30.1 C
Bhubaneswar
Thursday, April 25, 2024
Homeଓଡିଶାକଟକ ସହରରେ ବେଧଡକରେ ବିକ୍ରି ହେଉଛି ନିମ୍ନମାନର ଖାଦ୍ୟ

କଟକ ସହରରେ ବେଧଡକରେ ବିକ୍ରି ହେଉଛି ନିମ୍ନମାନର ଖାଦ୍ୟ

କଟକ:  କଟକ ସହରରେ ବେଧଡକରେ ଚାଲିଛି ନିମ୍ନମାନର ଖାଦ୍ୟ ବ୍ୟବସାୟ । ଅସାଧୁ ବ୍ୟବସାୟୀମାନେ ନିମ୍ନମାନର ତଥା ବାସୀଖାଦ୍ୟ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏପରିକି ଏହି ବ୍ୟବସାୟୀମାନେ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ବେଳେ ସେମାନଙ୍କ ଜୀବନ ସହ ଖେଳୁଥିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଫଳରେ ଦୀର୍ଘ କିଛିଦିନ ଧରି କଟକ ସହରରେ ବାସୀଖାଦ୍ୟ ଖାଇ ଅସୁସ୍ଥ ହେଉଥିବା ଖବର ପାଇବା ପରେ ଆଜି ସିଏମଏସି ପକ୍ଷରୁ ଚଢ଼ାଉ କରାଯାଇଛି । ସ୍ଥାନୀୟ ମଙ୍ଗଳାବାଗ ଓ କଟକ ବଡ଼ମେଡ଼ିକାଲ ନିକଟରେ ଥିବା ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଆଦିରେ ଏହିଭଳି ବାସୀ ଓ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ଘଟଣା ଲୋକଲୋଚନକୁ ଆସିଛି । କଟକ ବଡ଼ମେଡ଼ିକାଲ ନିକଟରେ ଥିବା ଏହି ଖାଦ୍ୟ ବିକ୍ରୟକାରୀ ଦୋକାନମାନଙ୍କରେ  ଅତ୍ୟନ୍ତ ନିମ୍ନମାନର ତଥା ସ୍ୱାସ୍ଥ୍ୟପକ୍ଷେ ଅହିତକର ଖାଦ୍ୟ ବିକ୍ରି ହେଉଥିବା ସିଏମସି ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା ।

ତେଣୁ ଏସବୁକୁ ରୋକିବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଆଜି ଏକ ସ୍ୱତନ୍ତ୍ର ଟିମ ନେଇ ଅଚାନକ ସମ୍ପୃକ୍ତ ଖାଦ୍ୟ ସାମଗ୍ରୀ ଦୋକାନ ଉପରେ ଚଢ଼ାଉ କରିଥିଲେ । ତେବେ ସେଠାରେ ବିକ୍ରି ହେଉଥିବା ଖାଦ୍ୟ ଉପଯୋଗୀ ନଥିବା ଜଣାପଡ଼ିଥିଲା । ଏହି ଚଢ଼ାଉ ସମୟରେ ପ୍ରାୟ ୫କ୍ୟୁଣ୍ଟାଲ ବାସୀ ଖାଦ୍ୟ ନଷ୍ଟ କରାଯାଇଥିବା ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ କଟକ ବଡ଼ମେଡ଼ିକାଲ, ଆଚାର୍ଯ୍ୟ ହରିହର କର୍କଟରୋଗ ପ୍ରତିଷ୍ଠାନ ସହିତ କେନ୍ଦ୍ରୀୟ ରକ୍ତଭଣ୍ଡାର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାର କୋଣ ଅନୁକୋଣରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସିଥାନ୍ତି । ଦୀର୍ଘ ସମୟ ଧରି ଚିକିତ୍ସା ନିମନ୍ତେ ଅପେକ୍ଷା କରିବାକୁ ପଡ଼ୁଥିବାରୁ ମେଡ଼ିକାଲ ନିକଟରେ ଥିବା ହୋଟେଲରୁ ଗଣ୍ଡେ ଖାଇ ଭୋକ ଦାଉରୁ ବର୍ତ୍ତି ଯାଆନ୍ତି ।

