37.2 C
Bhubaneswar
Friday, April 19, 2024
Homeଓଡିଶାପଞ୍ଚାୟତ ସମିତି ବୈଠକରେ ଛତୁଆର ଗୁଣବତା ଉପରେ ଉଠିଲା ପ୍ରଶ୍ନ

ପଞ୍ଚାୟତ ସମିତି ବୈଠକରେ ଛତୁଆର ଗୁଣବତା ଉପରେ ଉଠିଲା ପ୍ରଶ୍ନ

* ଖାଦ୍ୟ ନାମରେ ଅଖାଦ୍ୟ ଦିଆଯାଉଥିବା ଅଭିଯୋଗ କଲେ ପିଆରଆଇ ସଦସ୍ୟ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପରିସରରେ ଅଧ୍ୟକ୍ଷା ତୁଳସୀ ସିଂଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପାଧ୍ୟକ୍ଷ ମିହିର ଘୋଷ ,ଜିଲ୍ଲା ପରିଷଦ ମାନୀ ମାହାଲି ଓ ମିତାରାଣୀ ନାଏକ , ବିଧାୟକ ପ୍ରତିନିଧି ତାପସ ଦତ୍ତ , ସାଂସଦ ପ୍ରତିନିଧି ମନୋଜ ମହାନ୍ତ , ବିଡିଓ କରୁଣାକର ଧିଣ୍ଡା ଓ ସମନ୍ବିତ ଶିଶୁ ବିକାଶର ସୁପରଭାଇଜର ଲକ୍ଷ୍ମୀମଣୀ ସିଂ ଏବଂ ସମସ୍ତ ପିଆରଆଇ ସଦସ୍ୟଙ୍କ ସହିତ ଅନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମାଆମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଅଖାଦ୍ୟ ଯୋଗାଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ନିମ୍ନମାନର ଖାଦ୍ୟ ଯୋଗାଣରେ ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟମାନେ ଚଳିତମାସ ଯୋଗାଇ ଦିଆଯାଇଥିବା ଛତୁଆ ପ୍ୟାକେଟ ନିଜ ଗ୍ରାମରୁ ସଂଗ୍ରହ କରି ଆଣି ସର୍ବସମ୍ମୁଖରେ ପ୍ରଦର୍ଶନ କରିବା ସହିତ କିଭଳି ପୃଷ୍ଟିକର ଖାଦ୍ୟ ନାମରେ ଶିଶୁ ଓ ମାଆମାନଙ୍କୁ ଅଖାଦ୍ୟ ଯୋଗାଇ ବିପୁଳ ସରକାରୀ ଅନୁଦାନ ହରିଲୁଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ ।

ଯୋଗାଣ ହୋଇଥିବା ଛତୁଆ ପ୍ୟାକେଟ ସମସ୍ତଙ୍କ ସମ୍ମୁଖରେ ଖୋଲାଯାଇ ସେଥିରେ ମିଶ୍ରଣ କରାଯାଇଥିବା ଦେଖାଇଥିଲେ । ବିଭିନ୍ନ ସମୟରେ ପୁଷ୍ଟିକର ଖାଦ୍ୟ ନାମରେ ଅଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରି କହିଥିଲେ । ବ୍ଲକରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ରହିଥିଲା ବେଳେ ନିର୍ଦ୍ଦିଷ୍ଟ ସ୍ବୟଂ ସହାୟକ ଗୋଷ୍ଠୀକୁ ଦୀର୍ଘଦିନ ଧରି କାହିଁକି ଅନୁକମ୍ଫା ଦେଖାଇ ଖାଦ୍ୟ ପ୍ରସ୍ତୁତ ଦାୟିତ୍ବ ଦିଆଯାଉଛି ଅନ୍ୟମାନଙ୍କୁ ସାମିଲ କରି ସୁଯୋଗ କାହିଁକି ଦିଆଯାଉନାହିଁ ବୋଲି ସୁପରଭାଇଜରଙ୍କୁ ପିଆରଆଇ ସଦସ୍ୟମାନେ ବୈଠକରେ ପ୍ରଶ୍ନ କରିଥିଲେ ।

ଉତ୍ତର ରଖି ସୁପରଭାଇଜର କହିଥିଲେ ଯେ ସେହି ଏସ.ଏଚ.ଜି. ଖାଦ୍ୟ ପ୍ରସ୍ତୁତକାରୀ ମେସିନ କିଣିଛନ୍ତି ତେଣୁ ତାଙ୍କୁ ଦିଆଯାଇଛି ଭଳି ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ । ତେବେ ବିଡିଓ କରୁଣାକର ଧିଣ୍ଡା କହିଥିଲେ ସିଡିପିଓ ଭାନୁମତି ବେହେରା ଓ ଜିଲ୍ଲା ଅଧିକାରୀଙ୍କୁ ଏହାର ନମୁନା ପଠାଯିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ସୁପରଭାଇଜର ଲକ୍ଷ୍ମୀମଣୀ ସିଂ କହିଥିଲେ ଏବାବଦରେ ସିଡିପିଓଙ୍କୁ ଆସିଥିବା ଅଭିଯୋଗ ଓ ପରେ ପ୍ରମାଣଭିତିରେ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଥିବା ଖବର ଦେଇଛି, ସିଡିପିଓ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ । ପ୍ରକାଶଥାଉକି ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଏବଂ ବିଭିନ୍ନ ଗଣମାଧ୍ୟମରେ ଏବାଦରେ ଖବର ପ୍ରକାଶ ହୋଇଥିଲା । ଅଭିଯୋଗ ପରେ ଦାୟିତ୍ବ ନେଇଥିବା ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ସବୁ ଦୋଷ ଲଦି ଦିଆଯାଇ ଯାଞ୍ଚ କରୁଥିବା ଅଧିକାରୀମାନଙ୍କୁ ଘଣ୍ଟଘୋଡାଇ ଦୋଷମୁକ୍ତ କରିବା ରହସ୍ୟମୟ ବୋଲି ମତପ୍ରକାଶ ପାଇଥିଲା।

ଯାଞ୍ଚ ଅଧିକାରୀମାନେ ସାଧୁତାର ସହ ଦାୟିତ୍ବ ନିର୍ବାହ କରିଥିଲେ ନିରୀହ ଶିଶୁ,ଗର୍ଭବତୀ, ପ୍ରସୂତୀ ମାଆମାନେ ପୁଷ୍ଟିକର ଖାଦ୍ୟ ପାଇବା ସହ ସରକାରଙ୍କ ଉଦ୍ଦେଶ୍ୟ ଫଳବତୀ ସମ୍ଭବ ହୁଅନ୍ତା। ମାତ୍ର ଏ ଅସାଧୁ କର୍ମଚାରୀମାନଙ୍କୁ ସୁରକ୍ଷା ଦେଉଛି କିଏ ସୁରକ୍ଷା ପଛରେ କଣ ରହିଛି ଉଦ୍ଦେଶ୍ୟ ତାହା ଏବେ ସମସ୍ତଙ୍କପାଇଁ ବଡ଼ ପ୍ରଶ୍ନ ହୋଇ ମୁଣ୍ଡ ଟେକିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ। ତେବେ ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି କି ଭାଗବଣ୍ଟାର ଗୁପ୍ତତଥ୍ୟ ପ୍ରଘଟ ଭୟରେ ରହସ୍ୟ ଭିତରେ ହିଁ ରଖାଯାଉଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking