27.8 C
Bhubaneswar
Thursday, April 18, 2024
Homeଓଡିଶାସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

ସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

ପୁରୀ : ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁକୁଳ ପାଇଁ ହୋଇଥିବା ସବ କମିଟି ବୈଠକରେ ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି । ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି । ସେହିପରି ଗରିବ ସେବାୟତଙ୍କ ପାଇଁ ମାଟି ମଣ୍ଡପ ସାହିରେ ୨.୮୧ ଓ ହରଚଣ୍ଡୀ ସାହି ମୈଜାରେ ୩.୧୮ ଜମି ଚିହ୍ନଟ ହୋଇଛି । ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିବା ପରେ ଓବିସିସିକୁ ଡିଜାଇନ୍ ପ୍ରସ୍ତୁତ ପାଇଁ କୁହାଯିବ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ବପରି ଚାଲୁ ରହିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସଆଇ ସହ ମିଶି କାର୍ଯ୍ୟ ଜାରି ରହିବ ।

ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ଉପଦେଷ୍ଟା କମିଟିର ନିଷ୍ପତ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି । ଏଏସଆଇ ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଶହେ ମିଟର ପରଧି ବାହାରେ କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହା କେଉଁ ସ୍ଥାନରେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଆଉଟଡୋର ଆସେସମେଣ୍ଟ ରୋଡ ପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ ଓ ଯାତ୍ରୀ ପରିକ୍ରମା ମାର୍ଗ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ କରାଯିବା ସହ ଏହା ମେଘନାଦ ପାଚେରୀ ଠାରୁ ଅଧିକ ଉଚ୍ଚ ହେବ ନାହିଁ ବୋଲି ପୂର୍ବରୁ ସାଂସ୍କୃତିକ ଉପଦେଷ୍ଟା କମିଟିରେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ପ୍ରକଳ୍ପ କାର୍ଯ୍ୟ ଦ୍ୱାରା ଶ୍ରୀମନ୍ଦିର ଦୃଶ୍ୟମାନ ହେବାରେ ଯେଉଁଭଳି କୌଣସି ପ୍ରତିବନ୍ଧକ ନଉପୁଜିବ ତାହା ଉପରେ ମଧ୍ୟ ସାଂସ୍କୃତିକ ଉପଦେଷ୍ଟା କମିଟି ନେଇଥିବା ନିଷ୍ପତ୍ତିକୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛି । ଶନିବାର ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ଶ୍ରୀମନ୍ଦିର ସେବାୟତ ପରିବାର ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ମତେ ଗୁରୁକୁଳ ନିର୍ମାଣ ପରିକଳ୍ପନା ଆରମ୍ଭ ହୋଇଛି । ତା ସହ ଗୁରୁକୁଳ ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ପକ୍ଷରୁ ୬ କୋଟି ୧୯ ଲକ୍ଷ ୮୯ ହଜାର ୨୦୨ ଟଙ୍କା ଶ୍ରୀମନ୍ଦିର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

୨୦୨୦ ନଭେମ୍ବର ମାସ ୬ ତାରିଖରେ ଏହି ଅନୁଦାନକୁ ଗୁରୁକୁଳ ନିର୍ମାଣରେ କେବଳ ବିନିଯୋଗ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁକୁଳ ନିର୍ମାଣର ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଗୁରୁକୁଳ ନିର୍ମାଣରେ ରାଜ୍ୟ ସରକାର ଅବଢ଼ା ଯୋଜନାରୁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଗୁରୁକୁଳ ଚଳାଇବାକୁ ବିର୍ଲା ଏଡୁକେସନ ସୋସାଇଟିକୁ ଦାୟିତ୍ୱ ଦିଆଯିବ । ଗୁରୁକୁଳ ପାଇଁ ୨୨ ଏକର ଜମି ଚିହ୍ନଟ ହୋଇଥିବା ବେଳେ ୮ ଏକର ଜମିକୁ ନେଇ କୋର୍ଟରେ ମାମଲା ରହିଛି । ଅବଶିଷ୍ଟ ୧୪ ଏକର ସହ ସେବାୟତ ବାସଗୃହ ଯୋଜନା ପାଇଁ ଥିବା ୫ ଏକର ଜମିକୁ ମିଶାଇ ୧୯ ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking