27.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱାଧୀନତା ଦିବସରେ ଟ୍ରାଫିକ କଟକଣା : ଏଥର ହେବନି ପରେଡ୍‌, କେବଳ ସଲାମି

ସ୍ୱାଧୀନତା ଦିବସରେ ଟ୍ରାଫିକ କଟକଣା : ଏଥର ହେବନି ପରେଡ୍‌, କେବଳ ସଲାମି

ଭୁବନେଶ୍ୱର : ଆସନ୍ତା ରବିବାର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ସକାଳ ୮.୫୫ ମିନିଟ୍‌ରେ ଆସି ପତାକା ଉତ୍ତୋଳନ କରି ୯ଟା ୫ମିନିଟ୍ ସମୟରେ ଫେରିଯିବେ । କରୋନା କଟକଣା ପାଇଁ ଚଳିତବର୍ଷ ପରେଡ୍ ହେଉନଥିବାବେଳେ କେବଳ ରାଷ୍ଟ୍ରପତାକାକୁ ସଲାମୀ ଦିଆଯିବ । ସମାରୋହରେ ୭୦ଜଣ ନିମନ୍ତ୍ରିତ ଅତିଥି ଓ ୩୦ରୁ ୫୦ଜଣ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯିବା ସହ ରାଜଧାନୀରେ ଟ୍ରାଫିକ କଟକଣା ଜାରି କରାଯାଇଛି । ଏପରିକି କିଏ କେଉଁ ଗେଟ୍‌ରେ ପ୍ରବେଶ କରିବେ, ତାହା ମଧ୍ୟ ନିର୍ଦ୍ଧାରିତ ହୋଇଛି ।

ରବିବାର ସକାଳ ସାଢ଼େ ୬ଟାରୁ ପରେଡ୍ ସରିବା ପର୍ଯ୍ୟନ୍ତ କୌଣସି ଯାନବାହନ ରାମମନ୍ଦିର ଛକଠାରୁ ହାଉସିଂବୋର୍ଡ ଛକ(ଏମ୍‌ବିଏସ୍ ସ୍କୁଲ୍ ଠାରୁ ସେଣ୍ଟ୍ ଜୋସେଫ୍ ସ୍କୁଲ) ରାସ୍ତା ଦେଇ ଯାଇପାରିବେ ନାହିଁ । ଯେଉଁ ଗାଡ଼ି ଗୁଡ଼ିକ ହାଉସିଂବୋର୍ଡ ଛକ ପଟୁ ରାମମନ୍ଦିର ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ଏମ୍‌ବିଏସ୍ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ସେହିପରି ଯେଉଁ ଗାଡ଼ିଗୁଡ଼ିକ ରାମମନ୍ଦିର ଛକ ପଟୁ ହାଉସିଂବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ୍ ଜୋସେଫ୍ ସ୍କୁଲ ଗଳି ରାସ୍ତାରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ ।

ପିଏମ୍‌ଜି ଓ କେଶରୀ ଟକିଜ୍ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ  ଚାର୍ଲିହୋଟେଲ୍‌ଠାରୁ ସଚିବାଳୟ ମାର୍ଗ ଆଡ଼କୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ । ହାଉସିଂବୋର୍ଡ ଓ ରାମମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡ଼ିକ ଦେଇ କୌଣସି ଯାନବାହନ ଚଳାଚଳ କରିପାରିବେ ନାହିଁ । ସକାଳୁ ପରେଡ୍ ଶେଷ ହେବା ପର୍ଯ୍ୟନ୍ତ ମଧୁସୂଦନ ମାର୍ଗରେ ଥିବା ହାଉସିଂବୋର୍ଡ ଓ ରାମମନ୍ଦିର ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ ଗ୍ୟାସ ବେଲୁନ୍ ବିକ୍ରୟକୁ ନିଷେଦ୍ଧ କରାଯାଇଛି । ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ, ୨୦୦୩ ଧାରା ୯୬ ଅନୁସାରେ ୫୦୦ଟଙ୍କାରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ୨୦ ପ୍ଲାଟୁନ୍ ପୋଲିସ ଫୋସ୍ ମୁତୟନ କରାଯାଇଛି । ପରେଡ ସ୍ଥଳର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାବେଳେ କୁଇକ୍ ରେସପନ୍ସ ଟିମ୍‌(କ୍ୟୁଆର୍‌ଟି), କୁଇକ୍ ଆକ୍ସନ ଟିମ୍‌ଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏଥିସହିତ ଶନିବାର ମଧ୍ୟ ରାତ୍ରିରୁ ପ୍ରଦର୍ଶନୀ ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯିବ । ସେହିପରି ସହରର ବିଭିନ୍ନ ହୋଟେଲ, ଲଜ୍‌, ଷ୍ଟେସନ, ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ  ଖାନତଲାସୀ କରିବ । ରୋଡ୍ ବ୍ଲକିଂ ଓ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯିବ । ସ୍ୱାଧୀନତା ଦିବସ ବେଳେ ଭାରତରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବାରୁ ପୋଲିସ ଭୁବନେଶ୍ୱରରେ ମଧ୍ୟ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

କେଉଁଠି ଗାଡ଼ି ପାର୍କିଂ କରିବେ
କରୋନା କଟକଣା ପାଇଁ ଚଳିତବର୍ଷ ସ୍ୱାଧୀନତା ଦିବସରେ ସାଧାରଣଲୋକଙ୍କୁ ପରେଡ ସ୍ଥଳକୁ ମନା କରାଯାଇଛି । କେବଳ ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧୀ ଏହି ସମାରୋହରେ ଯୋଗ ଦେଇପାରିବେ । ଏନେଇ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।
-ପ୍ରଦର୍ଶନୀ ପଡ଼ିଆର ଗେଟ୍ ନମ୍ବର -୧ର ଡାହାଣ ପାଶ୍ୱର୍ରେ ଥିବା ଖାଲିସ୍ଥାନରେ ଭିଭିଆଇପିମାନେ ଗାଡ଼ି ପାର୍କିଂ କରିପାରିବେ ।
-ଭିଆଇପି ଏବଂ ଅନ୍ୟ ସମସ୍ତ ଅତିଥିମାନେ ଗେଟ୍ ନମ୍ବର-୨ ଦେଇ ବାମପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ଗାଡ଼ି ପାର୍କିଂ କରିବେ ।
-ଗଣମାଧ୍ୟମରୁ ଆସିଥିବା ସମସ୍ତ ଗାଡ଼ି ଗୁଡ଼ିକ ଗେଟ୍ ନମ୍ବର-୫ ଦେଇ ବାମ ପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ଗାଡ଼ିଗୁଡ଼ିକ ରଖିପାରିବେ ।
-ସମାରୋହରେ ଭାଗ ନେଇଥିବା ଦଳ ଓ ପୋଲିସ ବାହିନୀର ଗାଡ଼ିଗୁଡ଼ିକ ଏମ୍‌ବିଏସ୍ ସ୍କୁଲ୍ ଗଳି ଓ ସେଣ୍ଟ୍ ଜୋସେଫ୍ ସ୍କୁଲ ଗଳିରେ ରଖିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking