29.1 C
Bhubaneswar
Friday, April 26, 2024
Homeଖେଳଭାରତ-ଅଷ୍ଟ୍ରେଲିଆ ସିରିଜ୍‌: ଆଜି ନିର୍ଣ୍ଣାୟକ ଟି-୨୦

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: ଆଜି ନିର୍ଣ୍ଣାୟକ ଟି-୨୦

ହାଇଦ୍ରାବାଦ: ଚଳିତ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ପାଇବା ଫଳରେ ସ୍ଥିତି ୧-୧୦ରେ ବରାବର ରହିଛି । ଏପରି ସ୍ଥିତିରେ ରବିବାର ଏଠାରେ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଏହି ନିର୍ଣ୍ଣାୟକ ମୁକାବିଲାରେ ବିଜୟୀ ହୋଇ ଘରୋଇ ଭାରତ ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଉପଯୁକ୍ତ ପ୍ରସ୍ତୁତି ସକାଶେ ଲକ୍ଷ୍ୟ ରଖିଛି । ଏହି ମ୍ୟାଚ୍‌ରେ ଘରୋଇ ଭାରତୀୟ ଦଳର ଦୁଇ ଗୁରୁତ୍ୱପୂର୍ଣ୍ଣ ବୋଲର୍ ହର୍ଷଲ୍ ପଟେଲ୍ ଓ ୟୁଜବେନ୍ଦ୍ର ଚହଲ୍ ଫର୍ମକୁ ଫେରିବା ଆଶା ରହିଛି । ଏହି ଦୁଇ ବୋଲର୍ ଚଳିତ ସିରିଜ୍‌ରେ ଯଥେଷ୍ଟ ରନ୍ ବ୍ୟୟ କରିସାରିଛନ୍ତି । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ ହେଁ ହର୍ଷଲ୍ ଓ ଚହଲ୍ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେଣୁ ଅନ୍ତିମ ଟି-୨୦ରେ ଉଭୟ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରୀ ପଡ଼ିବେ ବୋଲି ଦର୍ଶକମାନେ ଆଶା ରଖିଛନ୍ତି ।

ବିଶେଷକରି ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଏହି ଦୁଇ ବୋଲର୍ ଫର୍ମକୁ ଫେରିବାର ନିହାତି ଆବଶ୍ୟକତା ରହିଛି । ଶୁକ୍ରବାର ମ୍ୟାଚ୍‌ରେ ଅକ୍ଷର ପଟେଲ୍ ପ୍ରଭାବଶାଳୀ ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ ହେଁ ଅନ୍ତିମ ଓଭର୍ ଆଡ଼କୁ ହର୍ଷଲ୍ ଓ ଚହଲ୍‌ଙ୍କୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ନିର୍ଘାତ ପ୍ରହାର କରିଥିଲେ । ଅବଶ୍ୟ ଦଳକୁ ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରା ଫେରିଥିବାରୁ ଏହା ବୋଲିଂ ଲାଇନ୍‌କୁ ସାମାନ୍ୟ ଶକ୍ତିଶାଳୀ କରିଛି । କିନ୍ତୁ ଭୁବନେଶ୍ୱର କୁମାର ଡେଥ୍ ଓଭର୍‌ରେ ଆଶାତୀତ ମହଙ୍ଗା ସାବ୍ୟସ୍ତ ହେବା ଅଧିନାୟକ ରୋହିତ ଶର୍ମାଙ୍କୁ ଚିନ୍ତାରେ ପକାଇଛି । ଦ୍ୱିତୀୟ ଟି-୨୦ରେ ଭୁବିଙ୍କୁ ବାଦ୍ ଦେଇ ଡେଥ୍ ଓଭର୍ ସ୍ପେଶାଲିଷ୍ଟ୍ ହର୍ଷଲଙ୍କୁ ରୋହିତ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଥିଲେ ମଧ୍ୟ ସେ ଭରସାଯୋଗ୍ୟ ସାବ୍ୟସ୍ତ ହୋଇପାରିନାହାନ୍ତି ।

