କାକ୍ସିଆସ୍ : ଭାରତୀୟ ଗଲ୍ଫର୍ ଦୀକ୍ଷା ଡାଗର୍ ଆମେରିକାର ଆଶ୍ଲିନ୍ ଗ୍ରେସ୍ଙ୍କୁ ଫାଇନାଲ୍ରେ ହରାଇ ଏଠାରେ ଚାଲିଥିବା ଡିଫ୍ଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ଡିଫ୍ଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ଦୀକ୍ଷା ଏକମାତ୍ର ଗଲ୍ଫର ହୋଇପାରିଛନ୍ତି । ପୂର୍ବରୁ ସେ ତୁର୍କୀର ସାମ୍ସନ୍ରେ ଅନୁଷ୍ଠିତ ଡିଫ୍ଲିମ୍ପିକ୍ସର ୨୦୧୭ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ପ୍ରଥମ ଥର ପାଇଁ ୨୦୧୭ ଡିଫ୍ଲିମ୍ପିକ୍ସରେ ସାମିଲ ହୋଇଥିବା ଗଲ୍ଫ ପ୍ରତିଯୋଗିତାରେ ସେ ଗ୍ରେସ୍ ଜନ୍ସନ୍ଙ୍କୁ ହରାଇଥିଲେ । ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ପାଇଁ ଶେଷ ମୁହୂର୍ତ୍ତରେ ଯୋଗ୍ୟତା ଅର୍ଜନ କରିବା ପରେ ଦୀକ୍ଷା ଉଭୟ ଡିଫ୍ଲିମ୍ପିକ୍ସ ଓ ଅଲିମ୍ପିକ୍ସ ଖେଳିବାରେ ପ୍ରଥମ ଗଲ୍ଫର୍ ହୋଇଥିଲେ । ୨୦୧୯ରେ ପେସାଦାର ସର୍କିଟ୍ରେ ପଦାର୍ପଣ କରିଥିବା ଦୀକ୍ଷା ଉକ୍ତ ବର୍ଷ ଇନ୍ଭେଷ୍ଟୋକ୍ ସାଉଥ୍ ଆଫ୍ରିକା ମହିଳା ଓପନ୍ ବିଜେତା ହୋଇଥିଲେ । ୨୦୨୧ରେ ସେ ଆରାମ୍କୋ ଟିମ୍ ସିରିଜ୍ ଲଣ୍ଡନ୍ ବିଜେତା ଟିମ୍ର ସଦସ୍ୟା ଥିଲେ । ଉଭୟ ଇଭେଣ୍ଟ୍ ଲେଡିଜ୍ ୟୁରୋପିଆନ୍ ଟୁର୍ର ଅଂଶବିଶେଷ ଥିଲା । ସେହିପରି ଅଣପେସାଦାର ଗଲ୍ଫର୍ ଭାବେ ସେହି ସମୟରେ ସେ ଭାରତରେ ବହୁଥର ହିରୋ ମହିଳା ପ୍ରୋ ସର୍କିଟ୍ ବିଜେତା ହୋଇଥିଲେ । ନର୍ୱେର ଆନ୍ଦ୍ରିଆ ହୋଭ୍ତ୍ସେଇନ୍ଙ୍କୁ ହରାଇ ଫ୍ରାନ୍ସର ମାଗାଉକ୍ସ ଇଭେଣ୍ଟ୍ର ବ୍ରୋଞ୍ଜ୍ ଜିତିଥିଲେ । ଆନ୍ଦ୍ରିଆ ୨୦୧୭ ଡିଫ୍ଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିଲେ ।