27.1 C
Bhubaneswar
Friday, March 29, 2024
Homeଓଡିଶାଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ପଦକ୍ଷେପ : ଅଷ୍ଟମ ଲାଗି ୧୪,୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ 

ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ପଦକ୍ଷେପ : ଅଷ୍ଟମ ଲାଗି ୧୪,୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ 

ଭୁବନେଶ୍ୱର: କରୋନା ଲାଗି ଗତ ୨ବର୍ଷ ହେବ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଯଦିଓ ବିକଳ୍ପ ବ୍ୟବସ୍ଥାରେ ଅନ୍‌ଲାଇନ୍ ପାଠପଢ଼ା ହେଉଛି ତେବେ ଗୁଣାତ୍ମକ ଶିକ୍ଷାପ୍ରଦାନକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଖୁବଶୀଘ୍ର ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । କରୋନା ପରିସ୍ଥିତି ସୁଧୁରିବା ପରେ ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ଗ୍ରହଣ କରାଯିବ । ଯେଉଁଥିରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ିକରଣ ସହ ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟବ୍ୟାପୀ ଅଷ୍ଟମ ଶ୍ରେଣୀ ଲାଗି ୧୪ହଜାର ୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ଖୋଲି ବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୩ହଜାର ୮୨୩ଟି ସ୍କୁଲରେ ଅଷ୍ଟମ ଶ୍ରେଣ ଲାଗି ଅତିରିକ୍ତ ଶ୍ରେଣୀ କକ୍ଷ ନିର୍ମାଣ ଶେଷ ହୋଇଥିବା ବେଳେ ୪୬୮ଟି ସ୍କୁଲରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସେହିପରି ବଳକା ୩୧୦ଟି ସ୍କୁଲରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହବ୍ୟତୀତ ସମସ୍ତ ସ୍କୁଲରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ସହ ୭୫୦ଟି ସ୍କୁଲରେ ୱାଲ ପେଣ୍ଟିଂକୁ ଗୁରୁତ୍ୱ ଦିଆଯିବ ବୋଲି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ବିକାଶ ଆଣିବା ସହ ପ୍ରତ୍ୟେକ ସ୍କୁଲରେ ଶୈକ୍ଷିକ ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷାକୁ ଗୁରୁତ୍ୱ ଦେବା ଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୬୫ହଜାର ୨୭୯ଟି ସ୍କୁଲ ରହିଛି । ସେଥିରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬ହଜାର ୭୦ଟି ସ୍କୁଲ ଥିବାବେଳେ ୨୨ହଜାର ୧୯ଟି ଉଚ୍ଚପ୍ରାଥମିକ ସ୍କୁଲ ରହିଛି । ଚଳିତବର୍ଷ ଠାରୁ ରାଜ୍ୟରେ ସବୁ ସ୍କୁଲରେ ପିଲାଙ୍କୁ ସେମାନଙ୍କର ଦକ୍ଷତାର ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଯେଉଁଥିରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ୧୨ଲକ୍ଷ ୧୭ହଜାର ୮୪୮ ପିଲାଙ୍କୁ ପ୍ରୋଗ୍ରେସ ରିପୋର୍ଟ, ଲର୍ଣ୍ଣିଂ କିଟ୍ ଏବଂ ୱାର୍କ ବୁକ୍ ପ୍ରଦାନ କରାଯିବ । କେବଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୫୨ହଜାର ୨୯୭ଜଣ ପିଲାଙ୍କୁ ଗଣିିତ ଏବଂ ବିଜ୍ଞାନ କିଟ୍ ପ୍ରଦାନ କରାଯିବ । ଏନେଇ ସମଗ୍ରଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଅର୍ଥ ଖର୍ଚ୍ଚ କରାଯିବ । ବିଶେଷକରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ମାର୍କ ରଖିବେ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ରାଜ୍ୟରେ ସବୁ ସ୍କୁଲରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରହିଛି । ମାସିକ ୨ଥର ସମୀକ୍ଷା ବୈଠକ ଏବଂ ଜିଲ୍ଲାସ୍ତରରେ ୪ଥର ସମୀକ୍ଷା ବୈଠକର ଆୟୋଜନ କରାଯାଉଛି । ତେବେ ଶିକ୍ଷା ବ୍ୟତୀତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ଲାଗି ଖୁବଶୀଘ୍ର ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନର ଆୟୋଜନ କରାଯିବ । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଚିତ୍ର ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ ଲାଗି ରାଜ୍ୟର ୭୫୦ଟି ସ୍ୱତନ୍ତ୍ର ସ୍କୁଲରେ ୱାଲ ପେଣ୍ଟିଂ କରାଯିବ । ଯେଉଁଥିରେ ଗଣିତ ଏବଂ ବିଜ୍ଞାନର ସୂତ୍ର ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking