍ଷଣର ଆଉ ଏକ କାରଣ ରହିବ । ବିଶ୍ୱ ବଜାରକୁ ଭାରତ ଅତ୍ୟନ୍ତ ଦ୍ରୁତବେଗରେ ଅକ୍ତିଆର କରିବାକୁ ଯାଉଛି । ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଏବଂ ୨୦୩୦ ସୁଦ୍ଧା ୧୧୦ ବିଲିୟନ୍ ଡଲାରକୁ ଭାରତ ଅକ୍ତିଆର କରିବ ବୋଲି ମୋଦୀ ଆଶା ରଖିଛନ୍ତି ।