ତେବେ ଲୋକଙ୍କ ଏହି ଅସହାୟତାର ସୁଯୋଗ ନେଇ ଏଠାରେ ଥିବା ଖାଦ୍ୟସାମଗ୍ରୀ ବିକ୍ରେତାମାନେ ସେମାନଙ୍କୁ ବାସୀ ଖାଦ୍ୟ ବିକ୍ରି କରି ଅଧିକ ରୋଜଗାର କରିବାରେ ଲାଗି ପଡ଼ନ୍ତି । ଅନ୍ୟପକ୍ଷରେ ଏହି ଲୋକମାନେ ବାହାର ଅଞ୍ଚଳର ଲୋକ ହୋଇଥିବାବେଳେ କାହାକୁ କିଛି କହି ପାରନ୍ତି ନାହିଁ । ଗୋଟିଏ ପଟେ ଅଚିହ୍ନା ଜାଗା ଅନ୍ୟପକ୍ଷରେ ପେଟରେ ଭୋକ; ତେଣୁ ଯାହା ମିଳେ ଖାଇଦେଇ ଚାଲି ଯାଆନ୍ତି । କିନ୍ତୁ ଟଙ୍କା ଦେଇ ଖାଇବା ସମୟରେ ଯେ ସେମାନେ ରୋଗ କିଣନ୍ତି ତାହା ତାଙ୍କୁ ଜଣାନଥାଏ । ତେଣୁ ପରବର୍ତ୍ତୀ ସମୟରେ ଦେହ ଅସୁସ୍ଥ ହେଲେ ଭାଗ୍ୟକୁ ଆଦରି ରହିବା ସାର ହୋଇଥାଏ । ସେହିଭଳି ୩ଦିନ ତଲେ ଉକ୍ତ ଅଞ୍ଚଳରେ ଥିବା ହୋଟେଲରୁ କିଛି ଲୋକେ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ସେମାନେ ବାସୀ ତଥା ସ୍ୱାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ଖାଇ ଏଭଳି ଅସୁସ୍ଥ ହୋଇଥିବା ଜଣାପଡ଼ିବା ପରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଥିଲା । ତେଣୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା ।

ଏହି ଚଢ଼ାଉ ସମୟରେ ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କ ସାମଗ୍ରୀର ମାନ ଯାଞ୍ଚ କରାଯିବା ସହ ଯେଉଁ ଗୁଡ଼ିକର ମାନ ନିମ୍ନତର ଥିଲା ତାହାକୁ ନଷ୍ଟ କରାଯିବା ସହ ସେମାନଙ୍କ ଖାଦ୍ୟ ସାମଗ୍ରୀ ବିକ୍ରୟ ଅନୁମତି ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ ମଧ୍ୟ କରାଯାଉଛି । ଏଥି ସହିତ ସୁସ୍ଥ ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ସୁଷମ ଖାଦ୍ୟ ପ୍ରସ୍ତୁତି ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁ ବ୍ୟବସାୟୀ ଫୁଡ଼ସେପ୍ଟି ନିୟମକୁ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଏ ନେଇ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ର କହିଛନ୍ତି । ସୂଚନା ଯୋଗ୍ୟ ଯେ, କଟକ ସହରରେ ଏବେ ଖାଦ୍ୟ ନାମରେ ଜହର ବିକ୍ରି ହେଉଥିବା କୁହାଯାଉଛି ।

ନିକଟକ ଅତିତରେ ଏହି ସହରରେ ଅନେକ ବେଆଇନ ବେକେରୀ କମ୍ପାନୀ ସିଲ ହେବା ପରେ ବହୁ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ କରାଯାଇ ଖାଦ୍ୟ ନଷ୍ଟ ହୋଇଛି । କେବଳ ସେତିକି ନୁହେଁ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଆଦି ମସଲା, ତେଲ, ଘିଅ, ସସ୍ ଆଦି ନକଲି ଖାଦ୍ୟସାମଗ୍ରୀ ପ୍ରସ୍ତୁତରେ କଟକ ୧ନମ୍ବରରେ ରହିଛି ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ହୋଟେଲରେ ମଧ୍ୟ ବାସୀ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେବା ଜଣାପଡ଼ିବା ପରେ କଟକ ସହର ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି । ଏଥି ପାଇଁ କେବଳ ପ୍ରଶାସନକୁ ଦୋଷ ନଦେଇ ସମସ୍ତ କଟକିଆ ମଧ୍ୟ ଏହାକୁ ବିରୋଧ କରିବା ପାଇଁ ସହରର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking