28.1 C
Bhubaneswar
Wednesday, April 24, 2024
Homeଓଡିଶାଚୋରା ଚାଲାଣ ରୋକିବାକୁ ଦୁଇ ବର୍ଷ ଜେଲ, ୫ ଲକ୍ଷ ଜରିମାନା

ଚୋରା ଚାଲାଣ ରୋକିବାକୁ ଦୁଇ ବର୍ଷ ଜେଲ, ୫ ଲକ୍ଷ ଜରିମାନା

ଭୁବନେଶ୍ୱର: ଖଣିଜ ପଦାର୍ଥ ଚୋରା ଚାଲାଣ ଓ ପରିବହନ ରୋକିବା ପାଇଁ ରାଜ୍ୟ ସରକାର ଆଇନକୁ କଠୋର କରିଛନ୍ତି । ଏଥିରେ ଓଡିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଏବଂ ବେଆଇନ କାରବାର ନିବାରଣ, ଦଖଲ ମହଜୁଦକରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ନିୟମ, ୨୦୦୭କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ଏନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି । ସଂଶୋଧନ କରାଯାଇ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବଢାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କୁ ଏକ ବର୍ଷ ବଦଳରେ ୨ ବର୍ଷ ଜେଲ ଓ ଜରିମାନା ପରିମାଣ ୫ ଲକ୍ଷ ଟଙ୍କା ଯାଏ ବୃଦ୍ଧି କରାଯାଇଛି ।

ଓଡିଶାରେ ଖଣି କାରବାର ଓ ଖଣିଜ ପଦାର୍ଥର ସମନ୍ୱିତ ବ୍ୟବହାର ତଥା ତତ୍ ଜନିତ ବେଆଇନ କାରବାର ରୋକିବା ପାଇଁ ଓଡିଶା ଖଣିଜ ପଦାର୍ଥ (ଚୋରୀ, ଚୋରା ଚାଲାଣ ଏବଂ ଅନିୟମିତ କାରବାର ନିବାରଣ ଏବଂ ଦଖଲ ମହଜୁଦ କରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ନିୟମ, ୨୦୦୭କୁ ରାଜ୍ୟ ସରକାର ୨୦୦୭ ବର୍ଷରେ ପ୍ରଣୟନ କରିଥିଲେ ।
ଅଧୁନା, ସୂଚନା ପ୍ରଯୁକ୍ତି ବିଦ୍ୟା ନୂତନ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ଅତ୍ୟାଧୁନିକ ମେସିନର ବହୁଳ ବ୍ୟବହାର ଯୋଗୁ ଖଣି କାରବାରରେ ବ୍ୟାପକ ପରିବର୍ତ୍ତନ ସଂଗଠିତ ହୋଇଛି । ଏହା ସହିତ ବେନିୟମ ଖଣି କାର୍ଯ୍ୟକଳାପ ମଧ୍ୟ ସମତାଳରେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଉପରୋକ୍ତ ପରବର୍ତନ ଦୃଷ୍ଟେ ପରିବର୍ତ୍ତିତ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ, ପ୍ରଚଳିତ ଓଏମପିଟିଏସ ରୁଲ ର ନିୟମାବଳୀକୁ ଅଧିକ ଯୁଗପଯୋଗୀ ତଥା ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହାକୁ ଓଡିଶା ଖଣିଜ ପଦାର୍ଥ ଚୋରୀ, ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ, ୨୦୨୧ ମାଧ୍ୟମରେ ସଂଶୋଧନ କରାଯାଇଛି ।
ଏହି ସଂଶୋଧନ ମାଧ୍ୟମରେ ବିସେଷକରି ଖଣିଜ ପଦାର୍ଥର ଷ୍ଟାକିଂ ଓ ସାମ୍ପଲିଂ ପଦ୍ଧତିରେ ବ୍ୟାପକ ପରିବର୍ତନ କରି ଏହାକୁ ଅଧିକ ସ୍ୱଚ୍ଛ କରିବା ସହିତ ଖଣିଜ ପଦାର୍ଥର ସଠିକ ପରିମାଣ ଓ ମାନ ନିର୍ଦ୍ଧାରଣ ଅଧିକ ତ୍ରୁଟିଶୂନ୍ୟ ଭାବରେ କରାଯାଇପାରିବ । ଖଣିଜ ପଦାର୍ଥ ଷ୍ଟାକିଂ ଓ ସାମ୍ପଲିଂ ପାଇଁ ନିଯୁକ୍ତ ଅଧିକାରୀ, ଖଣି ଲିଜଧାରୀ ଓ ଲାଇସେନ୍ସ ପ୍ରାପ୍ତ ଏଜେଣ୍ଟ ଯେପରି ଏଥିରେ କୌଣସି ଅନାବଶ୍ୟକ ହସ୍ତକ୍ଷେପ କରିନପାରିବେ ସେଥିପାଇଁ ଅନଲାଇନ ପଦ୍ଧତି ମାଧ୍ୟମରେ କୌଣସି ଷ୍ଟାକରୁ ର‌୍ୟାଣ୍ଡମ ପଦ୍ଧିତରେ ସାମ୍ପଲ ନେବାର ସ୍ଥାନ ନିର୍ଦ୍ଧାରଣ କରାଯିବାର ପ୍ରାବଧାନ କରାଯାଇଛି । ଯାହାଦ୍ୱାରା ସାମ୍ପଲିଂ କାର୍ଯ୍ୟ ଜଡିତ କୌଣସି ବ୍ୟକ୍ତି ଷ୍ଟାକର କେଉଁ ସ୍ଥାନରୁ ନମୁନା ସଂଗ୍ରହ କରାଯିବ ତାର ପ୍ରାକ ସୂଚନା ପାଇପାରିବେ ନାହିଁ ଏବଂ ଖଣିଜ ପାଦର୍ଥର ସଠିକ ଗ୍ରେଡିଙ୍ଗ କରାଯାଇ ଉପଯୁକ୍ତ ରାଜସ୍ୱ ଆଦାୟ କରାହେବ ।