ବୋଧହୁଏ ତାଙ୍କୁ ଲୟକୁ ଫେରିବା ସକାଶେ ଅଧିକ କିଛି ମ୍ୟାଚ୍ ଖେଳିବାର ଆବଶ୍ୟକତା ରହିଛି । ସେ ସିରିଜ୍‌ରେ ଅଦ୍ୟାବଧି ମାତ୍ର ୬ ଓଭର୍ ବୋଲିଂ କରିଥିଲେ ହେଁ ୧୩.୫୦ ହାରରେ ୮୧ ରନ୍ ବ୍ୟୟ କରିସାରିଛନ୍ତି । ଅଧିକନ୍ତୁ ଅଦ୍ୟାବଧି ୱିକେଟ୍‌ଟିଏ ମଧ୍ୟ ଦଖଲ କରିପାରିନାହାନ୍ତି । ସେହିପରି ସ୍ପିନର୍‌ଙ୍କ ମଧ୍ୟରେ ଅକ୍ଷର ପ୍ରଭାବିତ କରିଥିଲେ ହେଁ ଚହଲ୍ ଗତ ଏସିଆ କପ୍ ସହ ଚଳିତ ସିରିଜ୍‌ରେ କ୍ରମାଗତ ଭାବେ ମହଙ୍ଗା ସାବ୍ୟସ୍ତ ହୋଇଆସିଛନ୍ତି । ଦଳର ବ୍ୟାଟ୍ସମ୍ୟାନ୍‌ମାନେ ଲେଗ୍ ସ୍ପିନର୍ ଆଡାମ୍ ଜାମ୍ପାଙ୍କୁ ଖେଳିବାର ବିଫଳ ରହିଛନ୍ତି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛି । ଦଳର ବୋଲରମାନେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଆଗରେ ସମ୍ପୂର୍ଣ୍ଣ ବିବଶ ପରିଲକ୍ଷିତ ହୋଇଥିଲେ ।

ଫଳସ୍ୱରୂପ ଦଳ ବୃହତ୍ ୬ ୱିକେଟ୍‌ରେ ପରାସ୍ତ ହୋଇଛି । ନାଥନ୍ ଏଲିସ୍‌ଙ୍କ ଅନୁପସ୍ଥିତିରେ ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍ ଓ ଡାନିଏଲ୍ ସାମ୍ସ ଓଭର୍ ପିଛା ୧୧ ରନ୍‌ରୁ ଅଧିକ ବ୍ୟୟ କରିଛନ୍ତି । ଅଲ୍‌ରାଉଣ୍ଡର୍ କ୍ୟାମେରନ୍ ଗ୍ରୀନ୍ ମଧ୍ୟ ବାଦ୍ ପଡ଼ିନାହାନ୍ତି । ସେହିପରି ବ୍ୟାଟିଂରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କୁ ବିଶ୍ୱକପ୍ ପୂର୍ବରୁ ଭଲ ଖେଳିବାକୁ ପଡ଼ିବ । ବିଶେଷକରି ଦଳ ଟାଇଟଲ୍ ବଜାୟ ରଖିବାର ଚାପ ମଧ୍ୟରେ ରହିଥିବାରୁ ମ୍ୟାକ୍ସୱେଲ୍‌ଙ୍କ ଫର୍ମର ଯଥେଷ୍ଟ ଗୁରୁତ୍ୱ ରହିଛି । ସେ ଅଦ୍ୟାବଧି ସିରିଜ୍‌ରେ ମାତ୍ର ୧ ରନ୍ କରି ଫର୍ମହୀନ ସାବ୍ୟସ୍ତ ହୋଇଛନ୍ତି ।

ଭାରତୀୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ୍‌, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ୟୁଜବେନ୍ଦ୍ର ଚହଲ୍‌, ଅକ୍ଷର ପଟେଲ୍‌, ଭୁବନେଶ୍ୱର କୁମାର, ହର୍ଷଲ୍ ପଟେଲ୍‌, ଦୀପକ ଚହର୍‌, ଜସପ୍ରୀତ୍ ବୁମରା ଓ ଉମେଶ ଯାଦବ ।

ଅଷ୍ଟ୍ରେଲିଆ ଟିମ୍‌: ଆରୋନ୍ ଫିଞ୍ଚ୍ (ଅଧିନାୟକ), ସିନ୍ ଆବୋଟ୍ଟ୍‌, ଆଷ୍ଟନ୍ ଆଗର୍‌, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍‌, ନାଥନ୍ ଏଲିସ୍‌, କ୍ୟାମେରନ୍ ଗ୍ରୀନ୍‌, ଜୋଶ୍ ହେଜଲଉଡ୍‌, ଜୋଶ୍ ଇଙ୍ଗଲିଶ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, କେନ୍ ରିଚାର୍ଡସନ୍‌, ଡାନିଏଲ୍ ସାମ୍ସ, ଷ୍ଟିଭେନ୍ ସ୍ମିଥ୍‌, ମାଥ୍ୟୁ ୱେଡ୍ ଓ ଆଡାମ୍ ଜାମ୍ପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking