ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ୍‌ : ଡେବ୍ୟୁ କରିବେ ଶ୍ରେୟସ ଆୟର୍‌

କାନପୁର: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ କ୍ଲିନ୍ ସ୍ୱିପ୍ କରିବା ପରେ ଉଭୟ ଦଳ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାରଠାରୁ ସ୍ଥାନୀୟ ଗ୍ରୀନ୍ ପାର୍କରେ ଆରମ୍ଭ ହେବ । ଗ୍ରୀନ୍ ପାର୍କରେ ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୨୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୭ଟିରେ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି ଏବଂ ସେହିପରି ୧୨ଟି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଘରୋଇ ପଡ଼ିଆରେ ପ୍ରଭାବଶାଳୀ ଇତିହାସ କାରଣରୁ ଭାରତ ଫେଭରିଟ୍ ରହିଛି । ତେବେ ଅଧା ଡଜନ୍ ସିନିୟର୍ ଖେଳାଳିଙ୍କ ଅନୁପସ୍ଥିତିରେ ମ୍ୟାଚ୍ ରୋମାଞ୍ଚକର ମଧ୍ୟ ହୋଇପାରେ । ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ନ୍ୟୁଜିଲାଣ୍ଡ ଏବେ ନମ୍ବର-୧ ଦଳ ହୋଇଥିବା ବେଳେ ଭାରତ ଦ୍ୱିତୀୟରେ ରହିଛି । କ୍ୟାପ୍‌ଟେନ୍ ବିରାଟ କୋହଲି ଏହି ମ୍ୟାଚ୍‌ରୁ ବିଶ୍ରାମ ନେଇଛନ୍ତି ।

ସେହିପରି ରୋହିତ ଶର୍ମା, ଜସ୍‌ପ୍ରୀତ୍ ବୁମ୍‌ରା ଓ ମହମ୍ମଦ ଶମୀଙ୍କୁ ପୂରା ସିରିଜ୍‌ରେ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ଓପ୍ନର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ମ୍ୟାଚ୍‌ର ଦୁଇଦିନ ପୂର୍ବରୁ ଆହତ ହୋଇ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଏପରି ସ୍ଥିତିରେ ଫର୍ମକୁ ନେଇ ସଂଘର୍ଷ କରୁଥିବା ଆଜିଙ୍କ୍ୟ ରାହାଣେଙ୍କୁ ନେତୃତ୍ୱ ପରାକାଷ୍ଠା ପ୍ରଦର୍ଶନ ପାଇଁ ଆଉ ଏକ ସୁଯୋଗ ମିଳିଛି । ରାହାଣେଙ୍କ ନେତୃତ୍ୱରେ ଭାରତ ବର୍ତ୍ତମାନ ସୁଦ୍ଧା ୫ଟି ଟେଷ୍ଟ ମ୍ୟାଚ୍ ଖେଳିଛି ଏବଂ ଏହା ମଧ୍ୟରୁ ୪ଟିରେ ଦଳକୁ ବିଜୟ ମିଳିଛି । ଗୋଟିଏ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା । କ୍ୟାପ୍‌ଟେନ୍ ଭାବେ ରାହାଣେଙ୍କ ପ୍ରଦର୍ଶନ ପ୍ରଶଂସନୀୟ ହୋଇଥିବା ବେଳେ ବ୍ୟାଟ୍ସମ୍ୟାନ୍ ଭାବେ ନିକଟ ଅତୀତରେ ନିଜର ପ୍ରଦର୍ଶନକୁ ନେଇ ସେ ସମାଲୋଚନାର ଶିକାର ହୋଇଆସୁଛନ୍ତି । ୨୦୨୧ରେ ସେ ୧୧ ମ୍ୟାଚ୍‌ରେ ମାତ୍ର ଦୁଇଟି ଅର୍ଦ୍ଧଶତକ କରିଥିଲେ । ଏହି ଅବସରରେ ସେ ୪୦.୮୭ ହାରରେ ମୋଟ ୩୭୨ ରନ୍ କରିଥିଲେ ।

ତେବେ ଏହି ପିଚ୍ ସ୍ପିନର୍‌ଙ୍କୁ ସୁହାଇବାକୁ ଥିବାରୁ ଭାରତ ତିନିଜଣ ସ୍ପିନର୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ରାହାଣେ ମ୍ୟାଚ୍ ପୂର୍ବରୁ ସୂଚନା ଦେଇଛନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ, ଅକ୍ଷର ପଟେଲ୍ ଓ ରବୀନ୍ଦ୍ର ଜାଡେଜା ଏହି ତିନି ସ୍ପିନର୍ ହୋଇପାରନ୍ତି । ସେମାନେ ବ୍ୟାଟ୍‌ରେ ମଧ୍ୟ ଉନ୍ନତ ଯୋଗଦାନ ଦେବା ପାଇଁ ସକ୍ଷମ । ଅନ୍ୟପକ୍ଷରେ ଶ୍ରେୟସ ଆୟର ଏହି ମ୍ୟାଚ୍‌ରେ ଡେବ୍ୟୁ କରିବେ ବୋଲି ରାହାଣେ କହିଛନ୍ତି । ଯଦି ସେ ଡେବ୍ୟୁ କରନ୍ତି, ତେବେ ବିରାଟ କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ କ୍ୟାପ୍‌ଟେନ୍ କେନ୍ ୱିଲିୟମ୍‌ସନ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ଼ ହୋଇଛି । ଟି-୨୦ ସିରିଜ୍‌ରେ ବିଶ୍ରାମ ନେଇଥିବା ୱିଲିୟମ୍‌ସନ୍ ଚଳିତ ବର୍ଷ ଖେଳିଥିବା ୩ଟି ଟେଷ୍ଟ୍ ମ୍ୟାଚ୍‌ରେ ୮.୨୫ ହାରରେ ୩୫୩ ରନ୍ କରିଛନ୍ତି ।

ଏହା ମଧ୍ୟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ । ଅବଶ୍ୟ ଚଳିତବର୍ଷ ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇଥିବା ଡେଭନ୍ କନ୍‌ୱେଙ୍କ ଅନୁପସ୍ଥିତି କିୱି ଦଳକୁ ନିଶ୍ଚିତ ଭାବେ ଧକ୍କା ଦେଇଛି । କନ୍‌ୱେ ୨୦୨୧ରେ ତିନିଟି ଟେଷ୍ଟରେ ୬୩.୧୬ ହାରରେ ୩୭୮ ରନ୍ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି । ସେହିପରି ଏଠାରେ ସ୍ପିନ୍ ବୋଲର୍ ପ୍ରଭାବଶାଳୀ ହେବାର ସମ୍ଭାବନା ଥିବାରୁ ୱିଲିୟମ୍‌ସନ୍ ଦଳରେ ଦୁଇଜଣ ସ୍ପିନର୍ ଓ ତିନିଜଣ ଫାଷ୍ଟ ବୋଲର୍‌ଙ୍କୁ ସାମିଲ କରିବା ସମ୍ଭାବନା ରହିଛି । ଏଥିପାଇଁ ବାମହାତୀ ସ୍ଲୋ ବୋଲର୍ ଏଜାଜ୍ ପଟେଲ୍ ଓ ଅଫ୍ ସ୍ପିନର୍ ୱିଲିଅମ୍ ସମରଭିଲେଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here