ଖଣି କାରବାରରେ ଆଡଭାନ୍ସ ଟେକ୍ନୋଲୋଜୀର ପ୍ରୟୋଗ ଓ ଖଣିଜ ପଦାର୍ଥର ପରିବହନ ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା ତଥା ସ୍ଲରି ପାଇପ ଲାଇନ ତଥା କନଭେୟର ବେଲ୍ଟର ବ୍ୟବହାରକୁ ଆଇନ ସିଦ୍ଧ କରିବା ପାଇଁ ଓ ଅନଲାଇନ ମାଧ୍ୟମରେ ସାମ୍ପଲିଂ ଆଣ୍ଡ ଷ୍ଟାକିଂ ତଥା ପରମିଟ ପ୍ରଦାନ ନିୟମଦ୍ୱାରା ଖଣିଜ ଦ୍ରବ୍ୟ ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଏହି ଅଧିନିୟମ ସଂଶୋଧନ ନିୟମାବଳୀ ୨୦୨୧ର ପ୍ରସ୍ତୁତ କରାଯାଇଛି ।
ମୁଖ୍ୟତଃ ବେଆଇନ ଖଣି କାର୍ଯ୍ୟକଳାପ, ଖଣିଜ ଚୋରୀ ଓ ଚୋରା ଚାରାଣ ଇତ୍ୟାଦିକୁ ଅଧିକ ଦୃଢ ଭାବରେ ରୋକିବାକୁ ସଂଶୋଧିତ ଅଧିନିୟମ ଓଏମପିଟିଏସ ରୁଲସ ୨୦୨୧ ପ୍ରଣିତ ନିୟମ ମାଧ୍ୟମରେ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯିବାର ପ୍ରସ୍ତାବ ରଖାଯାଇଛି । ଖମି ଜନିତ ଅପରାଧ ପାଇଁ ଜେଲ ଦଣ୍ଡର ୧ ବର୍ଷ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭାବେ ଯେଉଁ ଅପରାଧ ପାଇଁ ୨୫ ହଜାର ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ଥିଲା, ତାହାକୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି ଏବଂ ୫୦୦ ଟଙ୍କା ଜରିମାନା ସ୍ଥାନରେ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଅନଲାଇନ ପଦ୍ଧତିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ଅଧିକାଂଶ କାର୍ଯ୍ୟକଳାପକୁ ପରିଚାଳିତ କରିବା ପାଇଁ ନିୟମାବଳୀ ପ୍ରଣୟନ କରି ଏହି ସଂସୋଧନ, ଖଣି କାରବାରକୁ ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ କରିବା ସହିତ ଅଧିକ ଖଣି-ରାଜସ୍ୱ ଆଦାୟ, ଚୋରା ଖଣି କାରବାରକୁ ରୋକିବା ଏବଂ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାରେ ମଧ୍ୟ ଯଥେଷ୍ଟ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking