32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୨୦୨୧ରେ ଚୀନ୍‌ରେ ଜନସଂଖ୍ୟା ବୃଦ୍ଧି ୫ ଲକ୍ଷରୁ କମ୍‌

୨୦୨୧ରେ ଚୀନ୍‌ରେ ଜନସଂଖ୍ୟା ବୃଦ୍ଧି ୫ ଲକ୍ଷରୁ କମ୍‌

ବେଜିଂ : ନିକଟରେ ତିନିଟି ସନ୍ତାନ ଜନ୍ମ ପାଇଁ ଅନୁମତି ଦେଇଥିବା ଚୀନ୍‌କୁ ବଡ଼ ଧକ୍କା ଲାଗିଛି । ଲଗାତାର ପଞ୍ଚମ ବର୍ଷ ଧରି ଦେଶରେ ଜନ୍ମସଂଖ୍ୟା ହ୍ରାସ ପାଇଥିବା ବେଳେ ୨୦୨୧ ଶେଷ ବେଳକୁ ମୋଟ ଜନସଂଖ୍ୟା ୧୪୧.୨୬ କୋଟି ଥିବାବେଳେ ଏଥିରେ ୫ ଲକ୍ଷରୁ କମ୍ ବୃଦ୍ଧି ହୋଇଥିବା ନ୍ୟାସ୍‌ନାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ (ଏନ୍‌ବିଏସ୍‌) ତଥ୍ୟରୁ ସୋମବାର ଜଣାପଡ଼ିଛି । ଫଳରେ ଦେଶର ଜନସଂଖ୍ୟା ‘ଶୂନ୍ୟ ବୃଦ୍ଧି’ ପରିୟଡ୍‌ରେ ପ୍ରବେଶ କରିଥିବା ଅଧିକାରୀମାନେ କହିଛନ୍ତି । ଏହି ତଥ୍ୟ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବହୁଳ ଦେଶ ଉପରେ ଦେଖା ଦେଇଥିବା ଜନସାଂଖ୍ୟିକ ବିପଦ ଏବଂ ଏହା ଦ୍ୱାରା ହେବାକୁ ଥିବା ଆର୍ଥିକ ସଂକଟର ଭୟ ସୃଷ୍ଟି କରିଛି । ଏନ୍‌ବିଏସ୍ ତଥ୍ୟ ଅନୁସାରେ ଚୀନ୍‌ର ଜନସଂଖ୍ୟା ୨୦୨୦ ତୁଳନାରେ ୨୦୨୧ରେ ୪,୮୦,୦୦୦ ବୃଦ୍ଧି ପାଇଛି । ଅର୍ଥାତ୍ ୨୦୨୦ରେ ଜନ୍ମହାର ୧୨.୦୨% ଥିବାବେଳେ ୨୦୨୧ରେ ଏହା ୧୧.୬% ହୋଇଛି । ସେହିପରି ୨୦୧୯ ତୁଳନାରେ ଏହା ୧୮% ହ୍ରାସ ପାଇଛି ।

ସାଉଥ୍ ଚାଇନା ମର୍ଣ୍ଣିଂ ରିପୋର୍ଟ ଅନୁସାରେ ୨୦୨୧ରେ ଚୀନ୍‌ର ମୁଖ୍ୟ ଭୂଭାଗରେ ୧.୦୬ କୋଟି ଶିଶୁ ଜନ୍ମ ନେଇଛନ୍ତି, ଯାହା ୨୦୨୦ର ୧.୨୦ କୋଟି ଅପେକ୍ଷା କମ୍ । ଚୀନ୍‌ରେ ଜନସଂଖ୍ୟା ହ୍ରାସ ପାଇଁ ଅନେକ କାରଣ ଦାୟୀ ବୋଲି ଏନ୍‌ବିଏସ୍ ମୁଖ୍ୟ ନିଙ୍ଗ୍ ଜିଝେ କହିଛନ୍ତି । ପ୍ରସବ କ୍ଷମତାସମ୍ପନ୍ନ ମହିଳାଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ସେହିପରି ବିଳମ୍ବରେ ବିବାହ ଏବଂ ଦମ୍ପତିଙ୍କ ପ୍ରଜନନ ଅବଧାରଣା ସହ ମହାମାରୀ ମଧ୍ୟ ଅନ୍ୟତମ କାରଣ । ଦେଶରେ ୧୬-୫୯ ବର୍ଷ ବୟସ୍କଙ୍କ ସଂଖ୍ୟା (୮୮.୨ କୋଟି) ମୋଟ ଜନସଂଖ୍ୟାର ୬୨.୫% ହୋଇଥିବା ବେଳେ ୬୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କଙ୍କ ସଂଖ୍ୟା (୨୬.୭ କୋଟି) ୧୮.୯% ଏବଂ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା (୨୦ କୋଟି) ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ବୋଲି ସେ କହିଛନ୍ତି ।

