ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଠିକ୍ ପୂର୍ବରୁ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ) ଶୁକ୍ରବାର ନିଲମ୍ବିତ ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)ର ହାତ ଛାଡ଼ିଛି । କେବଳ ଏତିକି ନୁହେଁ ବିଏଫ୍ଆଇ ୱାର୍ଲ୍ଡ ବକ୍ସିଂର ସଦସ୍ୟତା ମଧ୍ୟ ଗ୍ରହଣ କରିଛି । ବିଏଫ୍ଆଇ ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଚେତାବନୀ ପରେ ନେଇଛି । ଆଇଓସି ଚେତାବନୀ ଦେଇ କହିଥିଲା, ଯଦି ବିଏଫ୍ଆଇ ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ) ସହିତ ସାମିଲ ରୁହେ ତେବେ ୨୦୨୮ ଲାସ୍ ଆଞ୍ଜେଲ୍ସ ଅଲିମ୍ପିକ୍ରୁ ଏହି କ୍ରୀଡ଼ାକୁ ବାଦ୍ ଦିଆଯିବ । କମିଟି ୨୦୧୯ରେ ଆର୍ଥିକ ଏବଂ ପ୍ରଶାସନିକ ସମ୍ବନ୍ଧୀୟ ପ୍ରସଙ୍ଗ କାରଣରୁ ଆଇବିଏର ମାନ୍ୟତା ରଦ୍ଦ କରିଥିଲା । ୱାର୍ଲ୍ଡ ବକ୍ସିଂର ଗଠନ ୨୦୨୩ ଏପ୍ରିଲ୍ରେ କରାଯାଇଥିଲା । ଏହାର ଅଧ୍ୟକ୍ଷ ଆଇବିଏ ଅଧ୍ୟକ୍ଷ ପଦର ପୂର୍ବତନ ପ୍ରାର୍ଥୀ ବୋରିସ୍ ଭାନ୍ ଡେର୍ ଭୋର୍ଷ୍ଟ ଅଛନ୍ତି ।
ଭାରତୀୟ ବକ୍ସର୍ ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ ପାଇଁ ୪ କୋଟା ସ୍ଥାନ ହାସଲ କରିସାରିଛନ୍ତି । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ ଏହି ବକ୍ସର୍ଙ୍କଠାରୁ ପଦକ ଆଶା ରହିଛି । ଗତଥର ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବୋରଗୋହେନ୍ ବ୍ରୋଞ୍ଜ୍ ପଦକ ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ବକ୍ସର୍ ତିନିଟି ଅଲିମ୍ପିକ୍ ପଦକ ଜିତିଛନ୍ତି ।