ଚୀନ୍‌ରେ ବୟସ୍କଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଜନସଂଖ୍ୟା ବୃଦ୍ଧିରେ ହ୍ରାସ ଘଟୁଛି ବୋଲି ପିନ୍‌ପଏଣ୍ଟ ଆସେଟ୍ ମ୍ୟାନେଜମେଣ୍ଟର୍ ମୁଖ୍ୟ ଇକୋନମିଷ୍ଟ ଝାଙ୍ଗ୍ ଝିୱେଇ କହିଛନ୍ତି । ଏପରି କ୍ଷେତ୍ରରେ କର୍ମଚାରୀ ଓ ଆଶ୍ରିତ ବ୍ୟକ୍ତି (ପେନ୍‌ସନ୍ ଓ ଅନ୍ୟ ଲାଭ ସହିତ ସେବାନିବୃତ୍ତ)ଙ୍କ ଅନୁପାତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି, ଯାହା ଅର୍ଥବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିପାରେ । ଚୀନ୍‌ର ବିଭିନ୍ନ ପ୍ରଦେଶରେ ଜନ୍ମହାର ହ୍ରାସକୁ ରୋକିବା ଉଦ୍ଦେଶ୍ୟରେ ସେଠାକାର ସରକାର ଦମ୍ପତିଙ୍କୁ ୩ଟି ସନ୍ତାନ ଜନ୍ମ ପ୍ରତି ପ୍ରେରିତ କରିବା ନିମନ୍ତେ କେତେକ ଲୋଭନୀୟ ଘୋଷଣା କରିଛନ୍ତି ।

ବେଜିଂ, ସିଚୁଆନ୍ ଓ ଜିୟାଙ୍ଗ୍‌ଶୀ ପ୍ରଦେଶରେ ସରକାର କେତେକ ସହାୟକ ଉପାୟ ଘୋଷଣା କରିଥିଲେ । ଯେଉଁଥିରେ ମାତା-ପିତାଙ୍କୁ ଅଧିକ ଛୁଟି ଦେବା, ବିବାହ ପାଇଁ ଛୁଟି ଓ ମାତୃତ୍ୱ ଅବକାଶ, ପିତୃତ୍ୱ ଅବକାଶରେ ବୃଦ୍ଧି ସାମିଲ । ଚୀନ୍ ସରକାର ୨୦୧୬ରେ ଦଶନ୍ଧି ପୁରୁଣା ଏକ ସନ୍ତାନ ନୀତିର ଅବସାନ ଘଟାଇ ପ୍ରତ୍ୟେକ ଦମ୍ପତିଙ୍କୁ ଦୁଇଟି ସନ୍ତାନ ଜନ୍ମ ପାଇଁ ଅନୁମତି ଦେଇଥିଲେ । ଏହି ନୀତି ଚୀନ୍‌ର ଜନସାଂଖ୍ୟିକ ସଙ୍କଟ ପାଇଁ ଦାୟୀ ବୋଲି ନୀତି ନିର୍ଦ୍ଧାରକମାନେ ମାନିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking